ଦିନକ ପରେ ସରିବ ଅନଲକ୍ ୧.୦: ରାଜ୍ୟ ସରକାରଙ୍କ ପରବର୍ତୀ ପଦକ୍ଷେପ ଉପରେ ନଜର

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ରବିବାର ରାଜ୍ୟରେ ୨୬୪ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ୨୩୪ ଜଣ ଠାବ ହୋଇଥିବାବେଳେ ୩୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଆଜି ୩ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨୧ ଛୁଇଁଛି ।  ସଂପ୍ରତି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୬୧୪ରେ ପହଞ୍ଚିଛି । ଅବଶ୍ୟ ଏମାନଙ୍କ ମଧ୍ୟରୁ ୪୬୦୬ ଜଣ ସୁସ୍ଥ ହେବା ଆଶ୍ବସ୍ତିର ବିଷୟ । କିନ୍ତୁ ବର୍ଧିତ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ରାଜ୍ୟରେ କରୋନା କଟକଣା ପୁଣି କଡ଼ାକଡ଼ି ହେବାର ଆଶଙ୍କା ସୃଷ୍ଟି କରିଛି । ଆଉ ଦିନକ ପରେ ଅନଲକ୍ ୧.୦ ଶେଷ ହେବାକୁ ଯାଉଛି । ଏହି ପରିସ୍ଥିତିରେ ସରକାର କ’ଣ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏପରିକି ପୁନର୍ବାର ରାଜ୍ୟରେ କଟକଣା କଡ଼ାକଡ଼ି ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି ।

କରୋନା ସଂକ୍ରମଣ ଓ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ପାଦେ ଆଗରେ ବୋଲି କୁହାଯାଉଛି । ଏପରିକି ଦଳ ପକ୍ଷରୁ ଅନ୍ୟ ରାଜ୍ୟ ସହ ଓଡ଼ିଶାର ତୁଳନାତ୍ମକ ସ୍ଥିତି ଉଲ୍ଲେଖ କରି ଟ୍ବିଟର ହ୍ୟାଣ୍ଡଲରେ ଏହାକୁ ସ୍ଥାନ ଦିଆଯାଇଛି ।

ବିଜେଡି କହିଛି  ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ଅଛି । ମୃତ୍ୟୁସଂଖ୍ୟା ବି ଅନ୍ୟ ରାଜ୍ୟ ତୁଳନାରେ କମ୍‌ ଅଛି ।ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଉଛନ୍ତି ।  ଜୁଲାଇ ମାସ ସଂକ୍ରମଣ ରୋକିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାସ । କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସବୁଠୁ ଭଲ କାମ କରିଆସିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରୋନା ନିମନ୍ତେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ନିମନ୍ତେ ନିୟମିତ ସେମାନଙ୍କ ସହ ବାର୍ତାଳାପ କରୁଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ କରୋନ ଯୋଦ୍ଧାଙ୍କ ନିଷ୍ଠା ଓ ସେବାକୁ ସ୍ମରଣ କରି ସେମାନଙ୍କ ତ୍ୟାଗକୁ ସ୍ବୀକୃତି ଦେଇ ନିଜ ଟ୍ବିଟରରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଅପରପକ୍ଷରେ  ସରକାର କୋଭିଡ୍ ମୁକାବିଲା ପାଇଁ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଦେଶପାଇଁ ରୋଲ୍ ମଡେଲ୍ ହୋଇଛି । ସରକାର ତରବରିଆ ଭାବେ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ସାଧାରଣ ଲୋକଙ୍କ ସ୍ୱର୍ଥକୁ ବିଚାର କରି ସରକାର ସବୁବେଳେ ନିଷ୍ପତ୍ତି ନିଅନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି ।

ମାତ୍ର ସରକାର ଓ ସରକାରୀ ଦଳର ପଦକ୍ଷେପ ସହ ଏକମତ ହୋଇ ପାରିନାହାନ୍ତି ବିରୋଧୀ । ସରକାର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିରୋଧୀଙ୍କ ସହ ଆଲୋଚନା କରିବା ଆବଶ୍ୟକ ଏବଂ ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ପଦକ୍ଷେପ ଗ୍ରହଣ କରିବା ଉପରେ ମତ ରଖିଛନ୍ତି । କେବଳ ସଟ୍ଡ଼ାଉନ କରିବା ଦ୍ବାରା ସମସ୍ୟା ସମାଧାନ ହେବ ନାହିଁ । ଏଥିପାଇଁ ବାସ୍ତବଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି । କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବିରୋଧ କରି କଂଗ୍ରେସ ନେତୃତ୍ବରେ ୧୩ଟି ବିରୋଧୀ ଦଳ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ପଦକ୍ଷେପ ସେମାନେ ଗ୍ରହଣ କରିପାରୁ ନାହାନ୍ତି ।

ସେହିପରି ବିଜେପି ମଧ୍ୟ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ସରକାର ବାସ୍ତବଧର୍ମୀ ହେବାକୁ ପରାମର୍ଶ ଦେଇଛି । ରାଜ୍ୟବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଦଳ ପକ୍ଷରୁ କୁହାଯାଇଛି । ବର୍ତମାନ ଯେଉଁ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ସେପରି ହେଲେ ଜୁଲାଇ ଶେଷ ବେଳକୁ ପରିସ୍ଥିତି ଗୁରୁତର ହେବା ଆଶଙ୍କା କରିଛି ଦଳ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ତେଲଙ୍ଗାନା ପରି ରାଜ୍ୟରେ ଲକ୍ଡ଼ାଉନ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କର୍ଣ୍ଣାଟକ ସରକାର ଓଡ଼ିଶା ପରି ସପ୍ତାହାନ୍ତ ସଟ୍ ଡ଼ାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରି ସ୍ଥିତିରେ ଜୁନ୍ ପରି ଜୁଲାଇ ମାସରେ ଓଡ଼ିଶାରେ ସପ୍ତାହାନ୍ତ ସଟ୍ଡ଼ାଉନ ଅବ୍ୟାହତ ରହିପାରେ ବୋଲି ଚର୍ଚା ଚାଲିଛି ।

Comments are closed.