ମହିଳା ହକି: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ମହିଳା ହକି ଦଳ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଦଳକୁ ୩-୦ ଗୋଲ୍‌ରେ ପରାସ୍ତ କରି ଗସ୍ତ ଶେଷ କରିଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ତରଫରୁ ନବନୀତ୍‌ ୪୫ ଓ ୫୮ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିବା ବେଳେ ୫୪ ମିନିଟ୍‌ରେ ଶର୍ମିଳା ଗୋଲ୍‌ ସ୍କୋର କରିଥିଲେ। ମ୍ୟାଚ୍‌ର ପ୍ରଥମ ଦୁଇଟି କ୍ବାର୍ଟର ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ୍‌ ସ୍କୋର କରିବାକୁ ପ୍ରତିପକ୍ଷ ଦଳର ଗୋଲ୍‌ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ମଧ୍ୟ ଗୋଲ୍‌ କରିବାକୁ ସକ୍ଷମ ହୋଇ ପାରିନଥିଲେ। ତେବେ ୪୫ ମିନିଟ୍‌ରେ ଭାରତ ତରଫରୁ ନବନୀତ୍‌ ପ୍ରଥମ ଗୋଲ୍‌ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରାଇଥିଲେ। ସେହିପର ୫୪ ମିନିଟ୍‌ରେ ଭାରତୀୟ ଖେଳାଳି ଶର୍ମିଲା ଏକ ଶକ୍ତିଶାଳୀ ସଟ୍‌ ଜରିଆରେ ନ୍ୟୁଜିଲାଣ୍ଡର ଗୋଲରକ୍ଷକଙ୍କୁ ପରାସ୍ତ କରି ଦଳକୁ ୨-୦ରେ ଆଗୁଆ କରାଇଥିଲେ। ୫୮ ମିନିଟ୍‌ରେ ନବନୀତ୍‌ ଭାରତ ପାଇଁ ତୃତୀୟ ଗୋଲ୍‌ ସ୍କୋର କରିଥିଲେ। ଏହି ଗସ୍ତରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୪-୦ ଗୋଲ୍‌ରେ ପରାସ୍ତ କରିଥିବା ବେଳେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଭାରତୀୟ ଦଳ ଗ୍ରେଟ୍‌ ବ୍ରିଟେନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା। ଭାରତୀୟ ଦଳ ଆସନ୍ତା ୭ରେ ସ୍ବଦେଶ ଫେରିବ।

Comments are closed.