ଖସିବ ପାରଦ, ବଢ଼ିବ ଜାଡ଼

ଭୁବନେଶ୍ବର : ରାଜ୍ୟର ଦକ୍ଷିଣ, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ପାରଦ ଖସିବା ଯୋଗୁଁ ଶୀତ ଅଭୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ସବୁଠୁ କମ ୭.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଦାରିଙ୍ଗବାଡିରେ ମଧ୍ୟରେ ୧୦ ଡିଗ୍ରୀ ତଳେ ରହିଛି। ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି। ନୂଆବର୍ଷ ଆରମ୍ଭରୁ ପ୍ରଚଣ୍ଡ ଜାଡ ଅନୁଭୂତ ହେବାର ସମ୍ଭାବନା ରହିଛି।
ଆସନ୍ତା ୨ଦିନ ଧରି ରାଜ୍ୟବ୍ୟାପୀ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ କମିବ। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ୩ରୁ ୪ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ। ଆଭ୍ୟନ୍ତରଣୀ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି। ରାଜ୍ୟବ୍ୟାପୀ ଶୀତଲହରୀ ଜାରି ରହି ଥିବାବେଳେ ଜାନୁଆରୀ ପହିଲାରୁ ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ ପର୍ୟ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଶୀତ ଅଧିକ ଅନୁଭୂତ ହେବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌.ଆର ବିଶ୍ବାସ କହିଛନ୍ତି।
ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ପୁରୀ, ଭଦ୍ରକ, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଘନ କୁହୁଡି ସମ୍ଭାବନା ରହିଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୬ ଏବଂ କଟକରେ ୧୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ଉଭୟ ସହରରେ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.