ସିଦ୍ଧୁଙ୍କୁ ବିଜେପିର ପ୍ରଶ୍ନ : ନାନକାନା ସାହିବ ଗୁରୁଦ୍ଵାର ଆକ୍ରମଣକୁ ନେଇ ଚୁପ କାହିଁକି?

ନୂଆଦିଲ୍ଲୀ : ପାକିସ୍ତାନସ୍ଥିତ ନାନକାନା ସାହିବ ଗୁରୁଦ୍ଵାର ଉପରେ ଆକ୍ରମଣ ଘଟଣାକୁ ସାରା ଭାରତରେ କଡ଼ା ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ କଂଗ୍ରେସ ଦଳ ଓ କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରାଯାଇଛି। ଏପର୍ଯ୍ୟନ୍ତ ଏହି ମାମାଲାରେ ସିଦ୍ଧୁ କଣ ପାଇଁ ଚୁପ ରହିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଶନିବାର ବିଜେପି ନେତ୍ରୀ ମିନାକ୍ଷୀ ଲେଖି ସିଦ୍ଧୁଙ୍କୁ ପ୍ରଶ୍ନ କରି କହିଛନ୍ତି, କଣ ଏବେ ମଧ୍ୟ ସିଦ୍ଧୁ ଆଇଏସଆଇ ମୁଖ୍ୟକୁ ଆଲିଙ୍ଗନ କରିବେ?
ଏହା ସହିତ ମିନାକ୍ଷୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ନାନକାନା ସାହିବ ଗୁରୁଦ୍ଵାର ଉପରେ ଆକ୍ରମଣକୁ ନେଇ କଂଗ୍ରେସ ମଧ୍ୟ ଏପର୍ଯ୍ୟନ୍ତ କଣ ପାଇଁ ଚୁପ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଆଣିବା ଆବଶ୍ୟକ। ନାନକାନା ସାହିବ ଗୁରୁଦ୍ଵାର ଘଟଣା ଏହା ପ୍ରମାଣ କରିଥିବା ସେ କହିଛନ୍ତି। ସିଏଏକୁ ବିରୋଧ କରୁଥିବା ଲୋକଙ୍କୁ ଏହା ବୁଝିବାର ଆବଶ୍ୟକତା ରହିଛି ବୋଲି ମିନାକ୍ଷୀ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ, ପାକିସ୍ତାନସ୍ଥିତ ଗୁରୁଦ୍ଵାର ନାନକାନା ସାହିବ ଉପରେ ସ୍ଥାନୀୟ ଲୋକେ ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣ କରିଥିଲେ। ସ୍ଥାନୀୟ ମୁସଲମାନମାନେ ଗୁରୁଦ୍ଵାର ଭିତରେ ବଳପୂର୍ବକ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ରିପୋର୍ଟ ଅନୁଯାୟୀ ଗତବର୍ଷ ଅଗଷ୍ଟରେ ଗୁରୁଦ୍ଵାରର ପୂଜକଙ୍କ ଝିଅ ଜଗଜୀତ କୌରଙ୍କୁ ଅପହରଣ ପରେ ଧର୍ମାନ୍ତରୀକରଣ କରାଯାଇଥିଲା। ପରେ ଜଗଜୀତଙ୍କୁ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ସହିତ ବିବାହ କରାଯାଇଥିଲା। ଜଗଜିତଙ୍କୁ ଅପହରଣ ଓ ଧର୍ମାନ୍ତରୀକରଣକୁ ଶିଖ୍‌ମାନେ ବିରୋଧ କରିବାରୁ ଗୁରୁଦ୍ଵାରରେ ଭଙ୍ଗାରୁଜା କରାଯାଇଥିବା ଜଣାଯାଇଛି।

Comments are closed.