ପ୍ରବାସୀ ଫେରନ୍ତାଙ୍କୁ ସହୃଦୟତାରେ ସ୍ୱାଗତ କରନ୍ତୁ

ମିଳିମିଶି କରିବା କୋରୋନାର ମୁକାବିଲା

କୋରୋନା ଭୂତାଣୁ ମହାମାରୀ ପ୍ରାୟ ଦୁଇ ମାସ ପୁରିଲାଣି। ତାଲାବନ୍ଦ ହେଲାଣି ଦୁଇ ଥର। ଏ ସମୟ ଭିତରେ ଆମେ ନାହିଁ ନଥିବା, ଜୀବନରେ କେବେ ଜାଣିଶୁଣି ନଥିବା ଅସୁବିଧାକୁ ଭୋଗୁଛୁ। ସରକାର ଓ ବିଶେଜ୍ଞଙ୍କ ପରାମର୍ଶ ମାନି ଧୈର୍ଯ୍ୟ ଓ ସାହାସର ସହିତ ପରିସ୍ଥିତିକୁ ସାମ୍ନା କରିବା ଏବଂ ନିଜକୁ ସମ୍ଭଳିବା ପାଇଁ ଆମେ ନିବେଦନ କରିଥିଲୁ। ସମସ୍ତଙ୍କ ସହଯୋଗ ହେତୁ ଆମ ରାଜ୍ୟର ପରିସ୍ଥିତି ଅନ୍ୟମାନଙ୍କ ଠାରୁ ଅପେକ୍ଷାକୃତ ଭଲ ଅଛି।

ଏବେ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ। ଅଗ୍ନିପରୀକ୍ଷାର ବେଳ! ରାଜ୍ୟ ବାହାରେ ଥିବା ପ୍ରାୟ ୫ ଲକ୍ଷରୁ ଅଧିକ ଲୋକ, କିଏ ଚାଲି ଚାଲି, କିଏ ସାଇକେଲ୍‍ରେ, କିଏ ବସ୍‍ ଯୋଗେ ତ’ ଆଉ କିଏ ଡଙ୍ଗାରେ ଶହ ଶହ କିଲୋମିଟର ପାର ହୋଇ ଭୋକ ଉପାସରେ ନିଜ ଭିଟାମାଟିକୁ ଫେରି ଆସୁଛନ୍ତି। ସେମାନେ ପ୍ରକୃତରେ କିଏ? ସମସ୍ତେ ଆମ ଅଂଚଳର, ଆମ ଗାଁର, ଆମ ସାହିପଡିଶା, ପରିବାର, ଜ୍ଞାତିକୁଟିମ୍ବ ଲୋକ। ଦୂର ରାଜ୍ୟକୁ ଯାଇଥିଲେ ଦି’ ପଇସା ରୋଜଗାର କରିବେ; ଘରକୁ ପଠାଇଲେ ଘର ଚଳିବ; ଋଣ ଶୁଝା ହେବ; ଭାଇଭଉଣୀ, ଝିଅର ବାହାଘର ହେବ; ଅଧା ଖଣ୍ଡିଆ ଘରଟି ସମ୍ପୂର୍ଣ୍ଣ ହେବ; ଭାଙ୍ଗିଯାଇଥିବା ଘର ଖଣ୍ଡିକ ମରାମତି ହେବ; ବନ୍ଧା ପଡିଥିବା ଗହଣା; ଜମି ଖଣ୍ଡିକ ମୁକୁଳିବ; ପିଲାମାନଙ୍କ ପାଠପଢା ଖର୍ଚ୍ଚ ତୁଲାଇହେବ।

ଏବେ ସେଠି ରୋଜଗାରର ସବୁ ବାଟ ବନ୍ଦ। ବିକଳରେ ଘରକୁ ଫେରୁଛନ୍ତି। ୧୫ ଦିନ ସେମାନଙ୍କର ରହିବା, ଖାଇବା ଇତ୍ୟାଦି ବୁଝିବା ପାଇଁ ସରକାର ପଂଚାୟତମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଆମେ ଜାଣିଛେ ସବୁ ଜାଗାରେ ପଂଚାୟତମାନେ ଏ କାମ ତୁଲାଇବା କଷ୍ଟକର। ସେହି ସବୁ ପଂଚାୟତରେ ଆମେ ଏକାଠି ହୋଇ ପଂଚାୟତ ପ୍ରତିନିଧି ଓ ଅଧିକାରୀମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା। ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ଶିକ୍ଷା କର୍ମୀଙ୍କ ଠାରୁ ଆରମ୍ଭ କରି ନର୍ସ, ଡାକ୍ତର, ଅନେକ ସ୍ୱେଚ୍ଛାସେବୀ ନିଜ ଜୀବନକୁ ପାଣି ଛଡେଇ ମହାମାରୀକୁ ସମ୍ଭାଳିବା ପାଇଁ ଦିନରାତି ଲାଗିଛନ୍ତି। ଆମେ କ’ଣ ଆମ ନିଜ ଲୋକମାନଙ୍କୁ ସମ୍ଭାଳି ପାରିବା ନାହିଁ? ବିଶେଷଜ୍ଞଙ୍କ କଥା ମାନି ବାରମ୍ବାର ହାତ ସାବୁନ୍‍ରେ ସଫା କରିବା, ଆଖି, ନାକ ଓ ପାଟିରେ ମୁଖା ପିନ୍ଧିବା ଏବଂ ଯେଉଁମାନେ ପାଖକୁ ଆସୁଛନ୍ତି ତାଙ୍କୁ ମୁଖା କିଣି କିମ୍ବା ନିଜ ଘରେ ସଫା କପଡାରେ ମୁଖା ତିଆରି କରି ଉପାହାର ଦେବା। ଫେରନ୍ତା ପ୍ରବାସୀଟି କେଉଁ ଜାତିର, କେଉଁ ଧର୍ମର ଓ କେଉଁ ବର୍ଣ୍ଣର ଆଦି ଭଳି ବାଛବିଚାର କରିବା ନାହିଁ। ଆମ ସମସ୍ତଙ୍କ କେବଳ ଗୋଟିଏ ପରିଚୟ- ଆମେ ମଣିଷ; କେବଳ ଗୋଟିଏ ମନ୍ତ୍ର, ତାହା ହେଲା ମାନବିକତା। ଏହି ଅସାଧାରଣ ସମୟରେ ପରଆପଣା ଭୁଲି ସମସ୍ତଙ୍କ ସହ ମିଶି ଏହି ଲଢେଇକୁ ସାମ୍ନା କରିବା। ନିଜ ନିଜ ଘରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ପୃଥକ ବାସରେ ରହିବା ଏବଂ ଗାଁକୁ, ଘରକୁ ଫେରିଥିବା ପ୍ରବାସୀଙ୍କୁ ଖୁସିରେ ସ୍ୱାଗତ କରିବା ।

ଆମର ବିନମ୍ର ନିବେଦନ, ଗ୍ରାମବାସୀ ଓ ଘର ଲୋକ ସେମାନଙ୍କୁ ଆଦରର ସହ ଗ୍ରହଣ କରନ୍ତୁ ଯେପରିକି ସେମାନେ ରୋଜଗାର ହରାଇ ଫେରିଆସିବାର କଷ୍ଟ ଭୁଲି ନିଜ ଲୋକଙ୍କ ମଧ୍ୟରେ ଖୁସିରେ ରହିପାରିବେ। ଏହି ପରିସ୍ଥିତିରେ ଧୈର୍ଯ୍ୟ, ସାହସ, ସଜାଗତା ଓ ସତର୍କତାର ଆବଶ୍ୟକତା ରହିଛି କାରଣ ଜଣଙ୍କର ସାମାନ୍ୟତମ ତ୍ରୁଟି ଶହଶହ ଲୋକଙ୍କର ଜୀବନକୁ ବିପଦାପର୍ଣ୍ଣ କରିଥାଏ। ଡରିବା ନାହିଁ; ହାରିବା ନାହିଁ।

ଓଡିଶା ସିଟିଜେନ୍‍ ଆକ୍ସନ୍‍ ଗ୍ରୁପ୍‍ ଅନ୍‍ କରୋନା ପକ୍ଷରୁ ଏହି ନିବେଦନ କରାଯାଇଛି।

Comments are closed.