ଟି୨୦ ବିଶ୍ବକପ୍‌ ଅପେକ୍ଷା ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ ଜିତିବା ବଡ଼ କୃତିତ୍ବ – ଚେତେଶ୍ବର

ହାମିଲ୍‌ଟନ: ଭାରତୀୟ ଟେଷ୍ଟମ୍ୟାଚ୍ ଦଳର ବରିଷ୍ଠ ବ୍ୟାଟ୍‌ସମ୍ୟାନ୍ ଚେତେଶ୍ବର ପୂଜାରା କହିଛନ୍ତି ଯେ ଦିନିକିଆ ଓ ଟ୍ବେଣ୍ଟି୨୦ ବିଶ୍ବକପ୍ ଜିତିବା ଅପେକ୍ଷା ଚଳିତ ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍ ଜିତିବା ବହୁତ ବଡ଼ କୃତିତ୍ବ। ପ୍ରଥମଥର ଆଇସିସି ଆୟୋଜନ କରୁଥିବା ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ଅଦ୍ୟାବଧି ଭାରତ ୭ଟି ​‌େ​‌ଟଷ୍ଟମ୍ୟାଚ୍ ଖେଳି ୩୬୦ ପଏଣ୍ଟ ପାଇ ସର୍ବୋଚ୍ଚ ସ୍ଥାନରେ ରହିଛି। ପୂଜାରାଙ୍କ ଭାଷାରେ, ଯେତେବେଳେ ତୁମେ ଟେଷ୍ଟ ଚମ୍ପିଆନ୍‌ସିପ୍ ଜିତୁଛ; ତୁମକୁ ସ୍ବୀକାର କରିବାକୁ ପଡ଼ିବ ଯେ ଦିନିକିଆ ଓ ଟ୍ବେଣ୍ଟି୨୦ ବିଶ୍ବକପ୍ ଜିତିବା ଅପେକ୍ଷା ଏହା ବହୁତ ବଡ଼ କୃତିତ୍ବ। ଏହାର କାରଣ ହେଉଛି ଟେଷ୍ଟମ୍ୟାଚ୍ ହେଉଛି କ୍ରିକେଟ୍‌ର ସର୍ବଶ୍ରେଷ୍ଠ ଫର୍ମାଟ୍। ତୁମେ ଯଦି ବିଗତଦିନର କୌଣସି ମହାନ୍ ଖେଳାଳି; ଏପରିକି ବର୍ତ୍ତମାନର ଖେଳାଳିଙ୍କୁ ପଚାରନ୍ତୁ। ସେମାନେ ନିଶ୍ଚୟ କହିବେ ଯେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଉ ତୁମେ ଯେତେବେଳେ ଟେଷ୍ଟ କ୍ରିକେଟ୍‌ରେ ବିଶ୍ବ ଚମ୍ପିଆନ୍ ହେବ; ଏହାଠାରୁ ବହୁତ ବଡ଼ କୃତିତ୍ବ କ୍ରିକେଟ ଦୁନିଆରେ ନାହିଁ। ସୂଚନାଯୋଗ୍ୟ; ପୂଜାରା ୨୦୧୪ରେ ଶେଷଥର ଭାରତ ପାଇଁ ଦିନିକିଆ ମ୍ୟାଚ୍ ଖେଳିଥିଲେ।

ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍ ଆରମ୍ଭ ହେବା ପରଠାରୁ ଭାରତ ୩ଟି ସିରିଜ୍‌ରେ ମୋଟ ୭ଟି ଟେଷ୍ଟମ୍ୟାଚ୍ ଖେଳିଛି ଏବଂ ସବୁଥିରେ ବିଜୟୀ ହୋଇଛି। ଭାରତ ୨-୦ରେ ୱେଷ୍ଟଇଣ୍ଡିଜ୍‌କୁ, ଦକ୍ଷିଣ ଆଫ୍ରିକାକୁ ୩-୦ରେ ଏବଂ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ୨୧ରୁ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳିବ। ପୂଜାରା ଆହୁରି କହିଛନ୍ତି, ଘରୋଇ ବାତାବରଣରେ ଅଧିକାଂଶ ଦଳ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ବିଦେଶକୁ ଗଲେ ସେମାନଙ୍କୁ ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଭାରତୀୟ ଦଳ ବିଦେଶରେ ଭଲ ପ୍ରଦର୍ଶନ କରିଆସୁଛି। ଆମେ ବିଦେଶରେ ଏବେ ମ୍ୟାଚ୍ ଜିତିବା ଆରମ୍ଭ କରିଛୁ। ଏହା ହିଁ ବର୍ତ୍ତମାନର ଭାରତୀୟ ଦଳର ସବୁଠାରୁ ବଡ଼ କୃତିତ୍ବ। ଯେଉଁ ଦଳ ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍‌ର ଫାଇନାଲରେ ପହଞ୍ଚିବ; ତାକୁ ଆସନ୍ତା ୨ ବର୍ଷ ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିବ। ଉକ୍ତ ଦଳକୁ କେବଳ ନିଜଦେଶରେ ନୁହେଁ; ବିଦେଶରେ ମଧ୍ୟ ଜିତିବାକୁ ପଡ଼ିବ। ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍‌ କ୍ରିକେଟ୍‌ର ଏହି ସର୍ବପୁରାତନ ଫର୍ମାଟକୁ ଅଧିକ ପ୍ରତିଦ୍ବନ୍ଦ୍ବିତାମୂଳକ କରିପାରିଛି। ଟେଷ୍ଟ କ୍ରିକେଟ୍‌ର ଲୋକପ୍ରିୟତା ବଜାୟ ରଖିବାକୁ ହେଲେ ସମସ୍ତ ଦଳଙ୍କୁ ପ୍ରୟାସ କରିବାକୁ ପଡ଼ିବ। ସେମାନଙ୍କୁ ଡ୍ର ପାଇଁ ନ ଖେଳି ବିଜୟୀ ହେବା ଲାଗି ପ୍ରୟାସ କରିବାକୁ ପଡ଼ିବ।

Comments are closed.