ମଣ୍ଡପ ନିମନ୍ତେ ଏସ୍‌ଓପି, ହେବନି ବିବାହ ଶୋଭାଯାତ୍ରା

– ପୁଲିସ ଓ ବିଏମ୍‌ସିରୁ ନେବେ ଅନୁମତି
– ଲକ୍ଷଣଯୁକ୍ତ, ପିଲା, ବୃଦ୍ଧ, ଗର୍ଭବତୀଙ୍କୁ ମନା
– ମାଦକ ଦ୍ରବ୍ୟ ସେବନ ନିଷିଦ୍ଧ
– ହଲ୍‌ର ୫୦% ହେବ ବ୍ୟବହାର

ଭୁବନେଶ୍ବର: ରାଜଧାନୀରେ କରୋନାର ଦ୍ବିତୀୟ ଲହର ଆଶଙ୍କା ଦେଖାଦେଇଛି। ଶୀତର ପ୍ରକୋପ ବଢ଼ିଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ବିଭିନ୍ନ ଡାକ୍ତର ମତବ୍ୟକ୍ତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି । ଏଥିପାଇଁ ପୂର୍ବରୁ ଜାରି ହୋଇଥିବା ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇ ବିଏମ୍‌ସି ଅଞ୍ଚଳ ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି । ବିଶେଷକରି ବିବାହ ଓ ଶୁଦ୍ଧି କ୍ରିୟାରେ ହେଉଥିବା ଗହଳି କମାଇବା ପାଇଁ ବିଏମ୍‌ସି ଏହି ଏସ୍‌ଓପିରେ ଗୁରୁତ୍ୱ ଦେଇଛି ।
ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନୂଆ ନିୟମ ଅନୁଯାୟୀ, ଭୁବନେଶ୍ୱରରେ ବିବାହ ଉତ୍ସବରେ ୧୦୦ ଜଣଙ୍କୁ ଅନୁମତି ପ୍ରଦାନ କରାଯିବ । ସେହିପରି ଶୁଦ୍ଧି କ୍ରିୟାରେ ୫୦ ଜଣ ସାମିଲ ହେ​‌​‌ବେ । ଜାରି ହୋଇଥିବ ନୂଆ ନିୟମ ଚଳିତ ମାସ ୨୫ରୁ ବିଏମ୍‌ସି ଅଞ୍ଚଳରେ କଡ଼ାକଡ଼ି ପାଳନ ହେବ। ପରବର୍ତ୍ତୀ ଆଦେଶନାମା ଯାଏ ଏହା ବଳବତ୍ତର ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା କଲ୍ୟାଣ ମଣ୍ଡପ, ବିବାହ ହଲ୍ ଇତ୍ୟାଦି ପାଇଁ ବିଏମ୍‌ସି ୧୬ ସୂତ୍ରୀ ମାର୍ଗଦର୍ଶିକା ଜାରି କରିଛି। ଏଥିରେ ଦର୍ଶାଯାଇଛି ଯେ, କଲ୍ୟାଣ ମଣ୍ଡପ/କନ୍‌ଭେନସନ ହଲ/ମ୍ୟାରେଜ୍‌ ହଲ୍‌ରେ କାର୍ଯ୍ୟକ୍ରମ ନିମନ୍ତେ ଥାନା ଏବଂ ବିଏମ୍‌ସି ସ୍ଥାନୀୟ କାର୍ଯ୍ୟାଳୟରୁ ଅନୁମତି ଆଣିବାକୁ ପଡ଼ିବ। କୌଣସି ପ୍ରକାରେ ବିବାହ ଶୋଭାଯାତ୍ରା ନକରିବା ପାଇଁ କୁହାଯାଇଥିବା ବେଳେ କାଶ, ଥଣ୍ଡା, ଜ୍ବର ଆଦି ଲକ୍ଷଣଯୁକ୍ତ, ୧୦ବର୍ଷରୁ କମ୍‌ ବୟସର ପିଲା, ବୃଦ୍ଧ, ଗର୍ଭବତୀ ମହିଳା, ବିଭିନ୍ନ ରୋଗରେ ପୀଡ଼ିତ ଲୋକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ । ଏହାସହ କାର୍ଯ୍ୟକ୍ରମ ସ୍ଥାନର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। କାର୍ଯ୍ୟକ୍ରମରେ ଲୋକଙ୍କ ମଧ୍ୟରେ ୬ଫୁଟ୍‌ର ସାମାଜିକ ଦୂରତା ରହିବା ସହିତ ସେମାନେ ମୁହଁରେ ମାସ୍କ ପରିଧାନ କରିବେ। ମଣ୍ଡପ/ହଲ୍‌ ସ୍ଥଳରେ ସାନିଟାଇଜେସ୍ନ ବ୍ୟବସ୍ଥା କରାଯିବ। କାର୍ଯ୍ୟକ୍ରମ ହଲ୍‌ର ଭିଡ଼ ରହିବ ନାହିଁ। ଅର୍ଥାତ୍‌ ହଲ୍‌ର ସର୍ବାଧିକ ୫୦% ଅଂଶ ଲୋକଙ୍କ ବ୍ୟବହାରରେ ଲାଗିବ। ସେହିପରି ହଲ୍‌ ଭିତରେ ପାନ, ଖୁଟ୍‌ଖା ସେବନ ହେବ ନାହିଁ କି କେହି ଛେପ ପକାଇବେ ନାହିଁ।
ଏସ୍‌ଓପି ଅନୁପାଳନ ନେଇ ସ୍ଥାନୀୟ ପୁଲିସ ଏବଂ ବିଏମ୍‌ସି ମିଳିତ ଭାବେ ଯାଞ୍ଚ କାର୍ଯ୍ୟକ୍ରମ କରିବେ। କଟକଣା ଉଲ୍ଲଘଂନ କଲେ ମଣ୍ଡପ ମାଲିକ ଏବଂ ବ୍ୟକ୍ତିବିଶେଷ ଭିନ୍ନ ଭାବେ ଦଣ୍ଡିତ ହେବେ ବୋଲି ଏସ୍‌ଓପିରେ ଉଲ୍ଲେଖ ରହିଛି।

Comments are closed.