ପୁଣି କୋଭିଡ ଲହର ଆସିବା ନେଇ ‘ହୁ’ର ଚେତାବନୀ; ଫେବ୍ରୁଆରୀ ସୁଦ୍ଧା ୟୁରୋପ ଓ କେନ୍ଦ୍ରଏସିଆରେ ୫ ଲକ୍ଷ ଲୋକଙ୍କର ଜୀବନ ଯିବ

ନୂଆଦିଲ୍ଲୀ: ବିଶ୍ୱରେ ମହାମାରୀ କୋଭିଡର ଆଉ ଏକ ଲହର ଆସିବା ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ସଂଗଠନ ପକ୍ଷରୁ କୁହାଯାଇଛି ଯେ ଜନସାଧାରଣଙ୍କୁ କୋଭିଡ ଟିକା ପ୍ରଦାନରେ ବିଳମ୍ବ ଏବଂ କୋଭିଡ ସମ୍ପର୍କିତ ନିର୍ଦ୍ଦେଶାବଳୀକୁ ଜନସାଧାରଣ କଡାକଡି ପାଳନ କରୁନଥିବାରୁ ୟୁରୋପ ଏବଂ କେନ୍ଦ୍ର ଏସିଆରେ ଫେବ୍ରୁଆରୀ ସୁଦ୍ଧା ପ୍ରାୟ ୫ ଲକ୍ଷ ଲୋକ କୋଭିଡରେ ପ୍ରାଣ ହରାଇବେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡା.ହାନ୍ସ କ୍ଲୁଗେ କହିଛନ୍ତି ଯେ, ୟୁରୋପ ଏବଂ କେନ୍ଦ୍ର ଏସିଆ ରାଷ୍ଟ୍ରଗୁଡିକରେ ୯୫% ଲୋକ ଯଦି ତୁଣ୍ଡି ପିନ୍ଧନ୍ତି ତେବେ ସେମାନେ ୫ ଲକ୍ଷ ଲୋକଙ୍କ ମଧ୍ୟରୁ ୧,୮୮,୦୦୦ ଲୋକଙ୍କର ଜୀବନ ବଞ୍ଚାଇପାରିବେ ।
ଗତ ଚାରି ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ନୂଆ କରୋନା ସଂକ୍ରମଣ ମାମଲାରେ ୫୫% ବୃଦ୍ଧି ପରିଲକ୍ଷିତ ହୋଇଛି । ସମୁଦାୟ ବିଶ୍ୱରେ ଯେତିକି କୋଭିଡ ଆକ୍ରାନ୍ତ ରହିଛନ୍ତି, ସେମାନଙ୍କ ମଧ୍ୟରୁ ୫୯% କେବଳ ୟୁରୋପ ଏବଂ କେନ୍ଦ୍ର ଏସିଆ ରାଷ୍ଟ୍ରରେ ରହିଥିବାବେଳେ ସମଗ୍ର ବିଶ୍ୱରେ ହେଉଥିବା କରୋନା ଜନିତ ମୃତ୍ୟୁର ୪୮% ଏହି ରାଷ୍ଟ୍ରଗୁଡିକରେ ଘଟୁଛି । ତେଣୁ କୋଭିଡ ମହାମାରୀର ଆଉ ଏକ ଲହରକୁ ନେଇ ଆମେ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥିତିରେ ରହିଥିବା ଡା. କ୍ଲୁଗେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ୟୁରୋପ ସଂପ୍ରତି ଏହି ମହାମାରୀ ପ୍ରତ୍ୟାବର୍ତ୍ତନର କେନ୍ଦ୍ର ସ୍ଥଳ ପାଲଟିଛି । ଅବଶ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ସଂପ୍ରତି ଏହି ଭୂତାଣୁ ସମ୍ପର୍କରେ ଅଧିକ ଭଲ ଭାବରେ ଜାଣିଛନ୍ତି ଏବଂ ତାହାର ମୁକାବିଲା କରିବାର ଯଥେଷ୍ଟ ସାଧନ ସେମାନଙ୍କ ନିକଟରେ ରହିଛି । ସେ କହିଛନ୍ତି ଯେ, ଯେଉଁସବୁ ସ୍ଥାନରେ ଟିକାକରଣ ହାର କମ୍‍ ରହିଛି, ସେଠାରେ ଅଧିକ ସଂଖ୍ୟାରେ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ୟୁରୋପରେ ସଂପ୍ରତି ପ୍ରତି ସପ୍ତାହରେ ପ୍ରାୟ ୧.୮ ନିୟୁତ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଯାହା ପୂର୍ବ ସପ୍ତାହ ତୁଳନାରେ ୬% ଅଧିକ । ସେହିଭଳି ଏଠାରେ ମୃତ୍ୟୁହାର ମଧ୍ୟ ୧୨% ବୃଦ୍ଧିପାଇଛି ।

Comments are closed.