ପ୍ରଦେଶ ମହିଳା କଂଗ୍ରେସର ନବନିଯୁକ୍ତ ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ଶ୍ରୀମତୀ ବନ୍ଦିତା ପରିଡାଙ୍କୁ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ସୋମବାର ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ ସୁଭଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ମହିଳା କଂଗ୍ରେସ କର୍ମକର୍ତ୍ତାଗଣ ଶ୍ରୀମତୀ ପରିଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଲେ ଯେ ଆଗାମୀ ଦିନରେ ମହିଳା କଂଗ୍ରେସ ସଂଗଠିତ ହୋଇ କାର୍ଯ୍ୟ କରିପାରିଲେ କଂଗ୍ରେସ ଦଳ ସୁଦୃଢ଼ ହୋଇପାରିବ।

ବର୍ତ୍ତମାନ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ, ଶିଶୁ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସେହିପରି ରନ୍ଧନ ଗ୍ୟାସର ଅତ୍ୟଧିକ ମୂଲ୍ୟ ବୃଦ୍ଧି ମହିଳାମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି। ଏସବୁ ଘଟଣାକୁ ମହିଳା କଂଗ୍ରେସ ଦୃଢ଼ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ମହିଳାମାନଙ୍କୁ ତୃଣମୂଳ ସ୍ତରରୁ ଅଧିକ କ୍ରୀୟାଶୀଳ କରିବା ପାଇଁ ସେ ଉପାଦେୟ ପରାମର୍ଶମାନ ଦେଇଥିଲେ ।
ନବନିଯୁକ୍ତ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବନ୍ଦିତା ପରିଡା ନିଜ ଅଭିଭାଷଣରେ କହିଲେ ଯେ ଆମ୍ଭମାନଙ୍କୁ ଆଗକୁ ବହୁ କାର୍ଯ୍ୟ କରିବାର ବାକି ଅଛି। ସେଥିପାଇଁ ଆମେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରି ପାରିଲେ ଦଳ ସଫଳତା ଲାଭ କରିବା।
ଏହି ବୈଠକରେ ଅଖିଳ ଭାରତ ଯୁବ କଂଗ୍ରେସର ଓଡିଶା ପ୍ରଭାରୀ ସୁଶ୍ରୀ ପ୍ରତିଭା ରଘୁବଂଶୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ମହିଳା ନେତ୍ରୀ କୁସୁମ ପ୍ରଧାନ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ସ୍ୱାଧିନବାଳା ଦାସ, ଶୈଳବାଳା ଜେନା, ରେଣୁବାଳା ରାଉତ, ପ୍ରତିମା ମଲ୍ଲିକ, ଅନ୍ନପୂର୍ଣ୍ଣା ସାହୁ, ମଧୁମିତା ସେଠୀ, ସ୍ମୃତିରେଖା ପହି, ଗୀତାଞ୍ଜଳି ମହାନ୍ତି, ପ୍ରଜ୍ଞା ପରମିତା ମହାନ୍ତି, ଅର୍ଚ୍ଚନା ନନ୍ଦୀ, ସ୍ୱରୂପା ତ୍ରିପାଠୀ, ନିରୁପମା ପାତ୍ର, ରୀତାଶ୍ରୀ ମହାନ୍ତି, ସୁଲୋଚନା ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ମହିଳା କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ରତ୍ନମଣି ଉଲାକା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.