କୃଷକ ଆନ୍ଦୋଳନ କାହିଁକି ?

ଅଭୟ କୁମାର ଦାସ

ଆମ ଦେଶ ସ୍ୱାଧୀନ ହେବାବେଳକୁ ଖାଦ୍ୟାଭାବର ସମସ୍ୟା ଅତ୍ୟନ୍ତ ଉତ୍କଟ ଥିଲା। କୃଷିରେ ଆତ୍ମନିର୍ଭର ହେବାର ଲକ୍ଷ୍ୟ ରଖି ତତ୍କାଳୀନ ସରକାର ପ୍ରଥମ ପଞ୍ଚବାର୍ଷିକ ଯୋଜନା (୧୯୫୧-୫୬)ରେ କୃଷିକୁ ପ୍ରାଧାନ୍ୟ ଦେବାଫଳରେ ସଫଳତା ମିଳିଲା। ସତୁରି ଦଶକରେ ସରକାର ଆଧୁନିକ ଯନ୍ତ୍ରପାତି, ଅଧିକ ଅମଳକ୍ଷମ ବିହନ, ଜଳସେଚନ, କୀଟନାଶକ ଔଷଧ-ସାର ପ୍ରୟୋଗ ଆଦି ପଦକ୍ଷେପ ନେବା ଫଳରେ ‘ସବୁଜ ବିପ୍ଲବ’ର ସ୍ବପ୍ନ ସତ ହେଲା। କେରଳ, ପଶ୍ଚିମବଙ୍ଗର ବାମପନ୍ଥୀ ଶାସିତ ସରକାରଙ୍କ ଭୂସଂସ୍କାର ଭଳି ଯୁଗାନ୍ତକାରୀ ପଦକ୍ଷେପ କୃଷିରେ ସ୍ୱାବଲମ୍ବନ ଆଣିବା ସହିତ ଦାରିଦ୍ର୍ୟ ଦୂରୀକରଣରେ ଅନେକ ସହାୟତା କଲା। ଗଣବଣ୍ଟନ ବ୍ୟବସ୍ଥାକୁ ସାର୍ବଜନୀନ କରିବାକୁ ୧୯୫୫ରେ ସରକାର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ ଆଣିବା ଫଳରେ ‘ସର୍ବନିମ୍ନ ସହାୟକ ମୂଲ୍ୟ’ (ଏମ୍‍.ଏସ.ପି.) ସ୍ଥିର ହେଲା। ସରକାର ଚାଷୀର ଫସଲ ସଂଗ୍ରହ କଲେ ଓ ଚାଷୀ ଅନେକାଂଶରେ ନିଜକୁ ସୁରକ୍ଷିତ ମନେକଲା। ଖାଦ୍ୟକୁ ସୁରକ୍ଷିତ ରଖିବାକୁ ଭାରତୀୟ ଖାଦ୍ୟ ନିଗମ (ଏଫ.ସି.ଆଇ) ୧୯୬୫ରେ ପ୍ରତିଷ୍ଠା ହେଲା, ଯାହାର ଲକ୍ଷ୍ୟ ଥିଲା ଚତୁର୍ମୁଖୀ: କୃଷକ ସ୍ୱାର୍ଥରକ୍ଷା, ଗଣବଣ୍ଟନ ବ୍ୟବସ୍ଥା, ଜରୁରୀ ପରିସ୍ଥିତି ପାଇଁ ଖାଦ୍ୟଶସ୍ୟ ମହଜୁଦ ଓ ଖାଦ୍ୟଶସ୍ୟର ବଜାର ଦର ନିୟନ୍ତ୍ରଣ। ଏହା ସହିତ କୃଷିଭିତ୍ତିକ ଶିଳ୍ପ (ଝୋଟକଳ, ଚିନିକଳ, ଲୁଗାକଳ ଆଦି) ପ୍ରତିଷ୍ଠା ଯୋଗୁଁ କୃଷି ବଞ୍ଚିବା ସହିତ ଶିଳ୍ପରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା।
୧୯୯୧ରେ ଭାରତ ନବ୍ୟ ଆର୍ଥିକ ନୀତିକୁ ଗ୍ରହଣ କରିବା ପରେ ୧୯୯୫ରେ ଆମ କୃଷିକୁ ବିଶ୍ୱ ବାଣିଜ୍ୟିକ ସଙ୍ଗଠନ (ଡବ୍ଲ୍ୟୁ.ଟି.ଓ.) ସହ ସାମିଲ କରାଗଲା। ଫଳରେ ବିଦେଶୀ କୃଷିଜାତ ସାମଗ୍ରୀର ଆମଦାନୀ ଉପରେ ଥିବା କଟକଣା କୋହଳ ହେଲା ଓ ଆମ ଦେଶୀୟ କୃଷିଜାତ ଦ୍ରବ୍ୟ ବହୁ ପ୍ରତିଯୋଗିତାର ସମ୍ମୁଖୀନ ହେଲା। ବିଶ୍ୱବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଢାଞ୍ଚାଗତ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଷ୍ଟ୍ରକଚରାଲ ଆଡଜଷ୍ଟମେଣ୍ଟ ପ୍ରୋଗ୍ରାମ) ନିର୍ଦେଶରେ ଭାରତ ସରକାର କୃଷି ଉପରୁ ସବସିଡି ହ୍ରାସ କଲେ। ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଦିଆଯାଉଥିବା ସହାୟତା ପରିମାଣ, ସମୁଦାୟ କ୍ରୟ ମୂଲ୍ୟର ୧୦ ଶତାଂଶ ମଧ୍ୟରେ ସୀମିତ ରଖିବାକୁ ବିଶ୍ୱ ବାଣିଜ୍ୟ ସଙ୍ଗଠନ ଆମ ସରକାରଙ୍କୁ ନିର୍ଦେଶ ଦେବାରୁ ଆମ ଚାଷ ମହଙ୍ଗା ହେଲା। ସାରର ଆମଦାନୀ ଓ ରିଆତି ହ୍ରାସ କରାଗଲା। କାରଗିଲ, ମନସାଣ୍ଟୋ ଭଳି ବହୁଜାତୀୟ କମ୍ପାନୀର ହାଇବ୍ରିଡ ବିହନର ବ୍ୟାପକ ଅନୁପ୍ରବେଶ ଫଳରେ ଆମର ପାରମ୍ପରିକ ବିହନ ଲୋପ ପାଇଗଲା। ଶୀତଳଭଣ୍ଡାର, ଆନୁଷ୍ଠାନିକ ଋଣ, ଜଳସେଚନକୁ ସେଭଳି ଗୁରୁତ୍ୱ ନଦିଆଯିବା ଯୋଗୁଁ ଚାଷ ଲାଭଦାୟକ ହେଲାନାହିଁ; ଫଳରେ ଚାଷ ପ୍ରତି ଲୋକେ ବିମୁଖ ହେଲେ। ୧୯୬୧ରେ ୭୫.୯ ଶତାଂଶ ଲୋକେ କୃଷିରେ ନିୟୋଜିତ ଥିବାବେଳେ ତାହା ଏବେ ହ୍ରାସ ପାଇ ୪୫ ଶତାଂଶରେ ପହଞ୍ଚିଛି। ହିସାବ ଯାହା ବାହାରିଛି ପ୍ରତିଦିନ ୨୦୩୫ ଜଣ ଚାଷ ଛାଡ଼ି ବିକଳ୍ପ ବେଉସା ଖୋଜୁଛନ୍ତି। ଜାତୀୟ ଅପରାଧ ପଞ୍ଜୀକରଣ ବ୍ୟୁରୋ (ଏନ.ସି.ଆର.ବି) ତଥ୍ୟ ଅନୁସାରେ ଆମ ଦେଶରେ ଗତ ୨୫ ବର୍ଷରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଆତ୍ମହତ୍ୟା କରିଛନ୍ତି।

୨୦୧୪ ନିର୍ବାଚନରେ ଜେନେଟିକ୍‍ ବୈଜ୍ଞାନିକ ଏମ.ଏସ. ସ୍ୱାମୀନାଥନଙ୍କ ରିପୋର୍ଟ ଭିତ୍ତିରେ ଚାଷୀର ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ଦେବାର ଘୋଷଣା କରି ବିଜେପି ଚାଷୀଙ୍କ ଭୋଟକୁ ହାତେଇଥିଲା; କିନ୍ତୁ କ୍ଷମତାକୁ ଆସିବାର ୬ ବର୍ଷ ପରେ ପ୍ରତିଶ୍ରୁତି ପାଳନ ତ ଦୂରର କଥା, ଅଂଶୀଦାରଙ୍କ ସହ ବ୍ୟାପକ ବିଚାରବିମର୍ଶ ବିନା ଗତ ସେପ୍ଟେମ୍ବର ୨୨ରେ ତିନିଟି କୃଷି ଆଇନ ସରକାର ଗୃହୀତ କଲେ। କୃଷି ରାଜ୍ୟ ସରକାରଙ୍କ ବିଷୟ ହୋଇଥିଲେ ବି ରାଜ୍ୟଗୁଡ଼ିକୁ ଭରସାକୁ ନନେଇ କାହିଁକି କେନ୍ଦ୍ର ସରକାର ତରବରିଆ ଭାବେ ଗୃହୀତ କରାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୂତନ କୃଷି ଆଇନ କୃଷକଙ୍କ ମନରେ ସଂଶୟ ଆଣିଛି ଯେ ଚାଷ ଯାହା ବି ଟିକେ ଥିଲା ସେସବୁ ଦେଶୀ-ବିଦେଶୀ ପୁଞ୍ଜିପତିଙ୍କ ନିୟନ୍ତ୍ରଣକୁ ଚାଲିଯିବ ଓ ସେଥିପାଇଁ ସେମାନେ ଆଜି ଆନ୍ଦୋଳନରେ। ନୂତନ କୃଷି ଆଇନକୁ ବିରୋଧ କରି ଏନ.ଡି.ଏ.ର ଅଂଶୀଦାର ଦଳ ଶିରୋମଣି ଅକାଳୀ ଦଳ ସମର୍ଥନ ପ୍ରତ୍ୟାହାର କରିଥିବା ବେଳେ ହରିୟାଣା ସରକାରରେ ଥିବା କିଛି ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ତାଙ୍କ ପଦ୍ମବିଭୂଷଣ ସମ୍ମାନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ସୁଖଦେବ ସିଂହ ଧିଣ୍ଡସା ପଦ୍ମଭୂଷଣ ସମ୍ମାନ ଫେରାଇଛନ୍ତି। ଦେଶର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ, ସିନେ ତାରକା, କ୍ରୀଡ଼ାବିତ୍‌ ପ୍ରମୁଖ ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ କାନାଡ଼ା, ବ୍ରିଟେନରେ ଆନ୍ଦୋଳନ ସମର୍ଥନରେ ପଟୁଆର ଦେଖିବାକୁ ମିଳୁଛି। ଆନ୍ଦୋଳନକୁ ଗୌଣ କରିବାକୁ ଶାସକ ଦଳ ନେତା କୃଷକ ଆନ୍ଦୋଳନ ବିରୋଧୀଙ୍କ ପ୍ରରୋଚନାରେ କରାଯାଇଛି ବୋଲି କହିବା ଓ କିଏ କିଏ ଆନ୍ଦୋଳନକାରୀଙ୍କୁ ଖଲିସ୍ତାନୀ, ମାଓବାଦୀ ଆଦି ଟିପ୍ପଣୀ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କୃଷି ଆଇନ କୃଷକ ସପକ୍ଷରେ ବୋଲି ସରକାର ଦାବି କରୁଥିବାବେଳେ କୃଷକମାନେ ଏହାର ବିପରୀତ ବୋଲି କାହିଁକି କହୁଛନ୍ତି ଓ ହାଡଭଙ୍ଗା ଶୀତରେ ଦିଲ୍ଲୀ ସୀମାରେ ଖୋଲା ଆକାଶ ତଳେ ଦୀର୍ଘ ୧୩ ଦିନ ଧରି ଆନ୍ଦୋଳନରେ ବସିଛନ୍ତି, ସେ ନେଇ ଆଲୋଚନା ଜରୁରୀ।

ପ୍ରଥମ ଆଇନରେ ରହିଛି ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ‘କୃଷିଜାତ ଦ୍ରବ୍ୟ ବିପଣନ କମିଟି (ଏ.ପି.ଏମ.ସି.)’ ବାହାରେ, ଏପରି କି ରାଜ୍ୟ ବାହାରେ ମଧ୍ୟ ବିକ୍ରି କରିପାରିବ। ସରକାର ଯଦିଚ ମୌଖିକ ଭାବେ କହୁଛନ୍ତି ‘ସର୍ବନିମ୍ନ ସହାୟକ ମୂଲ୍ୟ’ (ଏସ.ଏସ.ପି) ପୂର୍ବବତ୍‍ ରହଛି; କିନ୍ତୁ ଆଇନରେ କିଛି ଉଲ୍ଲେଖ କରାଯାଇନାହିଁ। ଚାଷୀଙ୍କ କହିବା କଥା ପୂର୍ବ ଆଇନରେ ଲିଖିତ ଏମ.ଏସ.ପିର ଗ୍ୟାରେଣ୍ଟି ଥିବା ସତ୍ତ୍ବେ ସବୁ ଚାଷୀ ମଣ୍ଡିରେ ଦେବାର ସୁଯୋଗ ନପାଇ ଖୋସାମତ କରି ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ବେଳେ ନୂଆ ଆଇନ କିଭଳି ଚାଷୀର ସ୍ୱାର୍ଥକୁ ସୁରକ୍ଷା ଦେବ! ରାଜ୍ୟସ୍ତରୀୟ ପଞ୍ଜିକୃତ ମଣ୍ଡି ଓ ଏମ.ଏସ.ପି.ର ଗ୍ୟାରେଣ୍ଟି ପୂର୍ବ ଆଇନରେ ଥିବା ସତ୍ତ୍ବେ ପଞ୍ଜାବ, ହରିଆଣାର ୧୨ ଶତାଂଶ ଧାନ ଓ ୩୦ ଶତାଂଶ ଗହମ ଏ ସୁଯୋଗରୁ ବଞ୍ଚିତ ହୁଏ। ସେହିପରି ଆନ୍ଧ୍ର, ତେଲଙ୍ଗାନା, ଓଡ଼ିଶା, ଉତ୍ତର ପ୍ରଦେଶର ୫୬ ଶତାଂଶ ଧାନ ମଣ୍ଡି ବାହାରେ ଫୋପଡ଼ାଫିଙ୍ଗା ଦରରେ ବ୍ୟବସାୟୀଙ୍କୁ ବିକ୍ରି ହୁଏ। କାରଣ ଚାଷୀ ନିଜ ଖର୍ଚ୍ଚରେ ତା’ ଉତ୍ପାଦିତ ଦ୍ରବ୍ୟକୁ ମଣ୍ଡି ପର୍ଯ୍ୟନ୍ତ ନିଏ; ସପ୍ତାହସପ୍ତାହ ଧରି ଅପେକ୍ଷା କଲେ ବି ମଣ୍ଡିରେ ଦେବାର ସୁଯୋଗରୁ ବଞ୍ଚିତ ହୁଏ। କ୍ଷୁଦ୍ର ଚାଷୀମାନେ ତାଙ୍କର କମ ଉତ୍ପାଦନକୁ କିଭଳି ଅନ୍ୟ ରାଜ୍ୟରେ ବିକ୍ରି କରିବେ ଓ ସେ ସଂପର୍କରେ କେଉଁଠୁ ଖବର ବା ସହଯୋଗ ପାଇବେ ତାହା ଅତ୍ୟନ୍ତ ସଂଶୟପୂର୍ଣ୍ଣ; ବରଂ ଏହି ଆଇନ ବଳରେ ପୁଞ୍ଜିପତି ଚାଷୀର ଦ୍ରବ୍ୟକୁ କମ ଦାମ୍‌ରେ ମୂଲଚାଲ କରି ହାତେଇ ପାରିବେ। ଏମ.ଏସ.ପି. ଆଇନରେ ଉଲ୍ଲେଖ ନହେବା ଫଳରେ ସରକାର ଆଇନଗତ ଭାବେ ଦାୟିତ୍ୱରୁ ମୁକ୍ତ ହୋଇଗଲେ ଏବଂ ମହଜୁଦକାରୀ ଓ ମୁନାଫାଖୋର ବ୍ୟବସାୟୀ ଏହାର ଫାଇଦା ଉଠାଇବେ ବୋଲି ଚାଷୀଙ୍କ ଯୁକ୍ତି। ସରକାର ଚାଷୀଙ୍କଠାରୁ ସଂଗ୍ରହ ନ କଲେ ୨୦୧୩ର ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେଥିବା ଦେଶବାସୀଙ୍କୁ ରିଆତି ମୂଲ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟଦ୍ରବ୍ୟ ଯୋଗାଇଦେବାର ଯେଉଁ ବ୍ୟବସ୍ଥା ଅଛି ତାହା ବିଫଳ ହେବ। ବିଶ୍ୱରେ କ୍ଷୁଧା ସୂଚକାଙ୍କରେ ୧୧୭ ଦେଶ ମଧ୍ୟରେ ଆମର ଲଜ୍ଜାଜନକ ସ୍ଥାନ ଯେଉଁ ୧୦୨ ରହିଛି ତାହା ଆହୁରି ଦୟନୀୟ ସ୍ଥିତିକୁ ଖସିଆସିବ। ତେଣୁ ଏହି ପରିବର୍ତ୍ତିତ ଆଇନ ଯୋଗୁଁ ଚାଷୀ, ଖାଉଟି, ଜାତୀୟ ଖାଦ୍ୟ ସୁରକ୍ଷା ବଳୟରେ ଥିବା ହିତାଧିକାରୀ କ୍ଷତିଗ୍ରସ୍ତ ହେବେ ଓ କେବଳ ମୁନାଫାଖୋର ବ୍ୟବସାୟୀ ଲାଭବାନ ହେବେ।

ଦ୍ୱିତୀୟ ଆଇନ ‘ଫାର୍ମର୍ସ (ଏମ୍ପାୱାରମେଣ୍ଟ ଏଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ ପ୍ରାଇସ ଆସୁରାନସ ଏଣ୍ଡ ଫାର୍ମ ସର୍ଭିସେସ ଆକ୍ଟ’ ଫଳରେ ଚାଷ ମୁନାଫାଖୋର ବଜାର ନିୟନ୍ତ୍ରଣକୁ ଚାଲିଯିବ ଓ ଚୁକ୍ତିଭିତ୍ତିକ ଚାଷର ଦ୍ୱାର ଉନ୍ମୁକ୍ତ ହୋଇଯିବ। ଚୁକ୍ତିଭିତ୍ତିକ ଚାଷ ଯୋଗୁଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସର୍ବସ୍ୱାନ୍ତ ହେବେ। ଜାତୀୟ ସର୍ବେକ୍ଷଣ ସଂସ୍ଥା ତଥ୍ୟ ଅନୁଯାୟୀ ୧୧.୨୪ ଶତାଂଶ ଗ୍ରାମୀଣ ପରିବାର ହାତରେ କୌଣସି ଚାଷଜମି ନଥିବା ବେଳେ ୪୦.୧୧ ଶତାଂଶ ପରିବାର ହାତରେ ଏକ ଏକରରୁ କମ ଜମି ରହିଛି। ସମୁଦାୟ ଚାଷୀଙ୍କ ୮୬ ଶତାଂଶ ହେଉଛନ୍ତି କ୍ଷୁଦ୍ର ଓ ଛୋଟ ଚାଷୀ ଯାହାଙ୍କ ହାତରେ ୨ ହେକ୍ଟରରୁ କମ ଚାଷ ଜମି ରହିଛି। ଏହିଭଳି ଚାଷୀ ଓ ଭାଗଚାଷୀ ଅଧିକ କ୍ଷତିଗ୍ରସ୍ତ ହେବେ, କାରଣ ଏମାନଙ୍କର ମୂଲଚାଲ କରିବାର କ୍ଷମତା ନାହିଁ କି ତାଙ୍କ ଉତ୍ପାଦିତ ଦ୍ରବ୍ୟ ମୁନାଫାଖୋର ବ୍ୟବସାୟୀଙ୍କୁ ପ୍ରଭାବିତ କରିପାରିବ ନାହିଁ। ଚୁକ୍ତିରେ ଚାଷ କରୁଥିବା ବ୍ୟବସାୟୀ ଆମ ଦେଶର ଚାହିଦା ଓ ଆବଶ୍ୟକତାକୁ ବିଚାର କରି ଚାଷ କରିବେ ନାହିଁ ବରଂ ଯେଉଁ ଫସଲ ତାଙ୍କୁ ଅଧିକ ଲାଭ ଦେବ ସେଭଳି ଚାଷ ପାଇଁ ସେମାନେ କୃଷକଙ୍କୁ ପ୍ରୋତ୍ସାହନ ଦେବେ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସରକାର ବିଦେଶରୁ ଆମଦାନୀ କରିବେ ଓ ଆମର ଗଚ୍ଛିତ ବୈଦେଶିକ ମୁଦ୍ରା ହ୍ରାସ ଘଟିବ। ବିଶ୍ୱର ବିଭିନ୍ନ ଦେଶରେ ହୋଇଥିବା ଚୁକ୍ତିଭିତ୍ତିକ ଚାଷର ଅନୁଭୂତି ଅତ୍ୟନ୍ତ ନୈରାଶ୍ୟଜନକ। ଆମ ଦେଶରେ ୨୦୦୧ରେ ଆଇ.ଟି.ସି. କମ୍ପାନୀ ସୋୟାବିନ ଚାଷୀଙ୍କୁ ଯେଭଳି ଅଡୁଆରେ ପକାଇଛି ଓ ପେପ୍‌ସି କମ୍ପାନୀ ବିଲାତି ବାଇଗଣ ଚାଷୀଙ୍କୁ ଯେଉଁ ହରଡଘଣାରେ ପକାଇଥିଲା ତାହା କାହାକୁ ଅଛପା ନାହିଁ। ତାଇୱାନ ୨୦୦୨ରେ ବିଶ୍ୱ ବାଣିଜ୍ୟିକ ସଙ୍ଗଠନ ସହ ସାମିଲ ପରେ ବିଦେଶୀ ଧାନ ଆମଦାନୀ ହେବା ପରେ ଚୁକ୍ତିରେ ଚାଷ କରିଥିବା ଧାନ ଚାଷୀଙ୍କ ଆଖିରୁ ଆଜିଯାଏ ଲୁହ ଶୁଖିନାହିଁ।

ତୃତୀୟ ଆଇନ ‘ଦି ଏସେନସିଆଲ କମୋଡିଟି (ଆମେଣ୍ଡମେଣ୍ଟ) ଆକ୍ଟ ଅର୍ଥାତ୍‍ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ସଂଶୋଧନ କରିବା ଫଳରେ ବ୍ୟବସାୟୀଙ୍କୁ ମହଜୁଦ କରିବାର ସୀମା କୋହଳ ହେଲା; ଫଳରେ ବଜାରରେ କୃତ୍ରିମ ଅଭାବ ଦେଖାଦେବ ଓ ଖାଉଟି ହନ୍ତସନ୍ତ ହେବେ। ପ୍ରକାଶଯୋଗ୍ୟ ଯେ ଏହି ଆଇନ ପରିବର୍ତ୍ତନ ପରଠାରୁ ଆଳୁ ଓ ପିଆଜ ଖାଉଟିଙ୍କ ଅପହଞ୍ଚରେ। ଏହି ଆଇନ ପରିବର୍ତ୍ତନ ଫଳରେ ୧୯୫୫ ଆଇନ ଅନୁସାରେ ୨୩ଟି ଅତ୍ୟାବଶ୍ୟକ ସାମଗ୍ରୀ ଏମ.ଏସ.ପି. ପାଇବେ ନାହିଁ କି ସରକାରଙ୍କର ଦରଦାମ ନିୟନ୍ତ୍ରଣ ଦାୟିତ୍ୱ ରହିଲା ନାହିଁ। ଫଳରେ ଆମ ଆମଦାନୀ ଓ ରପ୍ତାନି ବେଶ୍‌ ପ୍ରଭାବିତ ହେବ। ଏହି ଆଇନ ମହଜୁଦକାରୀ ଓ କଳାବଜାରୀଙ୍କ ଲୁଟ ପାଇଁ ରାଜରାସ୍ତା ତିଆରି କରିଦେଲା ବୋଲି ଚାଷୀଙ୍କ ଯୁକ୍ତି।

ଏହି ତିନିଟି ଆଇନ ବାଦ୍‍ ବିଦ୍ୟୁତ୍‍ ସଂଶୋଧନ ଆଇନ-୨୦୨୦ ଫଳରେ ବିଦ୍ୟୁତ୍‌ ସେବା ଘରୋଇକରଣ ହେବ ଓ ଚାଷୀଙ୍କ ଉପରେ ବିଦ୍ୟୁତ୍‍ର ମହଙ୍ଗା ବୋଝ ପଡିବ। ସବୁଠୁ ଦୁଃଖର କଥା ଏହି ଆଇନ ପରେ ଚାଷୀ-ବ୍ୟବସାୟୀଙ୍କ ମଧ୍ୟରେ କୌଣସି ବିବାଦ ଉପୁଜିଲେ ତାହା ବର୍ତ୍ତମାନର ଠକାମି ଅପରାଧ ଭଳି ବିଚାର ନହୋଇ ସମାଧାନ ପାଇଁ ପ୍ରଶାସନକୁ ନ୍ୟସ୍ତ କରାଯାଇଛି। ପ୍ରଥମେ ସବଡିଭିଜନାଲ ମାଜିଷ୍ଟ୍ରେଟ ଓ ପରେ ଉପଜିଲାପାଳ ବା ଜିଲାପାଳଙ୍କ ତତ୍ତ୍ୱାବଧାନରେ କମିଟି ଗଠନ ହେବ। ଆମ ପ୍ରଶାସନ ମୁନାଫାଖୋର ବ୍ୟବସାୟୀଙ୍କୁ କିଭଳି କରାୟତ୍ତ କରିବ ତାହା ଅତ୍ୟନ୍ତ ସନ୍ଦେହପୂର୍ଣ୍ଣ।

ଯଦି ବାସ୍ତବରେ ସରକାର ଚାଷୀଙ୍କ ଦୁଃସ୍ଥିତି ସୁଧାରିବାକୁ ଇଚ୍ଛୁକ ତେବେ ତୁରନ୍ତ ଏହି ବିବାଦୀୟ ଆଇନଗୁଡ଼ିକ ପ୍ରତ୍ୟାହାର କରିବା ସହିତ ଭୂସଂସ୍କାର, ଆନୁଷ୍ଠାନିକ ଋଣ, ଶୀତଳ ଭଣ୍ଡାର, ଜଳସେଚନ ବ୍ୟବସ୍ଥା, କୃଷିଭିତ୍ତିକ ଶିଳ୍ପ ଆଦିରେ ସକାରାତ୍ମକ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ। କୃଷି ଯେହେତୁ ସର୍ବାଧିକ ନିଯୁକ୍ତିଦାତା, ତା’ର ବିକାଶ ହେଲେ ବ୍ୟାପକ ରୋଜଗାର ସୃଷ୍ଟି ହେବା ସହ ଚାଷୀ, ଖାଉଟି, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀ ସମସ୍ତେ ଉପକୃତ ହେବେ।

Comments are closed.