ସାରା ଦେଶରେ ହାଡ ଭଙ୍ଗା ଜାଡ: ୟୁପିରେ ୭୫ ମୃତ, ୬ଟି ରାଜ୍ୟରେ ରେଡ ଆଲର୍ଟ

ନୂଆଦିଲ୍ଲୀ: ପହାଡିଆ ଅଞ୍ଚଳରେ ବରଫ ବର୍ଷା, ଶୀତ ଲହରୀ ଏବଂ ଘନ କୁହୁଡି କାରଣରୁ ଦେଶର ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତର ଭାରତରେ ଶୀତର ପ୍ରକୋପ ଅସମ୍ଭାଳ ହୋଇଯାଇଛି। ଶନିବାର ଦିଲ୍ଲୀ-ଏନସିଆର, ଉତ୍ତର-ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଠାରୁ ଆରମ୍ଭ କରି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଦ୍ରାସ ଓ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହାଡ ଭଙ୍ଗା ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରତିଦିନ ପାରଦ ରେକର୍ଡ ଭାଙ୍ଗୁଛି। ଦିଲ୍ଲୀର ସରାୟ କାଲେ ଖାନ୍ ଅଞ୍ଚଳରେ ସକାଳର ତାପମାତ୍ରା ହ୍ରାସ ପାଇ୨.୦ ଡିଗ୍ରୀ ରହୁଛି। ଏହା ହେଉଛି ଚଳିତ ବର୍ଷ ଡିସେମ୍ବର ସର୍ବନିମ୍ନ ତାପମାତ୍ରା। ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀରେ ରେର୍ଡ ଆଲର୍ଟ ଜାରି କରାଯାଇଛି।

ସେହିପରି ଉତ୍ତରପ୍ରଦେଶର କାନପୁରରେ ୨ ଡିଗ୍ରୀ ସେଲସିୟସ୍ ଏବଂ ଲଦାଖର କାରଗିଲ ଜିଲାର ଦ୍ରାସରେ ତାପମାତ୍ରା -୨୮.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ମଧ୍ୟପ୍ରଦେଶର ହିଲ ଷ୍ଟେଶନ ପଚମର୍ହିରେ ତାପମାତ୍ରା ୧.୨ ଡିଗ୍ରୀରେ ପହଞ୍ଚିଛି। ରାଜସ୍ଥାନର ଶେଖାବଟିରେ ସର୍ବନିମ୍ନ ତାପମାତ୍ରା -୪ ଡିଗ୍ରୀ ସେଲସିୟସ୍ ରହିଛି।

ଛଅଟି ରାଜ୍ୟରେ ରେଡ ଆଲର୍ଟ

ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଛଅଟି ରାଜ୍ୟରେ ରେଡ୍ ଆଲାର୍ଟ ଜାରି କରାଯାଇଛି। ଏଥିରେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ସାମିଲ ରହିଛି। ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ଯୋଗୁଁ ଜଳପ୍ରପାତ ଜମାଟ ବାନ୍ଧି ବରଫରେ ପରିଣତ ହୋଇଛି। ଶିମଲାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ୍ ରହିଛି, ଯାହା ଦିଲ୍ଲୀର ହାରାହାରି ତାପମାତ୍ରା ଠାରୁ ଢେର୍ ଅଧିକ। ଘନ କୁହୁଡି ଏବଂ ଶୂନ୍ୟ ଦୃଶ୍ୟମାନତା ଯୋଗୁଁ ଦିଲ୍ଲୀରେ ଯାତାୟତ ହେଉଥିବା ୪ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଏହା ସହ କୁହୁଡି କାରଣରୁ ୨୪ଟି ଟ୍ରେନର ମଧ୍ୟ ଗତିପଥ ବଦଳା​‌ଇ ଦିଆଯାଇଛି। ଚଳିତ ଡିସେମ୍ବରରେ ଆଜି ପର୍ଯ୍ୟନ୍ତ ୮ଟି ଥଣ୍ଡା ଦିବସ ଏବଂ ୭ଟି ଭୀଷଣ ଥଣ୍ଡା ଦିବସ ରେକର୍ଡ କରାଯାଇଛି।

ଭୀଷଣ ଥଣ୍ଡା ଯୋଗୁଁ ବାୟୁ ପ୍ରଦୂଷଣ ମଧ୍ୟ ଅଧିକ ଖରାପ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀ, ୟୁପି ସମେତ କେତେକ ସହରରେ ବାୟୁ ପ୍ରଦୂଷଣ ସଙ୍କଟାପନ୍ନ ପରିସ୍ଥିତିରେ ପହଞ୍ଚିଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୂଚକ ୪୧୩ ରହିଥିବା ​‌ବେଳେ କାନପୁରରେ ୨୯୧ ଏବଂ ଲକ୍ଷ୍ନୌରେ ୩୩୮ ସଙ୍କଟାପନ୍ନ ସ୍ତରରେ ରହିଛି।

ବିହାରର ପାଟଣା ସମେତ ୩୮ଟି ଜିଲାରେ ରବିବାର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଟଣାରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଶୀତ ପ୍ରକୋପରେ ଉତ୍ତରପ୍ରଦେଶରେ ୭୫ ଜଣ ମୃତ

ଉତ୍ତରପ୍ରଦେଶରେ ଶୀତର ପ୍ରକୋପ ଯୋଗୁଁ ଅଧିକ ସହରରେ ପାରଦ ଶୂନ୍ୟରେ ପହଞ୍ଚିଛି। ଶନିବାର ସର୍ବନିମ୍ନ ତାପମାତ୍ରା ଅଲ୍ଲିଗଡରେ ୧.୮ ଡିଗ୍ରୀ, ବହରାଇଚରେ ୨.୦ ଡିଗ୍ରୀ, ବରେଲୀରେ ୩.୧ ଡିଗ୍ରୀ, ଝାନ୍ସିରେ ୨.୩ ଡିଗ୍ରୀ, କାନପୁରରେ ୨.୦ ଡିଗ୍ରୀ ଏବଂ ଲକ୍ଷ୍ନୌରେ ୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ୟୁପିରେ ଶୀତ ଲହରୀ ଜାରି ରହିବ। ଜାନୁଆରୀ ପହିଲାରୁ ୩ ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ଖରାପ ହେବା କାରଣରୁ ବସ୍, ଟ୍ରେନ୍ ଏବଂ ବିମାନ ସେବା ବାଧାପ୍ରାପ୍ତ ହୋଇଛି।

ଏଥର ଝାନ୍ସିର ଶୀତ ପ୍ରକୋପ ୬୫ ବର୍ଷର ରେକର୍ଡ ଭାଙ୍ଗିଛି। ପ୍ରବଳ ଥଣ୍ଡା ଯୋଗୁଁ ଜମିରେ ଫସଲ କରୁଥିବା ଜଣେ ଚାଷୀଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟ ୟୁପି ଏବଂ ବୁନ୍ଦେଲଖଣ୍ଡରେ ୩୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ପର୍ବାଞ୍ଚଳରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। କେବଳ କାନପୁରରେ ୧୯ ଜଣ ଏବଂ ହାଥରସ ଜିଲାରେ ଏକ ଶିଶୁ ସମେତ ୩ ଜଣ ପ୍ରାଣ ହରାଇଛନ୍ତି।

Comments are closed.