କୋଟିଆ କାହାର? ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ତରଫରୁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରାଯିବା ପ୍ରତିବାଦରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି ଶୁକ୍ରବାର ଦିନ ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌. ଖାଣ୍ଡିଲକର ଓ ବିଚାରପତି ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠରେ ହେବାକୁ ଧାର୍ୟ୍ୟ ହୋଇଛି। କୋଟିଆ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶକୁ ଦଳମତ ନିର୍ବିଶେଷରେ ରାଜ୍ୟରେ ସମସ୍ତେ ବିରୋଧ କରୁଥିବା ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ରାଜ୍ୟବାସୀଙ୍କ ନଜର ରହିଛି। ତେବେ ଓଡ଼ିଶା ସରକାରଙ୍କ ତରଫରୁ ଦାଖଲ ଅଦାଲତ ଅବମାନନା ମାମଲାର ଆଇନଗତ ବୈଧତାକୁ ଆନ୍ଧ୍ର ପ୍ରଦେଶ ତରଫରୁ ପ୍ରଶ୍ନ କରାଯିବା ପରେ ଅଡ଼ୁଆ ପରିସ୍ଥିତି ଆହୁରି ବଢ଼ି ଯାଇଛି। ଆନ୍ଧ୍ର ତରଫରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରିସୀମା ବାବଦରେ କୁହାଯାଇଛି ଯେ ୨୦୦୬ ରାୟରେ ସୁପ୍ରିମକୋର୍ଟ ନିଜେ ମାନିଛନ୍ତି ଯେ ଓଡ଼ିଶା ସରକାରଙ୍କ ତରଫରୁ ୧୯୬୮ରେ ଆଗତ ଓରିଜିନାଲ ସୁଟ ବିଚାର ଅଧିକାର କୋର୍ଟଙ୍କ ପାଖରେ ନାହିଁ। କୋଟିଆ ଅଞ୍ଚଳରେ ସ୍ଥିତାବସ୍ଥା ଜାରି ରଖିବାକୁ ଉଭୟ ପକ୍ଷଙ୍କ ସହମତିକୁ ନ୍ୟାୟାଳୟ ସେତେବେଳେ ରେକର୍ଡ ଭୁକ୍ତ କରିଥିଲେ। ଯେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ନିର୍ଦେଶନାମା ଜାରି କରିନାହାନ୍ତି ସେତେବେଳେ ଅଦାଲତ ଅବମାନନା କୁଆଡ଼ୁ ଆସିଲା ବୋଲି ଆନ୍ଧ୍ର ତରଫରୁ ପ୍ରଶ୍ନ କରାଯାଇଛି। ଓଡ଼ିଶାର ଆବେଦନ ବିଚାର ଯୋଗ୍ୟ ନୁହେଁ ଦର୍ଶାଇ ମାମଲାକୁ ଖାରଜ କରିବା ଲାଗି ଆନ୍ଧ୍ର ପ୍ରଦେଶ ସରକାର କୋର୍ଟଙ୍କୁ ନିବେଦନ କରିଛନ୍ତି।

ସୁପ୍ରିମକୋର୍ଟରେ ମାମଲା ଶୁଣାଣି ପୂର୍ବରୁ ଓଡ଼ିଶା ସରକାରଙ୍କ ଅଧିକାରୀଗଣ ଗୁରୁବାର ଦିନ ୧ଟା ବେଳେ କୋଟିଆ ଅଞ୍ଚଳରେ ଓଡ଼ିଶା ଅଧିକାର ସଂପର୍କିତ ବହୁ ତଥ୍ୟ ଓ ଦସ୍ତାବିଜ ସାଙ୍ଗରେ ଧରି ଦିଲ୍ଳୀରେ ଆସି ପହଞ୍ଚିଛନ୍ତି। ଓକିଲ ଟିମ ଏବଂ ଅଧିକାରୀ ମାନେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିବେ। ଆଇନ ବିଶେଷଜ୍ଞଙ୍କ ମତରେ ଓଡ଼ିଶା ସରକାର ତରବର ନହୋଇ ପ୍ରତ୍ୟେକ ପଦକ୍ଷେପକୁ ଭାବି ଚିନ୍ତି ନେବାକୁ ପଡ଼ିବ। ଶୁକ୍ରବାର ଶୁଣାଣିରେ ଅଦାଲତ ଅବମାନନା ମାମଲା ବିଚାର ଯୋଗ୍ୟ କି ନୁହେଁ କୋର୍ଟ ସ୍ଥିର କରିବେ। କୋଟିଆ ଭଳି ସମ୍ବେଦଳଶୀଳ ମାମଲାରେ ଆନ୍ଧ୍ରକୁ ପ୍ରତିଉତ୍ତର ଦେବାକୁ ଅଧିକ ମହଲତ ମାଗି ଓଡ଼ିଶା ସରକାର ହାତରେ ଅଧିକ ସମୟ ଲୋଡ଼ିପାରନ୍ତି ବୋଲି ଆଶା କରାଯାଉଛି। ତଥ୍ୟ ଓ ଦସ୍ତାବିଜ ଅନୁଧ୍ୟାନ କରିବାକୁ ନିଶ୍ଚିତ ଭାବେ ସମୟ ଲାଗିବ। ସୁପ୍ରିମକୋର୍ଟ ଶୁଣାଣିର ମାତ୍ର ଗୋଟିଏ ଦିନ ପୂର୍ବରୁ ସମସ୍ତ ତଥ୍ୟ ଓ ଦସ୍ତାବିଜକୁ ଅନୁଧ୍ୟାନ କରି କୋର୍ଟରେ ଉପସ୍ଥାପନ କରିବା ସମ୍ଭବ ନୁହେଁ। ଅନ୍ୟପଟେ ଦେଖିବାକୁ ଗଲେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆର ତିନୋଟି ଗ୍ରାମରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରି ସାରିଛନ୍ତି। ପ୍ରତିଉତ୍ତର ଦାଖଲ କରିବାକୁ ତିନି ଚାରି ସପ୍ତାହ ମହଲତ ମିଳିଲେ ଓଡ଼ିଶା ସରକାର ସଠିକ୍‍ ଢ଼ଙ୍ଗରେ ଠିକଣା ଭାବେ ରାଜ୍ୟର ପକ୍ଷ ନ୍ୟାୟାଳୟରେ ଉପସ୍ଥାପନ କରିପାରିବେ ବୋଲି ଆଇନଜୀବୀ ମହଲରୁ କୁହାଯାଉଛି।

Comments are closed.