୧କୋଟି ନିକଟତର ହେଲା ବିଶ୍ବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କୃତ୍ରିମ ଅମ୍ଳଜାନ ଅଭାବ ନେଇ ସତର୍କ କଲା ହୁ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ପାଖାପାଖି ୧୦ ନିୟୁତ (ଏକକୋଟି) ଲୋକଙ୍କୁ ସଂକ୍ରମିତ କଲାଣି କରୋନା ଭୂତାଣୁ। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯.୫ ନିୟୁତ (୯୫ଲକ୍ଷ)ରେ ପହଞ୍ଚିଥିବା ବେଳେ ସଂକ୍ରମଣରେ ଗଡିଲାଣି ୪,୮୨,୯୨୩ ମୁଣ୍ଡ। ସଂକ୍ରମଣ ନିୟନ୍ତ୍ରଣ ପାଇଁ ସବୁସ୍ତରରେ ଜୋରଦାର ଉଦ୍ୟମ ହୋଇଥିଲେ ମଧ୍ୟ ଦିନକୁ ଦିନ ଅଧିକରୁ ଅଧିକ ଲୋକ ମହାମାରୀ କବଳରେ ପଡୁଥିବାରୁ ଆଗାମୀ ଦିନରେ କୃତିମ ଅମ୍ଳଜାନର ଅଭାବ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)। ହଠାତ ସଂକ୍ରମିତଙ୍କ ସଂଖ୍ୟା ଏକଦମ ବୃଦ୍ଧି ପାଇବା କାରଣରୁ ଏବେ ଅମ୍ଳଜାନର ଅଭାବ ପରିଲକ୍ଷିତ ହୋଇଛି। ଏହି ଅଭାବ ପୂରଣ କରିବା ଲାଗି ସଂସ୍ଥା ଉତ୍ପାଦନକାରୀଙ୍କ ଠାରୁ ୧୪,୦୦୦ ଅମ୍ଳଜାନ କନସେନଟ୍ରେଟର କ୍ରୟ କରିଛି। ଏହାକୁ ୧୨୦ଟି ରାଷ୍ଟ୍ର ମଧ୍ୟରେ ବିତରଣ କରାଯିବ।

ଆଗାମୀ ୬ ସପ୍ତାହ ମଧ୍ୟରେ ଆଉ ଅଧିକ ୧,୭୦,୦୦୦ ଅମ୍ଳଜାନ କନସେନଟ୍ରେଟର ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷକରି ଆମେରିକାରେ ସ୍ଥିତି ଆଗାମୀ ଦିନରେ ଆହୁରି ସାଙ୍ଘାତିକ ହୋଇପଡିବ। ଆସନ୍ତା ସପ୍ତାହ ସୁଦ୍ଧା ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ନିୟୁତ ଛୁଇଁବ ବୋଲି ହୁ ମହାନିର୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟେସ୍‌ ଆକଳନ କରିଛନ୍ତି। ଯଦିଓ କୋଭିଡ-୧୯ର ଚିକିତ୍ସା ଲାଗି ଔଷଧ ପ୍ରସ୍ତୁତି ନିମନ୍ତେ ବ୍ୟାପକ ଗବେଷଣା ଜାରି ରହିଛି ତଥାପି ସମ୍ପ୍ରତି ଉପଲବ୍ଧ ସରଞ୍ଜାମ ସହିତ କରୋନା ସଂକ୍ରମଣକୁ ଚପାଇବାକୁ ଉଦ୍ୟମ କରିବାକୁ ହେବ ବୋଲି ସେ କହିଛନ୍ତି।

ସୂଚନାଅନୁସାରେ ଆମେରିକାରେ ପୂର୍ବରୁ କରୋନା ହଟସ୍ପଟ ଥିବା ନ୍ୟୁୟର୍କ ଏବଂ ନ୍ୟୁଜର୍ସିରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଆରିଜୋନା, କାଲିଫର୍ଣ୍ଣିଆ, ମିସିସିପି, ନେଭାଡା. ଟେକ୍ସାସ ଏବଂ ଓକଲାହୋମ ସମେତ ଅନ୍ୟ ବହୁ ରାଜ୍ୟରେ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଛୁଇଁଛି। ଅନ୍ୟ ଦେଶଗୁଡିକରେ ମଧ୍ୟ ସ୍ଥିତି ସାଙ୍ଘାତିକ ରହିଛି। ଉପସାଗରୀୟ ଅଞ୍ଚଳରେ ସଂକ୍ରମଣ ସଂଖ୍ୟା ୪,୦୦,୦୦୦ ଛୁଇଁଥିବା ବେଳେ ବ୍ରିଟେନ ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ରହିବା ଉଚିତ ହେବ ବୋଲି ଡାକ୍ତରମାନେ ସତର୍କ କରିଛନ୍ତି।

Comments are closed.