ମା’କୁ ବିଭତ୍ସ ହତ୍ୟା, ଅଳ୍ପକେ ବର୍ତ୍ତିଲା ୩ ବର୍ଷର ପୁଅ

ରାଜଧାନୀରେ ମହିଳାଙ୍କୁ ଅତି ବୀଭତ୍ସ ହତ୍ୟା ଘଟଣା: ମା’ ଓ ପୁଅକୁ ହତ୍ୟା ପାଇଁ ଆସିଥିଲା ଜଗନ୍ନାଥ ପ୍ରଧାନ, ହାତଲେଖା ଚିଠିରୁ ମିଳିଲା ସୂଚନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଦିନ ଦ୍ବିପ୍ରହରରେ ଜଣେ ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଭଡ଼ା ଘର ଭିତରୁ ମିଳିଛି ମହିଳାଙ୍କ ମୃତଦେହ। ତା’ସହିତ ଜଣେ ଯୁବକଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଫେଜ୍-୧ ଅଞ୍ଚଳରେ ଘଟିଛି ଏହି ଘଟଣା।


ମୃତ ମହିଳାଙ୍କ ନାମ ପ୍ରିୟଦର୍ଶିନୀ ସାହୁ । ଅପରପକ୍ଷରେ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ଯୁବକଙ୍କ ନାମ ଜଗନ୍ନାଥ ପ୍ରଧାନ ଏବଂ ଉଭୟ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଭୁବନେଶ୍ବର ଭୀମଟାଙ୍ଗୀ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ନିଜ ସ୍ବାମୀ ରାକେଶ ଏବଂ ୪ବର୍ଷର ପୁଅ ସହ ପ୍ରିୟଦର୍ଶିନୀ ରହୁଥିଲେ।


ଭୁବନେଶ୍ବର ଭୀମଟାଙ୍ଗୀରେ ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ମିଳିଲା ହାତଲେଖା ଚିଠି। ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ଜଣକ ଚିଠି ଲେଖିଥିବା ସୂଚନା। ଗୁରୁତର ଜଗନ୍ନାଥ ପ୍ରଧାନ ହିଁ ଉକ୍ତ ଚିଠି ଲେଖିଥିଲେ। ଘଟଣା ସମ୍ପର୍କରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇ କହିଛନ୍ତି ଯେ ଆଜି ସକାଳେ ପ୍ରିୟଦର୍ଶିନୀଙ୍କ ସ୍ବାମୀ ରାକେଶ ଏକ କଲ ପାଇଥିଲେ। ବ୍ୟସ୍ତତାରୁ କଲ ନ ଉଠାଇବାରୁ ତାଙ୍କ ପାଖକୁ ଏକ ଫଟୋ ଆସିଲା। ଫଟୋରେ ତାଙ୍କ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ରାକେଶ। ଘଟଣା କ’ଣ ବୁଝିବାକୁ ଘରମାଲିକଙ୍କୁ ଫୋନ କରିଥିଲେ ରାକେଶ। ଘର ମାଲିକ ପ୍ରିୟଦର୍ଶିନୀ ଏବଂ ଆଉ ଜଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଖବର ପାଇ ରାକେଶ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପୃକ୍ତ ଯୁବକ ଜଗନ୍ନାଥ ପ୍ରଧାନର ପ୍ରାଥମିକ ବୟାନ ରେକର୍ଡ ହୋଇଛି। ଉଭୟ ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶିନୀ ଯାଜପୁରର, ପରସ୍ପରକୁ ଜାଣନ୍ତି। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ପ୍ରତିହିଂସା ପରାୟଣ ହୋଇ ଜଗନ୍ନାଥ ହତ୍ୟା କରିବାକୁ ମନସ୍ଥ କରିଥିଲା। ପ୍ରିୟଦର୍ଶିନୀ ଓ ତାଙ୍କ ପୁଅକୁ ମାରି ନିଜେ ଆତ୍ମହତ୍ୟା ଯୋଜନା କରିଥିଲା। ତେବେ ଘଟଣା ସମୟରେ କୁନି ପୁଅଟି ଘରେ ଉପସ୍ଥିତ ନ ଥିଲା। ତେଣୁ ପ୍ରିୟଦର୍ଶିନୀଙ୍କ ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲା ବୋଲି ଡିସିପି ଉମାଶଙ୍କର ଦାସ ପ୍ରକାଶ କରିଛନ୍ତି।


ବର୍ତ୍ତମାନ ଜଗନ୍ନାଥ ପ୍ରଧାନ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆଯାଇଥିବାବେଳେ ତାଙ୍କ ସ୍ବାମୀଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି। ତେବେ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ସୂଚନା ମିଳିଛି।

Comments are closed.