ୟୁକ୍ରେନ କୁସ୍ତି ଟୁର୍ନାମେଣ୍ଟ ଜିତିଲେ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ

ନୂଆଦିଲ୍ଲୀ: ଦେଶର ତାରକା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଜୋରଦାର ପ୍ରତ୍ୟାବର୍ତ୍ତନ କରିବା ସହିତ ୟୁକ୍ରେନ ଟୁର୍ନାମେଣ୍ଟକୁ ଜିତିନେଇଛନ୍ତି। ୟୁକ୍ରେନିୟନ ରେସଲର୍ସ ଆଣ୍ଡ କୋଚେସ୍‌ ମେମୋରିଆଲ ଟୁର୍ନାମେଣ୍ଟର ଫାଇନାଲରେ ବେଲାରୁସର ପୂର୍ବତନ ବିଶ୍ଵ ଚାମ୍ପିୟନ ଭନେସା କଲାଞ୍ଜିସ୍କାୟାଙ୍କୁ ୧୦-୮ ସେଟ୍‌ରେ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି।

୫୩ କି.ଗ୍ରା. ମହିଳା ବର୍ଗରେ ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ଭିନେଶ ଏହି କ୍ୟାଟାଗୋରିରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଲକ୍‌ଡାଉନ କୋହଳ ହେବା ପରେ ସେ ୨୦୨୦ ନଭେମ୍ବରରୁ ୟୁରୋପରେ ପ୍ରଶିକ୍ଷଣ ନେଉଥିଲେ। ତେବେ ଫାଇନାଲ ମ୍ୟାଚରେ ବିଶ୍ଵର ୭ ନମ୍ବର କୁସ୍ତିଯୋଦ୍ଧାଙ୍କୁ ହରାଇବା ତାଙ୍କ ପାଇଁ ସହଜ ନ ଥିଲା।

ଫାଇନାଲରେ ପହଞ୍ଚିବା ପୂର୍ବରୁ ସେ କ୍ବାର୍ଟର ଫାଇନାଲ ଏବଂ ପ୍ରି-କ୍ବାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଥିଲେ। ଏସିୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ଭିନେଶ ସେମିଫାଇନାଲରେ ରୋମାନିଆର ଏନା ଏ’ଙ୍କୁ ୨-୦ ସେଟରେ ପରାସ୍ତ କରିଥିଲେ। କରୋନା ମହାମାରୀ ଏବଂ ଲକ୍‌ଡାଉନ ଯୋଗୁ ୧ ବର୍ଷ ପର୍ଯ୍ୟନ୍ତ ଖେଳରୁ ଦୂରେଇ ରହିବା ପରେ ସେ ପୁଣି ଥରେ ରିଙ୍ଗ୍‌କୁ ଫେରିଥିଲେ। ଫାଇନାଲରେ ବିଜୟୀ ହେବା ପରେ ଭିନେଶ ମାର୍ଚ୍ଚ ୪ରୁ ୭ ତାରିଖ ପର୍ଯ୍ୟନ୍ତ ରୋମ୍‌ରେ ଅନୁଷ୍ଠିତ ହେବାକୁ ଥିବା ରାଙ୍କିଙ୍ଗ୍‌ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ।

Comments are closed.