ପଶ୍ଚିମବଙ୍ଗରେ ହାରିଲେ ଟ୍ରମ୍ପଙ୍କ ଭଳି ଅବସ୍ଥା ହେବ; ପରସ୍ପରଙ୍କୁ ଆକ୍ଷେପ କରୁଛନ୍ତି ବିଜେପି ଓ ଟିଏମସି

ମହେଶ ଶର୍ମା

କଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ବିଜେପି ଏବଂ ଟିଏମସି ଟ୍ରମ୍ପଙ୍କୁ ନିର୍ବାଚନୀ ଅସ୍ତ୍ର କରିଛନ୍ତି। ଏଠାରେ ନିର୍ବାଚନରେ ଯେଉଁ ଦଳ ପରାଜିତ ହେବ, ସେହି ଦଳ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଭଳି ବ୍ୟବହାର କରିବ, ଯେମିତି ଟ୍ରମ୍ପ ଏବେ ଆମେରିକାରେ ବ୍ୟବହାର କରୁଛନ୍ତି। ବିଜେପି ଏବଂ ଟିଏମସି ନେତାମାନେ ପରସ୍ପରକୁ ଏଭଳି ଆକ୍ଷେପ କରୁଥିବା ଦେଖାଯାଇଛି।

ବିଜେପିର ରାଜ୍ୟ ସଭାପତି ଦିଲୀପ ଘୋଷ ପ୍ରଥମେ ଏପରି କଟାକ୍ଷ କରିଥିଲେ। ଏକ ସଭାରେ ସେ କହିଥିଲେ ଯେ, ନିର୍ବାଚନରେ ପରାଜୟ ଲାଭ କରିବା ପରେ ମମତା ଏବଂ ତାଙ୍କ ଟିଏମସି ଦଳର ଅବସ୍ଥା ସେମିତି ହେବ, ଯେମିତି ପରାଜୟ ପରେ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କର ହୋଇଛି। ଟିଏମସି ପରାଜିତ ହେଲେ ବି ଏହାକୁ ମମତା କିମ୍ବା ତାଙ୍କ ସମର୍ଥକମାନେ କେହି ଗ୍ରହଣ କରିବେ ନାହିଁ

ଦିଲୀପ ଘୋଷଙ୍କ ଏହି ମନ୍ତବ୍ୟର ଜବାବ ଦେଇ ମମତା ନଦିଆ ଜିଲାରେ ଏକ ନିର୍ବାଚନୀ ସଭାରେ କହିଛନ୍ତି, ପରାଜୟ ପରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଭଳି ବ୍ୟବହାର କରିବେ ।

ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏବେ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଟିଏମସି ଏବଂ ବିଜେପି ପରସ୍ପର ବିରୋଧରେ ନିର୍ବାଚନ ବିଗୁଲ ବଜାଇ ଦେଇଛନ୍ତି। ଉଭୟ ଦଳ ନିର୍ବାଚନୀ ସଭା ଆରମ୍ଭ କରିଦେଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାମାନେ ‘ବନ୍ଦେ ମାତରଂ’ ଏବଂ ‘ଭାରତ ମାତା କୀ ଜୟ’ ନାରା ଦେଇ ରାଲି କରୁଛନ୍ତି। ସେପଟେ ଟିଏମସି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଯୁବ କାର୍ଯ୍ୟକର୍ତ୍ତାମାନେ ବାଇକ୍‌ ରାଲି କରୁଛନ୍ତି। ମମତା ବି ବିଭିନ୍ନ ସଭାରେ ଯୋଗଦେଉଛନ୍ତି

ବିଜେପି ଏବଂ ଟିଏମସି, ଉଭୟ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। କଲକାତା ଏବଂ ଆଖପାଖର ଲୋକଙ୍କ ସହ ଆଲୋଚନାବେଳେ ଜଣାପଡ଼ିଛି ଯେ, ଏଥର ନିର୍ବାଚନରେ ମୁଖ୍ୟତଃ ବିଜେପି ଏବଂ ଟିଏମସି ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। କଂଗ୍ରେସ ଏବଂ ବାମଦଳଗୁଡ଼ିକୁ ନେଇ ଗଠିତ ମେଣ୍ଟର ପ୍ରଚାର ଧିମା ଗତିରେ ଚାଲିଛି। ଟିଏମସି ଏବଂ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେବ। ମୁସଲିମ ଅଞ୍ଚଳରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀଙ୍କ ପାର୍ଟି ସକ୍ରିୟ ରହିବ।

ମମତା ବାନାର୍ଜୀ ଏହି ନିର୍ବାଚନକୁ ‘ବାହାର ଲୋକ ବନାମ ବଙ୍ଗାଳୀ ଅସ୍ମିତା’ ଦିଗକୁ ନେଇଯାଇଥିବାବେଳେ ବିଜେପି ମମତାଙ୍କ ବିରୋଧରେ ପଶ୍ଚିମବଙ୍ଗ ଏବଂ ଏହାର ଐତିହ୍ୟକୁ ବନ୍ଧା ପକାଇବାର ଅଭିଯୋଗ ଆଣିଛି। ବିଜେପି ନୂଆ ରାଜନୈତିକ ସମୀକରଣ ତିଆରି କରିବା ଲାଗି ଯଥାସମ୍ଭବ ପ୍ରୟାସ କରୁଛି। ବିଜେପି ବଙ୍ଗଳାର ଗୌରବ, ରୋଜଗାର ଏବଂ ଆଇନଶୃଙ୍ଖଳା ବ୍ୟବସ୍ଥା ସହିତ ଚାଉଳ ପ୍ରସଙ୍ଗ ଉଠାଉଛି। ଏଥିପାଇଁ ବିଜେପି ବିଶେଷଜ୍ଞ ଟିମ୍‌କୁ ପଶ୍ଚିମବଙ୍ଗ ପଠାଇଛି। ଏଥିରେ ଡାକ୍ତର, ଇଞ୍ଜିନିୟର, ଓକିଲ, ପ୍ରଫେସର ସାମିଲ ଅଛନ୍ତି। ଏମାନେ ଲୋକଙ୍କଠାରୁ ମତାମତ ସଂଗ୍ରହ କରି ରିପୋର୍ଟ ଦଳୀୟ ନେତୃତ୍ବଙ୍କୁ ପ୍ରଦାନ କରିବେ। ଏପ୍ରିଲ-ମେ ମାସରେ ନିର୍ବାଚନ ହେବାର ସମ୍ଭାବନା ଥିବାବେଳେ ବିଜେପି ୨୦୦ ଶାସନ ଜିତିବାର ଲକ୍ଷ୍ୟ ରଖିଛି।

Comments are closed.