ପଶ୍ଚିମ ଓଡ଼ିଶା ବିକାଶ ପରିଷଦ – ୧୬ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ବାକି

ସମ୍ବଲପୁର: ସମ୍ବଲପୁର ଜିଲାକୁ ୨୦୦୦-୨୦୦୧ରୁ ୨୦୨୧ ମସିହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ସକାଶେ ୧୯୫.୧୭ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ୧୭୯.୬୩ କୋଟି ଖର୍ଚ୍ଚ ହୋଇଛି ଏବଂ ୧୬.୧୪ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର (ୟୁସି) ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି। ପରିଷଦ ପାଣ୍ଠିରୁ ମଞ୍ଜୁର ଅର୍ଥରେ ପ୍ରକଳ୍ପ ଗୁଡ଼ିକ ବହୁକାଂଶରେ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ତାହାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଉନାହିଁ। କେତେକ କ୍ଷେତ୍ରରେ ପ୍ରକଳ୍ପ ଆଦୌ ଆରମ୍ଭ ହୋଇ ପାରିନାହିଁ। ନୂତନ ପ୍ରକଳ୍ପ ସକାଶେ ପାଣ୍ଠି ଅଭାବ ଥିବାବେଳେ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ପଡ଼ି ରହିଥିବା ଚିନ୍ତାର କାରଣ।

ସମ୍ବଲପୁର ଜିଲା ପାଇଁ ୨୦୦୦-୨୦୦୧ରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ୩୭୦୩ଟି ପ୍ରକଳ୍ପ ସକାଶେ ୧୯୫.୧୭ କୋଟି ଟଙ୍କା ମଞ୍ଜୁର ହୋଇ ନିର୍ବାହୀ ସଂସ୍ଥାକୁ କାର୍ଯ୍ୟ ସକାଶେ ୧୯୧.୭୩ କୋଟି ଟଙ୍କା ଦିଆଯାଇଛି। ତେବେ ୩୫୭୪ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିବା ସ୍ଥଳେ ୧୨୯ଟି ଆରମ୍ଭ କରାଯାଇନାହିଁ। ଆରମ୍ଭ ହୋଇନଥିବା ପ୍ରକଳ୍ପ ମଧ୍ୟରେ କେବଳ ୨୦୨୦-୨୦୨୧ ଆର୍ଥିକ ବର୍ଷର ୮୩ଟି ପ୍ରକଳ୍ପ ରହିଛି।

ସୂଚନା ଅନୁଯାୟୀ, ୨୦୦୮-୦୯ରେ ୧ କୋଟି ୨୧ ଲକ୍ଷ ୫୫ ହଜାର ଟଙ୍କା, ୨୦୦୯-୧୦ରେ ୩ କୋଟି ୪୭ ଲକ୍ଷ ୯୪ ହଜାର ଟଙ୍କା, ୨୦୧୧-୧୨ରେ ୧ କୋଟି ୬ ଲକ୍ଷ ୪୧ ହଜାର ଟଙ୍କା, ୨୦୧୩-୧୪ରେ ୨ କୋଟି ୩୭ ଲକ୍ଷ ୨ ହଜାର ୬୬୧ ଟଙ୍କା, ୨୦୧୪-୧୫ରେ ୧ କୋଟି ୨୩ ଲକ୍ଷ ୬୭ ହଜାର ୫ ଶହ ଟଙ୍କା ଓ ୨୦୧୭-୧୮ ମସିହାରେ ୧୨ କୋଟି ୪୧ ଲକ୍ଷ ୯୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ କେତେକାଂଶରେ ବିନିଯୋଗ ପ୍ରମାଣପତ୍ର ଦାଖଲ କରାଯାଇନଥିବା ଜଣାପଡ଼ିଛି।

Comments are closed.