ଘରୋଇ କଳିର କରୁଣ ପରିଣତି : ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଭୁବନେଶ୍ଵର : ଘରୋଇ କଳିର କରୁଣ ପରିଣତି । ପାରିପାରିକ କଳି ଉଗ୍ରରୂପ ଧାରଣ କରିବା ପରେ ମା ଦୁଇ ପୁଅଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକର ଲାଂଜୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭୋପାଳ ଗାଁରେ । ପାରିବାରିକ କଳହରୁ ଜଣେ ବିବାହିତା ମହିଳା ନିଜର ୨ ପୁଅଙ୍କ ସମେତ ନିଜ ଦେହରେ ନିଆଁ ଲଗାଇ ଦେଇଥିବାର ଖବର ମିଳିଛି।

ସୂଚନାଅନୁସାରେ ଭୋପାଳ ଗାଁର ସଚିତ୍ର ସ୍ୱାଇଁଙ୍କ ପତ୍ନୀ ଲୋଭାବତୀ ସ୍ୱାଇଁ ପାରିବାରିକ କଳହ ଫଳରେ ରାଗିଯାଇ ୮ ବର୍ଷର ପୁଅ ଅଶ୍ୱିନୀ ଓ ୩ ବର୍ଷର ପୁଅ ଆୟୁଷଙ୍କୁ ଘରେ ବନ୍ଦ କରି କିରୋସିନ ଢାଳି ନିଆଁ ଲଗାଇବା ସହ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସି କବାଟ ଭାଙ୍ଗି ତିନି ଜଣଙ୍କୁ ଉଦ୍ଧାର କରିଥିଲେ ।

ଏଥିରେ ଲୋଭାବତୀ ଓ ତାଙ୍କ ସାନପୁଅଙ୍କର ୮୦ ଭାଗ ଶରୀର ପୋଡ଼ିଯାଇଥିବା ବେଳେ ବଡ଼ପୁଅର ୨୦ ଭାଗ ଶରୀର ପୋଡ଼ିଯାଇଛି। ସେମାନଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ସାନପୁଅ ଓ ମାଆଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିବାର ସୂଚନା ମିଳିଛି। ବଡ ପୁଅ ରାଜନଗର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । 

 

Comments are closed.