ସ୍ଵାମୀଙ୍କ କିଡନୀ ରୋଗ ଚିକିତ୍ସା ପାଇଁ ଚମ୍ପାଙ୍କ ଆକୁଳ ନିବେଦନ

କେଶଦୁରାପାଳ : ସରକାରୀ ଯୋଜନା କାହା ପାଇଁ ? ଗରିବ, ଅସହାୟ, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଡେଙ୍ଗୁରା ପିଟୁ ଥିବାବେଳେ ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ସଫଳ ରୂପାୟନ ପାଇଁ କୋଟି କୋଟି ଟଙ୍କାର ଅର୍ଥ ବୟ ବରାଦ ହେଉଛି। ହେଲେ ଯୋଜନା ସବୁ ରୋଗୀଠାରୁ ଯୋଜନ ଯୋଜନ ଦୂରରେ ରହୁଥିବାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ଅନ୍ତର୍ଗତ ପଥରପଦା ଗ୍ରାମରେ। ଗ୍ରାମର କାଠିଆ ପେରେଇ(୩୩), କାଠିଆ ପେସାରେ ଜଣେ ଗାଡି ଚାଳକ, ଘରେ ପତ୍ନୀ ଚମ୍ପା ପେରେଇ (୩୦) ସହ ତିନୋଟି ଝିଅକୁ ମିଶାଇ ପାଞ୍ଚ ପ୍ରାଣି କୁଟୁମ୍ବ। ଦିର୍ଘ ଦଶ ଦର୍ଷ ହେଲା ଗାଡି ଚାଳକ ଭାବେ କାମ କରି ପରିବାର ପ୍ରତିପୋଷଣ କରି ଦୁଃଖ କଷ୍ଟେ ଚଳି ଆସୁଥିଲେ। କରୋନା କାଳରେ ହଠାତ ମାଡି ବସିଲା ଅଜଣା ରୋଗ ! ପ୍ରଥମେ ଆନନ୍ଦପୁର ଏବଂ ପରେ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ , ପରୀକ୍ଷା ନିରୀକ୍ଷା ପରେ ଜଣା ଗଲା ତାଙ୍କର ଦୁଇଟି କିଡନୀ ଅକାମି ହୋଇଯାଇଛି ।

ଏହା ଜଣା ପଡିବା ପରେ ପରିବାର ଦୁଃଖରେ ଭାଙ୍ଗିପଡିଲା। ଘରେ ଯାହା ଥିଲା ସବୁ ବିକି ଭାଙ୍ଗି ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚରେ ଗଲା। ଡାକ୍ତରଙ୍କ କହିବା ଅନୁସାରେ ଏହି ରୋଗର ଚିକିତ୍ସା ପାଇଁ ଅପରେସନ ନିହାତି ଦରକାର। ହେଲେ ଅପରେସନ ପାଇଁ ଦରକାର ଲକ୍ଷାଧିକ ଟଙ୍କା ! ଅଭାବି ସଂସାର ଭିତରେ ଏତେ ଟଙ୍କା କୋଉଠୁ ପାଇବେ ସେଇ ଚିନ୍ତାରେ ପତ୍ନୀ ଚମ୍ପା  ଭାଙ୍ଗି ପଡିଛନ୍ତି। ସ୍ବାମୀର ଚିକିତ୍ସା ପାଇଁ ବାର ଦୂଆର ହାତ ପାତିଲେ ମଧ୍ୟ ସବୁଠାରୁ ନିରାଶ ହେଲେ। ଅର୍ଥ ଅଭାବରୁ ସ୍ବାମୀଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ୩ ମାସ ହେଲା ଘରେ ଶଯ୍ୟାଶାୟୀ କାଠିଆ । ପତ୍ନୀ ଚମ୍ପା ପରିବାର ଚଳାଇବାକୁ ପର ଘରେ କାମଧନ୍ଧା କରି ଯାହା ମିଳିଲା ସେତିକିରେ କେବଳ ଢେକେ ପିଇ ଦଣ୍ତେ ଜୀଇଁ ପରିବାର ଚଳାଇଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଦୁଇ ବଖରା ଛାଳ ଛପର ଘରକୁ ଛାଡିଦେଲେ ସଂପତି ବୋଲି ଆଉ କିଛି ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୂସାରେ ମାସକୁ ଅତି କମରେ ନିହାତି ଥରେ ଡାଏଲୋସିସ୍ ହେବା କଥା କିନ୍ତୁ ଅର୍ଥ ଅଭବରୁ ତାହା ବି ସମ୍ଭବ ହୋଇପାରୁ ନାହିଁ। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ହୋଇପାରୁନଥିବାରୁ ଦିନକୁ ଦିନ ସ୍ବାମୀ କାଠିଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକରୁ ଅଧିକ ବିଗିଡିବାରେ ଲାଗିଛି । ଏପରି ସ୍ଥିତିରେ ସ୍ବାମୀଙ୍କ ଚିକିତ୍ସା ପାଇଁ ସରକାର ଏବଂ କୌଣସି ବଦାନ୍ୟ ବ୍ୟକ୍ତି ବିଶେଷ ଯଦି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିବାକୁ ଆକୁଳ ନିବେଦନ କରିଛନ୍ତି ପତ୍ନୀ ଚମ୍ପା।

Comments are closed.