ମହିଳା ଚାଷୀଙ୍କୁ ମିଳୁଛି ପ୍ରୋତ୍ସାହନ; ସ୍ୱାବଲମ୍ବୀ ହେଉଛନ୍ତି ଆଦିବାସୀ ମହିଳା ଚାଷୀ, ପରିବା ଚାଷ ଦେଉଛି ରୋଜଗାର

ବଲାଙ୍ଗିର : ସ୍ୱାବଲମ୍ବୀ ହେଉଛନ୍ତି ବଲାଙ୍ଗିର ଜିଲାର ମହିଳା ଚାଷୀ। । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମହିଳାମାନଙ୍କୁ ଚାଷ କରି ପନିପରିବା ଉତ୍ପାଦନ କରିବା ସହିତ ତାହାର ବ୍ୟବସାୟ ପାଇଁ ବଜାର ବ୍ୟବସ୍ଥାର ପ୍ରୟାସ କରାଯାଇଛି। ଏହି ଉଦ୍ୟମରେ ବିଶେଷ କରି ବଲାଙ୍ଗିର ଜିଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ବେଲପଡା, ମୁରିବାହାଲ, ବଙ୍ଗୋମୁଣ୍ଡା ଅଞ୍ଚଳରେ ମହିଳାମାନଙ୍କ ପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିଛି।
ବଲାଙ୍ଗିର ଜିଲା ଏକ ଆଦିବାସୀ ବହୁଳ ଜିଲା। ଜିଲାର ଅଧାରୁ ଅଧିକ ପରିବାର ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲାର ପାଣିପାଗ, ଜଳବାୟୁ ଓ ବର୍ଷାର ପ୍ରଭାବ ଚାଷୀମାନଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ପଡିଥାଏ। ଏମିତିରେ ଏହି ଆଦିବାସୀ ପରିବାରମାନଙ୍କୁ ଚାଷ କାମରେ ସହଯୋଗ ଯୋଗାଇବା ଲକ୍ଷ୍ୟ ନେଇ ରାଜ୍ୟ କୃଷି ବିଭାଗ, ପଞ୍ଚାୟତିରାଜ ବିଭାଗ, ଏପିସି ଓଡିଶା, ଭାରତୀୟ ଗ୍ରାମୀଣ ଜୀବିକା ଫାଉଣ୍ଡେସନ୍ ଓ ପ୍ରଦାନ ଇଣ୍ଡିଆର ମିଳିତ ସହଯୋଗିତାରେ ଉଦ୍ୟମ ଆରମ୍ଭ କରାଯାଇଛି।

ସୂଚନା ଅନୁସାରେ, ବେଲପଡା ବ୍ଲକରେ ଏହାର ପ୍ରଦର୍ଶନ ଉନ୍ନତ ମାନର ରହିଥିବା ଦେଖିବାକୁ ମିଳିଛି। ମହିଳା ଚାଷୀମାନଙ୍କୁ ଏକ କ୍ଲଷ୍ଟରରେ ସଂଯୋଗ କରି ଉତ୍ପାଦକ କ୍ଲଷ୍ଟର ବ୍ୟବସ୍ଥା କରାଯାଇଛି। ଏହି କ୍ଲଷ୍ଟର ମାଧ୍ୟମରେ ବହୁ ଗ୍ରୃପ୍ କରି ମହିଳା ଚାଷୀମାନଙ୍କ ଉତ୍ପାଦିତ ପନିପରିବାର ବଜାର ବ୍ୟବସ୍ଥା କରାଯାଇଛି। କେବଳ ବେଲପଡା ବ୍ଲକରେ ୨୩ଟି ଏହିଭଳି ମହିଳା ଚାଷୀମାନଙ୍କ ଗୋଷ୍ଠୀ କରାଯାଇଥିବାବେଳେ ପ୍ରାୟ ୧୧୦୯ ଜଣ ଚାଷୀଙ୍କୁ ସଂଯୋଗ କରାଯାଇଛି। ଏହି ୨୩ଟି ଗୋଷ୍ଠୀ ମଧ୍ୟରୁ ଅନ୍ନପୂର୍ଣ୍ଣା ଉତ୍ପାଦକ ସଂଘର ପୁଷ୍ପଲତା ଓ ଅମୃତ ଟମାଟୋ ଚାଷ କରି ଗୋଟିଏ ସିଜନରେ ଭଳ ଲାଭ ପାଇଥିବା କହିଛନ୍ତି। ସେହିପରି ମୁରିବାହାଲ ବ୍ଲକ ପୁଡିସରା ଗାଁର ଠାକୁରାଣୀ ଉତ୍ପାଦକ ସଂଘ ମଧ୍ୟ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ସହିତ ତାକି ଏପିସି ସହାୟତାରେ ବିକ୍ରି କରି ସଦସ୍ୟମାନେ ଅନେକ ଲାଭ ପାଇଛନ୍ତି। ମହିଳାମାନଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ପନିପରିବା କିଆରୀରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା ଉତ୍ପାଦନ ହେଉଥିବାବେଳେ ତାକୁ ସହଜରେ ଠିକ୍ ଦରରେ ବିକ୍ରୟ କରି ଲାଭ ପାଉଥିବା ମହିଳାମାନେ ଖୁସି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବଙ୍ଗୋମୁଣ୍ଡା ବ୍ଲକ ବରକାନୀ ଗାଁର ମହାଲକ୍ଷ୍ମୀ ଉତ୍ପାଦକ ସଂଘ ମଧ୍ୟ ଏହି ଯୋଜନାର ଲାଭ ଉଠାଇଥିବାବେଳେ ଚାଷୀମାନେ ସେମାନଙ୍କ ଆର୍ଥିକ ଅବସ୍ଥାକୁ ସୁଧାରିବାରେ ସକ୍ଷମ ହୋଇଛନ୍ତି।
କରୋନା ମହାମାରୀ ଯୋଗୁ ପ୍ରାୟତଃ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାବେଳେ ସରକାରଙ୍କ ଏହି ପ୍ରୟାସ ଏବେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସକ୍ଷମ ହୋଇଛି। କେବଳ ମୁରିବାହାଲ, ବଙ୍ଗୋମୁଣ୍ଡା, ବେଲପଡା ନୁହଁ ଜିଲାର ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମ ଜାରି ରହିଛି। ବହୁ ମହିଳା ଚାଷ କରି ସ୍ୱାଲମ୍ବୀ ହୋଇପାରିଥିବା ବେଳେ କାର୍ଯ୍ୟକ୍ରମକୁ ଆହୁରି ଆଦୃତ କରିବା ଦିଗରେ ପ୍ରଶାସନ ଚେଷ୍ଟିତ ହେବା ଉଚିତ ବୋଲି ଲାଭବାନ ଚାଷୀମାନେ ପ୍ରକାଶ କରିଛନ୍ତି।

Comments are closed.