ଡି କକ୍‌ଙ୍କ ୯୫; ଦକ୍ଷିଣ ଆଫ୍ରିକା ୯/୨୭୭

ସେଞ୍ଚୁରିଅନ୍ : ଗୁରୁବାର ଏଠାରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟମ୍ୟାଚ୍‌ରେ କ୍ବିଣ୍ଟନ ଡି କକ୍ ୯୫ ରନ୍‌ର ଲଢ଼ୁଆ ଇନିଂସ ଖେଳିଛନ୍ତି। ଫଳରେ ପ୍ରଥମଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂନରେ ୯ ୱିକେଟ ହରାଇ ୨୭୭ ରନ୍ କରିପାରିଛି। ଟସ୍ ଜିତି ଇଂଲଣ୍ଡ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଡିନ୍ ଏଲ୍‌ଗାନର ଇନିଂସ ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ଐଡେନ୍ ମାର୍କରାମ ଓ ଜୁବେର ହାମ୍‌ଜା ୨ୟ ୱିକେଟ ପାଇଁ ୩୨ ରନ୍ ଯୋଡ଼ିବା ପରେ ମାର୍କରାମ ୨୦ ରନ୍‌କରି ବିଦାୟ ନେଇଥିଲେ। ହାମ୍‌ଜା ୩୯ ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ୨୯ ରନ୍ କରିଥିବା ବେଳେ ଉଭୟଙ୍କୁ ଷ୍ଟୁଆର୍ଟ ବ୍ରଡ୍‌ ଆଉଟ କରିଥିଲେ। ରାସି ଭାନ୍ ଡର ଡ୍ୟୁସେନ୍ ୬ ରନ୍‌କରି ବିଦାୟ ନେଇଥିଲେ। ୧୧୧ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ବାମହାତି କ୍ବିଣ୍ଟନ ଡି କକ୍ ଓ ଡେନ୍ ପ୍ରିଟୋରିୟସ୍ ୮୭ ରନ୍ ଯୋଡ଼ିଥିଲେ। ପ୍ରିଟୋରିୟସ୍ ୪୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍ କରିଥିଲେ। ମାତ୍ର ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ଡି କକ୍ ୧୨୮ ବଲ୍‌ ଖେଳି ୧୪ଟି ଚୌକା ସହ ୯୫ ରନ୍ କରିଥିଲେ। କେଶବ ମହାରାଜ ୬ ଓ କାଗିସୋ ରାବାଡ଼ା ୧୨ ରନ୍‌କରି ଆଉଟ ହୋଇଥିଲେ। ଭର୍ନନ ଫିଲାଣ୍ଡର ୫ଟି ଚୌକା ସହ ୩୩ ରନ୍‌କରି ଅପରାଜିତ ଅଛନ୍ତି। ସାମ୍ କରନ୍ ୪ଟି ଓ ଷ୍ଟୁଆର୍ଟ ବ୍ରଡ୍‌ ୩ଟି ୱିକେଟ ନେଇଛନ୍ତି।

Comments are closed.