ସ୍ବାମୀର ମାଡରେ ସ୍ତ୍ରୀ ଚେତାଶୂନ୍ୟ, ଭୟରେ କୀଟନାଶକ ଖାଇ ସ୍ଵାମୀ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମରେ ସ୍ଵାମୀର ମାଡରେ ସ୍ତ୍ରୀ ଚେତାଶୂନ୍ୟ ହୋଇ ତଳେ ପଡିଯିବାରୁ ସ୍ତ୍ରୀ ମରିଗଲା ଭାବି ସ୍ଵାମୀ ଜଣକ କୀଟନାଶକ ଖାଇ ଗୁରୁତର ହୋଇଛନ୍ତି। କୀଟନାଶକ ଖାଇ ଗୁରୁତର ହୋଇଥିବା ସ୍ବାମୀ ଓ ତାଙ୍କ ପତ୍ନୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ମହିଳାଙ୍କ ବାପଘର ମୟୂରଭଞ୍ଜ ଜିଲ୍ଲା ତଣ୍ଟୋ ଅଞ୍ଚଳରୁ ତାଙ୍କ ଭାଇ ତୁରୁମୁଙ୍ଗା ଥାନାରେ ଜଣାଇବା ପରେ ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଇ ଘଟଣାର ସବିଶେଷ ତଦନ୍ତ କରିଛନ୍ତି । ଚିକିତ୍ସା ପରେ ମହିଳା ଜଣଙ୍କ ବିପଦ ମୁକ୍ତ ଥିବା ବେଳେ ତାଙ୍କ ସ୍ବାମ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ମୟୁରଭଞ୍ଜ ଜିଲ୍ଲାର ମୂଳ ନିବାସୀ ତ୍ରୀଭଙ୍ଗ ରଣା(୪୫) ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ରଣାଙ୍କ ମଧ୍ୟରେ ଖୁଣ୍ଟାପଡା ବାସଭବନରେ ଆଜି ସକାଳ ସାଢେ଼ ୬ଟା ସମୟରେ କୌଣସି କାରଣରୁ କଳିଝଗଡା ସୃଷ୍ଟି ହୋଇ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ତ୍ରୀଭଙ୍ଗ ରଣା ଙ୍କର କେନ୍ଦେଇପଶି ବଜାରରେ ଏକ ଗହଣା ଦୋକାନ ଥିବା ଜଣାପଡିଛି ।

Comments are closed.