୨୦୨୨ରେ ନିର୍ବାଚନ ଲଢିବେ ନାହିଁ ଅଖିଳେଶ ଯାଦବ

ଲଖନଉ: ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ୨୦୨୨ରେ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ତାଙ୍କ ଦଳ ରାଜ୍ୟରେ ଶାସନ କ୍ଷମତାକୁ ଆସିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ସୋମବାର ଅଖିଳେଶ କହିଛନ୍ତି ଯେ ସେ ନିର୍ବାଚନ ଲଢିବେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ନିର୍ବାଚନ ପାଇଁ ତାଙ୍କ ଦଳ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମଧ୍ୟରେ ମେଣ୍ଟ ଗଠନ ପାଇଁ ବୁଝାମଣା ଚୂଡାନ୍ତ ହୋଇଛି । ଏହାପରେ ଆସନ ବୁଝାମଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ବର୍ଷ ଫେବ୍ରୁଆରୀ ଅଥବା ମାର୍ଚ୍ଚ ମାସରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି, ରାଜ୍ୟର ସମସ୍ତ ବର୍ଗର ଜନସାଧାରଣ ଆଗାମୀ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବାକୁ ମନସ୍ଥ କରିଛନ୍ତି । ହରଦୋଇଠାରେ ଏକ ସମାବେଶରେ ଉଦବୋଧନ ଦେଇ ସେ କହିଛନ୍ତି, ସମାଜବାଦୀ ପାର୍ଟିକ ରାଜ୍ୟରେ ଶାସନ କ୍ଷମତାକୁ ଫେରିଲେ ରାଜ୍ୟ ପୁଣି ଅଭିବୃଦ୍ଧି ପଥକୁ ଫେରିବ । ସେ ଆକ୍ଷେପ କରି କହିଥିଲେ ଯେ ସମାଜବାଦୀ ପାର୍ଟି ସରକାର ସମୟରେ ଯାହା ସବୁ କରାଯାଇଥିଲା, ବିଜେପି ସେଗୁଡିକ କେବଳ ଉଦଘାଟନ କରିବାରେ ଲାଗିଛି ।

Comments are closed.