୨ୟ ପେସ୍‌ ବୋଲର ସ୍ଥାନ ପାଇଁ ସିରାଜ୍-ଈଶାନ୍ତ ମୁକାବିଲା

ଚେନ୍ନଇ : ଭାରତୀୟ କ୍ରିକେଟ୍‌ ଦଳର ଅଷ୍ଟ୍ରେଲିଆ ଗସ୍ତରେ ଯେପରି ଖେଳାଳି ନିୟମିତ ଆହତ ହୋଇଥିଲେ ; ଆଗରୁ କେବେ ଦେଖା ଯାଇନଥିଲା। ପରୋକ୍ଷରେ ଏହା ଭାରତୀୟ ଦଳ ପାଇଁ ଆଶୀର୍ବାଦ ପରି ହୋଇଥିଲା। ନିୟମିତ ତଥା ପ୍ରମୁଖ ଖେଳାଳିଙ୍କ ସ୍ଥାନରେ ନବାଗତ ଖେଳାଳି ଖେଳିଥିଲେ ଏବଂ ଆଶାତୀତ ପ୍ରଦର୍ଶନ କରି ପାରିଥିଲେ। ଫଳରେ ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲ୍ଆଉଟ ହୋଇ ପରାସ୍ତ ହେବା ପରେ ମଧ୍ୟ ନବାଗତ ଖେଳାଳିଙ୍କୁ ନେଇ ଭାରତ ୨ଟି ଟେଷ୍ଟମ୍ୟାଚ୍‌ ଜିତି ସିରିଜ୍ ହାତେଇ ପାରିିଥିଲା। ଅଷ୍ଟ୍ରେଲିଆ ଗସ୍ତରୁ ଭାରତକୁ ମିଳିଥିବା ନୂଆ ପ୍ରତିଭାଙ୍କ ମଧ୍ୟରେ ଅଛନ୍ତି ପେସ୍ ବୋଲର ମହମ୍ମଦ ସିରାଜ୍। ଅଷ୍ଟ୍ରେଲିଆରେ ତାଙ୍କ ପ୍ରଦର୍ଶନ ବଳରେ ଏବେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ଖେଳିବା ପାଇଁ ପ୍ରବଳ ଦାବିଦାର ହୋଇଛନ୍ତି ସିରାଜ୍। ଆସନ୍ତା ୫ରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍‌ ଆରମ୍ଭ ହେଉଥିବା ବେଳେ ଏହି ମ୍ୟାଚ୍‌ରେ ୨ୟ ପେସ୍ ବୋଲର ଭାବେ ଖେଳିବାକୁ ସିରାଜ୍ ଓ ଅଭିଜ୍ଞ ଈଶାନ୍ତ ଶର୍ମାଙ୍କ ମଧ୍ୟରେ ମୁକାବିଲା ହେବାକୁ ଯାଉଛି।
ସୂଚନାଯୋଗ୍ୟ; ପାରମ୍ପରିକ ଭାବେ ଚେନ୍ନଇର ପିଚ୍ ସ୍ପିନ୍ ବୋଲିଂ ପାଇଁ ସହାୟକ ହୋଇଥାଏ। ତେଣୁ ଭାରତ ପ୍ରଥମ ଟେଷ୍ଟରେ ୨ ଜଣ ପେସ୍ ବୋଲର ଓ ୩ ଜଣ ସ୍ପିନରଙ୍କୁ ଖେଳାଇପାରେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଏହା ପାରମ୍ପରିକ ଚେପକ୍ ୱିକେଟ୍‌। ଏଥିରେ ଇଂଲଣ୍ଡର ପିଚ୍‌ର କୌଣସି ଗୁଣ ନାହିଁ। ଏବେ ଚେନ୍ନଇ ବାତାବରଣରେ କିଛି ଆର୍ଦ୍ରତା ଥିବାରୁ ପିଚ୍‌ରେ ଘାସ ରଖାଯାଇଛି। ଅନ୍ୟଥା ୫ ଦିନ ପର୍ଯ୍ୟନ୍ତ ଏହି ପିଚ୍‌ ରହିବ ନାହିଁ। ପୂର୍ବରୁ ଯେପରି ଚେପକ୍ ଷ୍ଟାଡିୟମ୍‌ର ପିଚ୍ ସ୍ପିନରଙ୍କୁ ସହାୟତା ଦେଉଥିଲା; ଏଥର ମଧ୍ୟ ତାହା ଦେଖିବାକୁ ମିଳିବ। ପ୍ରଥମ ଟେଷ୍ଟରେ ଏପରି ପିଚ୍‌ରେ ଭାରତର ୧ନଂ ପେସ୍ ବୋଲର ଭାବେ ଯଶପ୍ରୀତ୍‌ ବୁମ୍‌ରା ଖେଳିବା ନିଶ୍ଚିତ। ତେବେ ୨ୟ ପେସ୍ ବୋଲର ଭାବେ କିଏ ଖେଳିବେ; ଏହାକୁ ନେଇ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ ଓ ଅଧିନାୟକ ବିରାଟ କୋହଲିଙ୍କୁ ମାନସ ମନ୍ଥନ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଟେଷ୍ଟ ଖେଳିନଥିବା ବୁମ୍‌ରା ଫିଟ୍‌ ହୋଇ ଯାଇଛନ୍ତି ଏବଂ ଭାରତର ପେସ୍ ଆକ୍ରମଣର ନେତୃତ୍ବ ନେବାକୁ ପ୍ରସ୍ତୁତ। ୩୨ ବର୍ଷ ବୟସ୍କ ଈଶାନ୍ତ ଶର୍ମାଙ୍କ ପାଖରେ ବେଶ୍‌ ଅଭିଜ୍ଞତା ଥିଲେ ହେଁ ତାଙ୍କର ସମସ୍ୟା ହେଲା ପ୍ରାୟ ବର୍ଷେ ହେଲା ଈଶାନ୍ତ କୌଣସି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନାହାନ୍ତି। ତାଙ୍କ ତୁଳନାରେ ସିରାଜ୍ ଭଲ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୩ଟି ଟେଷ୍ଟରେ ସିରାଜ୍ ମୋଟ ୧୩ଟି ୱିକେଟ ନେଇଛନ୍ତି। ଗତ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଈଶାନ୍ତ ଦିଲ୍ଲୀ ପାଇଁ ଖେଳି ମୋଟ ୧୪.୧ ଓଭର ବୋଲିଂ କରିଛନ୍ତି। ଜାଣିବାକୁ ମିଳିଛି ଯେ ବୁମ୍‌ରାଙ୍କ ସହ ପ୍ରଥମ ଟେଷ୍ଟରେ କିଏ ନୂଆବଲ୍‌ ବୋଲିଂ କରିବେ; ତାହା ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ ନିର୍ଣ୍ଣୟ କରିବେ। ପୁଣି ଦୁଇ ବିଶେଷଜ୍ଞ ସ୍ପିନର ଭାବେ ରବିଚନ୍ଦ୍ରନ୍ ଅଶ୍ବିନ ଓ କୁଲଦୀପ ଯାଦବଙ୍କ ଖେଳିବା ନିଶ୍ଚିତ ହୋଇଥିବା ବେଳେ ୩ୟ ସ୍ପିନର ବାଛିବା ମଧ୍ୟ ଭାରତ ପାଇଁ କଷ୍ଟକର ହୋଇପାରେ। ଭାରତକୁ ଦୁଇ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ୱାଶିଂଟନ ସୁ୍ନ୍ଦର ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ପଡ଼ିବ। ସୁନ୍ଦର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟରେ ଭଲ ବୋଲିଂ କରିଥିଲେ। ସେ ଅର୍ଦ୍ଧଶତକ ହାସଲ କରିବା ସହ ୪ଟି ୱିକେଟ ନେଇଥିଲେ। ତେବେ ଅକ୍ଷର ବାମହାତି ସ୍ପିନର ହୋଇଥିବାରୁ ତାଙ୍କୁ ଖେଳାଇବା କଥା ମଧ୍ୟ ଭାରତୀୟ ଦଳ ମ୍ୟାନେଜମେଣ୍ଟ ବିଚାର କରିପାରେ। ବିଳମ୍ବରେ ଦଳ ସହ ଯୋଗ ଦେଇଥିବାରୁ ବ୍ୟାଟିଂ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ସଂଗରୋଧ ଅବଧି ମଙ୍ଗଳବାର ସରିଛି ଏବଂ ବୁଧବାର ସେ ଅଭ୍ୟାସ ଆରମ୍ଭ କରିବେ। ତେବେ ପ୍ରଥମ ଟେଷ୍ଟରେ ପାଣ୍ଡ୍ୟାଙ୍କ ଖେଳିବା ସମ୍ଭାବନା କମ୍। ପାଣ୍ଡ୍ୟାଙ୍କୁ ଅଧିକ ବୋଲିଂ ଅଭ୍ୟାସକରି ଜଣେ ନିୟମିତ ବୋଲର ଭାବେ ଖେଳିବା ପାଇଁ ଦଳ ମ୍ୟାନେଜମେଣ୍ଟ ତାଙ୍କୁ ପରାମର୍ଶ ଦେଇଛି।

Comments are closed.