ରୁପା ଧରି ସ୍ବଦେଶ ଫେରିଲେ ସୁନାଝିଅ ମୀରାବାଈ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍‌ସରେ ଭାରତକୁ ପ୍ରଥମ ପଦକ ଜିତାଇଥିବା ସାଇଖୋମ୍‌ ମୀରାବାଈ ଚାନୁ ସୋମବାର ସନ୍ଧ୍ୟାରେ ସ୍ବଦେଶ ଫେରିଛନ୍ତି। ନୂଆଦିଲ୍ଲୀ ବିମାନ ବନ୍ଦରରେ ମୀରାବାଈଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ, ସାଇ ଓ ଭାରତୀୟ ଭାରୋତ୍ତୋଳନ ମହାସଂଘର ବହୁ ଅଧିକାରୀ ମୀରାବାଈଙ୍କ ସ୍ବାଗତ ପାଇଁ ବିମାନ ବନ୍ଦରରେ ଅପେକ୍ଷା କରିଥିଲେ। ସେମାନେ ମୀରାବାଈଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ବିମାନ ବନ୍ଦରରେ ମୀରାବାଈଙ୍କ ବାଧ୍ୟତାମୂଳକ ଆର୍‌ଟି-ପିସିଆର୍‌ ପରୀକ୍ଷା କରା ଯାଇଥିଲା।
କରତାଳି ଓ ହର୍ଷନାଦରେ ବିମାନ ବନ୍ଦର ଫାଟି ପଡ଼ିଥିଲା। ପ୍ରଥମେ ବିମାନ ବନ୍ଦରର କର୍ମଚାରୀ, ଆସୁଥିବା ଏବଂ ବିମାନକୁ ଅପେକ୍ଷା କରିଥିବା ଯାତ୍ରୀ ‘ଭାରତ ମାତା କି ଜୟ’ ଧ୍ବନୀରେ ବିମାନ ବନ୍ଦରକୁ ପ୍ରକମ୍ପିତ କରିଥିଲେ। ସୁରକ୍ଷାକର୍ମୀ ସ୍ବତନ୍ତ୍ର କର୍ଡନ୍‌ରେ ମୀରାବାଈଙ୍କୁ ବିମାନ ବନ୍ଦର ବାହାରକୁ ଆଣିଥିଲେ। ବାହାରକୁ ଆସିବା ବେଳେ ମୀରାବାଈଙ୍କ ଗଳାରେ କିନ୍ତୁ ସେ ଜିତିଥିବା ରୌପ୍ୟପଦକ ନ ଥିଲା। ବାହାରେ ମୀରାବାଈ କହିଥିଲେ, ଏତେ ଭଲପାଇବା ଓ ସମର୍ଥନ ମଧ୍ୟରେ ସ୍ବଦେଶ ଫେରିବାକୁ ନେଇ ବହୁତ ଖୁସି। ସମସ୍ତଙ୍କୁ ବହୁତ ଧନ୍ୟବାଦ। ଅଲିମ୍ପିକ୍‌ସ ପୂର୍ବରୁ ଆମେରିକାରେ ତାଲିମ ନେବା ପଦକ ଜିତାଇବାରେ ସହାୟକ ହୋଇଛି। ପ୍ରତିଯୋଗିତା ପୂର୍ବରୁ ମନରେ ଚାପ ରହିଥିଲେ ହେଁ ଏହାକୁ ଭୁଲିବାକୁ ପ୍ରୟାସ କରିଥିଲି। ୨୦୧୬ରୁ ଅଲିମ୍ପିକ୍‌ ପଦକ ପାଇଁ ପ୍ରସ୍ତୁତି କରୁଥିଲି। ମୁଁ ଓ ମୋ ପ୍ରଶିକ୍ଷକ ବିଜୟ ଶର୍ମା ଟୋକିଓ ଅଲିମ୍ପିକ୍‌ସ ପାଇଁ ୫ ବର୍ଷ ଉତ୍ସର୍ଗ କରିଛୁ। ବହୁତ କଠିନ ପରିଶ୍ରମ ଓ ତ୍ୟାଗ କରିଛୁ। ମୀରାବାଈ ଶନିବାର ମହିଳା ୪୯ କିଗ୍ରା ବର୍ଗରେ ଭାରତକୁ ଐତିହାସିକ ରୌପ୍ୟପଦକ ଜିତାଇଥିଲେ। ପ୍ରଥମ ଭାରତୀୟ ମହିଳା ଭାବେ ମୀରାବାଈ ଅଲିମ୍ପିକ୍‌ସରେ ଭାରୋତ୍ତୋଳନ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଥିଲେ। ୨୦୦୦ ସିଡ୍‌ନୀ ଅଲିମ୍ପିକ୍‌ସରେ ଭାରତର କର୍ଣ୍ଣମ୍ ମାଲେଶ୍ବରୀ ବ୍ରୋଞ୍ଜ୍‌ ପଦକ ଜିତିବ​‌ାର ୨୧ ବର୍ଷ ପରେ ମୀରାବାଈ ଭାରୋତ୍ତୋଳନରେ ପଦକ ଜିତିଛନ୍ତି। ମୀରାବାଈ ଏହି କୃତିତ୍ବ ବଳରେ ୧୩୦ କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି। ମହିଳା ୪୯ କେଜି ବର୍ଗରେ ମୀରାବାଈ ସ୍ନାଚ୍‌ରେ ୮୭ କିଗ୍ରା ଏବଂ କ୍ଲିନ୍ ଏଣ୍ଡ ଜର୍କରେ ୧୧୫ କିଗ୍ରା ଭାର ଉଠାଇ ମୋଟ ୨୦୨ କେଜି ଭାର ଉଠାଇଥିଲେ।

Comments are closed.