କରୋନା ମାଡ଼ରେ ନ୍ୟାୟ ବିଳମ୍ବିତ, ପଶ୍ଚିମ ଓଡ଼ିଶାରେ ଗଡ଼ୁଛି ୩.୭୫ ଲକ୍ଷ ମାମଲା

ସମ୍ବଲପୁର: କରୋନା କେବଳ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରିନାହିଁ; ନ୍ୟାୟିକ ପ୍ରକ୍ରିୟାକୁ ମଧ୍ୟ ବିଳମ୍ବ କରି ଦେଇଛି। ଗତ ପ୍ରାୟ ୨୦ ମାସ ଧରି କରୋନା ମହାମାରୀ ଯୋଗୁଁ ଅଦାଲତ ବନ୍ଦକୁ ନେଇ ଲକ୍ଷ ଲକ୍ଷ ମାମଲା ବିଭିନ୍ନ ଜିଲାର ଅଦାଲତମାନଙ୍କରେ ଗଡ଼ୁଛି। ପୂର୍ବରୁ ପଶ୍ଚିମ ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ଯୋଗୁଁ ଅଦାଲତ କାର୍ୟ୍ୟରେ ବାଧା ସହ ବହୁ ମାମଲା ପଡି ରହିଥିବାବେଳେ କରୋନା ମାଡ଼ ଏହାକୁ ବହୁଗୁଣିତ କରିଛି। ଅଦାଲତ ମାନଙ୍କରେ ମାମଲାର ପାହାଡ଼ ଛିଡ଼ା ହେଲାଣି। ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ନ୍ୟାୟ ବିଳମ୍ବିତ ହେଉଛି। ଏକ ତଥ୍ୟ ଅନୁଯାୟୀ ଶନିବାର ସୁଦ୍ଧା ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ପ୍ରାୟ ୩.୭୫ ଲକ୍ଷ ମାମଲା ବିଭିନ୍ନ ଅଦାଲତରେ ଗଡ଼ୁଛି।

ସ୍ଥାୟୀ ବେଞ୍ଚ ଆନ୍ଦୋଳନ ସମୟରେ ଅଦାଲତ ମାନଙ୍କରେ ଶୁଣାରି ମନ୍ଥର ଗତିରେ ଚାଲିଥିବାବେଳେ ମାର୍ଚ୍ଚ ୨୦୨୦ରୁ ସମସ୍ତ ସ୍ଥାନରେ ତାଲା ବନ୍ଦ ଓ ସମ୍ପୂର୍ଣ୍ଣ ବନ୍ଦ ଯୋଗୁଁ ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ କାରାଗାରରେ ହଜାର ହଜାର ସଂଖ୍ୟାରେ କଏଦୀ ଆବଦ୍ଧ ହୋଇ ରହିଛନ୍ତି। କରୋନା ସମୟରେ ଆଭାସି ଜରିଆରେ ଖୁବ୍‌ କମ୍‌ ସଂଖ୍ୟକ ଅତି ଜରୁରୀ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବିଳମ୍ବ ହେଉଥିବାରୁ ଅପରାଧ ପ୍ରମାଣିତ ହେବାପୂର୍ବରୁ କାରାଗାରର ଚାରିକାନ୍ଥ ମଧ୍ୟରେ ଅନେକ କଏଦୀ ରହିବା ପାଇଁ ବାଧ୍ୟ ହୋଇଛନ୍ତି। କଏଦୀ ସଂଖ୍ୟା ବୃଦ୍ଧି ପରେ କାରାଗାର ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା ସମ୍ଭବ ନହେବାରୁ ଛୋଟ ମାମଲାରେ ଥିବା କଏଦୀମାନଙ୍କୁ ୨୦୨୦ ମସିହା ଜୁନ-ଜୁଲାଇ ଏବଂ ୨୦୨୧ ମସିହା ମେ ମାସରେ ଛୁଟିରେ ଛଡ଼ା ଯାଇଥିଲା। ତେବେ, ସେମାନେ ନିୟମିତ ଭାବରେ ନିକଟସ୍ଥ ଥାନାରେ ଉପସ୍ଥାନ ଦେଉଥିଲେ। ପ୍ରତିଦିନ ଅପରାଧିକ ମାମଲା ବୃଦ୍ଧି ପାଉଥିବା ବେଳେ କାରାଗାରରେ କଏଦୀ ସଂଖ୍ୟା ବୃଦ୍ଧି ପାଉଛି ଏବଂ ପଞ୍ଜିକୃତ ମାମଲା ସଂଖ୍ୟା ମଧ୍ୟ ବଢ଼ୁଛି। ଜାତୀୟ ୱେବସାଇଟ୍‌ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଶନିବାର ସୁଦ୍ଧା ୨ ଲକ୍ଷ ୯୪,୫୮୩ଟି ଦେୱାନୀ ମାମଲା ଓ ୧୧,୭୯,୩୬୩ଟି ଫୌଜଦାରୀ ମାମଲା ମୋଟ ୧୪,୭୩,୯୪୬ଟି ମାମଲା ବିଚାରାଧୀନ ରହିଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ୪୪ ହଜାର ୯୪୩ଟି ଦେୱାନୀ ଓ ୩ ଲକ୍ଷ ୩୦ ହଜାର ୭୮୧ଟି ଫୌଜଦାରୀ ସହ ମୋଟ ୩ ଲକ୍ଷ ୭୫ ହଜାର ୬୯୪ଟି ମାମଲା ବିଚାରାଧୀନ ଥିବା ଜଣାପଡ଼ିଛି।

Comments are closed.