ଚୀନ୍‌ ସେନା ପ୍ରତ୍ୟାହାର ଜୋରଦାର

ଲଦାଖ: ପାନ୍‌ଗଙ୍ଗ ହ୍ରଦ ତଟରୁ ଚୀନ ତା’ର ସାମରିକ ସରଞ୍ଜାମ ଓ ସୈନ୍ୟଙ୍କୁ ଯେମିତି ଯୁଦ୍ଧକାଳୀନ ଭିତ୍ତିରେ ପ୍ରତ୍ୟାହାର କରୁଛି ତାହାକୁ ଲକ୍ଷ୍ୟକଲେ ଆସନ୍ତା ୨୪ ଘଣ୍ଟାରେ ଏହି କାର୍ୟ୍ୟ ଶେଷ ହୋଇଯିବ ବୋଲି ଆକଳନ କରାଯାଉଛି। ସୂଚନାନୁଯାୟୀ, ମାତ୍ର ୮ଘଣ୍ଟା ମଧ୍ୟରେ ମୁତୟନ ସ୍ଥଳରୁ ୨୦୦ରୁ ଅଧିକ ଟ୍ୟାଙ୍କ ୧୦୦କିଲୋମିଟର ପଛକୁ ଫେରିଗଲେଣି। ଆହୁରି ପ୍ରାୟ ୧୦୦ ଟ୍ୟାଙ୍କ ଫେରିବାକୁ ଅପେକ୍ଷାରେ ଅଛି। ସୀମାନ୍ତରେ ଚୀନର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ପକ୍ଷରୁ ନିର୍ମିତ ଶିବିର ଓ ଭିତ୍ତିଭୂମିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଉଛି। ଫିଙ୍ଗର ୪ ଓ ଫିଙ୍ଗର ୮ ମଧ୍ୟସ୍ଥ ଅଞ୍ଚଳରେ ୨୦୨୦ ଏପ୍ରିଲ ପରଠାରୁ ହେଲିପ୍ୟାଡ, ଜେଟ୍ଟି, ନିରୀକ୍ଷଣ କେନ୍ଦ୍ର ଇତ୍ୟାଦି ଯେତେ ଯାହା ନିର୍ମାଣ ହୋଇଥିଲା ସବୁଗୁଡ଼ିକୁ ଭଙ୍ଗାଗଲାଣି। ଫିଙ୍ଗର ୪ ପର୍ୟ୍ୟନ୍ତ ପିଏଲଏ ହଟିଲାଣି। ପାହାଡ଼ ଶିଖରରେ ଥିବା ‘ନୋ ପାଟ୍ରୋଲ ଜୋନ୍‌’ ଅଞ୍ଚଳରୁ ସମସ୍ତ ନିର୍ମାଣ ହଟାଇଲାଣି। ଫିଙ୍ଗର ୫ରୁ ଫିଙ୍ଗର ୮ ପର୍ୟ୍ୟନ୍ତ ଅଞ୍ଚଳ ସଫା କରାଗଲାଣି। ଫିଙ୍ଗର ୫ ଓ ୬ ନିକଟରୁ ସମସ୍ତ ଜେଟ୍ଟି ଭଙ୍ଗା ସରିଲାଣି। ସୈନ୍ୟବାହିନୀ ଦୀର୍ଘ ପଥ ଚାଲିଚାଲି ଯାଇ ସାମରିକ ଯାନରେ ଫେରିବାକୁ ଅପେକ୍ଷା କରିଛନ୍ତି। ପାନ୍‌ଗଙ୍ଗ ହ୍ରଦର ୧୩୪ କିଲୋମିଟର ଦୀର୍ଘ ଉତ୍ତର ତଟ ଏବେ ଖାଁଖାଁ ଲାଗିଲାଣି।

ଏପରି ତୀବ୍ର ​ବେଗରେ ​​ସୈନ୍ୟ ପ୍ରତ୍ୟାହାର ଆଲୋଚନାର ଖୋରାକ ଯୋଗାଇଥିବାବେଳେ ହ୍ରଦର ଦକ୍ଷିଣ ତଟରେ ମଧ୍ୟ ସମାନ ପଦକ୍ଷେପ ଜାରି ରହିଛି। ଭାରତ ଏହାକୁ ଅତି ସତର୍କତାର ସହିତ ନିରୀକ୍ଷଣ କରୁଛି। ମାନବବିହୀନ ଯାନ ଓ ଉପଗ୍ରହ ମାଧ୍ୟମରେ ଭାରତ ଏହି କାର୍ୟ୍ୟ କରୁଛି। ଉଭୟ ଦେଶ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ଚୀନ ଫିଙ୍ଗର ୮ ପର୍ୟ୍ୟନ୍ତ ଏହାର ସୈନ୍ୟଙ୍କୁ ହଟାଇବ ଏବଂ ଭାରତ ଫିଙ୍ଗର ୩ ଯାଏ ଫେରି ଧାନ୍‌ ସିଂହ ଥାପା ପୋଷ୍ଟରେ ରହିବ। କୈଳାସ ରେଞ୍ଜରୁ ମଧ୍ୟ ଚୀନ ସୈନ୍ୟ ହଟିବେ। ଫେବୃଆରୀ ୧୦ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାର ୪୮ଘଣ୍ଟା ମଧ୍ୟରେ ଉଭୟ ଦେଶ ମଧ୍ୟରେ ଦଶମ କମାଣ୍ଡରସ୍ତରୀୟ ବୈଠକ ହେବ ବୋଲି ଧାର୍ୟ୍ୟ ହୋଇଛି। ବୈଠକରେ ଦେସ୍‌ପାଙ୍ଗ, ଗୋଗ୍ରା, ହଟ୍‌ସ୍ପ୍ରିଙ୍ଗ, ଡେମଚକ୍‌ରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ ଆଲୋଚନା ହେବ। ଗଲୱାଠାରେ ଦେଢ଼ କିଲୋମିଟର ପରିବ୍ୟାପ୍ତ ବଫର ଜୋନ୍‌ ବା ଉଭୟ ଦେଶର ବାହିନୀ ମଧ୍ୟରେ ଶୂନ୍ୟ ସ୍ଥାନ ଛଡ଼ାଯିବ।

Comments are closed.