ନୂଆବର୍ଷରୁ ବର୍ଷା; ବଢ଼ିବ ଶୀତ

ଭୁବନେଶ୍ବର : ଆଉ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରି ଜାରି ରହିବ। ଅସହ୍ୟ ଜାଡ଼ ଯୋଗୁଁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ଆଇଏମ୍‌ଡି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କନ୍ଧମାଳ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ସ୍ଥାନରେ ତୁଷାରପାତ ହୋଇଥିଲା। ସେହିପରି ରବିବାର ସକାଳେ କୋରାପୁଟ, ଭବାନୀପାଟଣାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଏସ୍‌ଆରସିଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ଆଶ୍ରୟସ୍ଥଳ ଖୋଲାଯାଇ ନିରାଶ୍ରୟ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଭଦ୍ରକ, ବଲାଙ୍ଗୀର, ସମ୍ବଲପୁରରେ ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲାଯାଇଛି। ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ନୂଆବର୍ଷ ଦିନ ପାଗ ମେଘୁଆ ରହିବ। ୩୧ ତାରିଖରେ ଆଉ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଆସୁଥିବାରୁ ତାପମାତ୍ରା ବଢ଼ିବା ସହ ବର୍ଷା ହେବ। ରବିବାର ଠାରୁ ଉତ୍ତର ପଶ୍ଚିମ, ପୂର୍ବ ଭାରତ ଓ କେନ୍ଦ୍ରୀୟ ଭାରତରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଓଡ଼ିଶାରେ ୧ ତାରିଖରୁ ବର୍ଷାର ସମ୍ଭାବନା ରହିବ। ୨ ଓ ୩ ତାରିଖରେ ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ସହିତ କିଛି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୋଳରେ ୪.୬, ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୫.୫, ଟିଟିଲାଗଡ଼ରେ ୬.୧, ଭବାନୀପାଟଣାରେ ୬.୫, କେନ୍ଦୁଝରରେ ୬.୬, ଝାରସୁଗୁଡ଼ାରେ ୭.୩, ସମ୍ବଲପୁରରେ ୭.୪, ବଲାଙ୍ଗୀରରେ ୮ ଡିଗ୍ରୀ, ବାଲେଶ୍ବରରେ ୮.୬, କଟକରେ ୮.୮, ସୁନ୍ଦରଗଡ଼ରେ ୯ ଡିଗ୍ରୀ, ଭୁବନେଶ୍ବର ଓ ଚାନ୍ଦବାଲିରେ ୧୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ଗତ ରାତିରେ ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି। କଟକରେ ୮.୮ ଡିଗ୍ରୀ ସହିତ ଶୀତ ରେକର୍ଡ ସ୍ତର ନିକଟବର୍ତ୍ତୀ ହୋଇଛି।
ଆଇଆଇଟି, ଭୁବନେଶ୍ବର ଓସିଏସ୍‌ ଆଣ୍ଡ ଆର୍ଥ ସାଇନ୍ସେସ୍‌ର ପ୍ରଫେସର ୟୁ.ସି ମହାନ୍ତି କହିଛନ୍ତି ଏହି ସମୟରେ ପାରଦ ସର୍ବନିମ୍ନ ସ୍ତରକୁ ଖସିବା ଏକ ସ୍ବାଭାବିକ ପ୍ରକ୍ରିୟା। ଆରବ ଦେଶ, କାସ୍ପିଆନ୍ ସାଗରରୁ ପଶ୍ଚିମା ବାୟୁ ସମୁଦ୍ର ଆଡ଼କୁ ପ୍ରବାହିତ ହୋଇପାରୁ ନଥିବାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଏହି ସମୟରେ ଓଡ଼ିଶାରେ ୮/୧୦ ସହରରେ ତାପମାତ୍ରା ଅଳ୍ପ ସମୟ ପାଇଁ ୧୦ ଡିଗ୍ରୀ ତଳକୁ ଖସିଥାଏ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଥଣ୍ଡା ହେବାର ମୁଖ୍ୟ କାରଣ ହେଉଛି ଉତ୍ତରା ପବନ। ତେବେ ଅତ୍ୟଧିକ ଶୀତର କାରଣ ହେଉଛି ଥଣ୍ଡା ବାୟୁ ପଶ୍ଚିମ ଓଡ଼ିଶାରେ ବିଚ୍ଛୁରିତ ହେବାରୁ ପବନ ସ୍ଥିର ରହିଲା। ଫଳରେ ସୋନପୁର, ବୌଦ୍ଧ. ସୁନ୍ଦରଗଡ଼ ସମେତ ଉତ୍ତର ଓଡ଼ିଶାରେ ଅଧିକ ଥଣ୍ଡା ହେଉଛି।

Comments are closed.