୪ ଜିଲାକୁ ବର୍ଷା ବିପଦ

ଭୁବନେଶ୍ବର: ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ସକାଳେ ଅବପାତରେ ପରିଣତ ହେବା ପରେ ଆଜି ଅପରାହ୍ନ ସୁଦ୍ଧା ଏହା ଘଣ୍ଟାକୁ ୧୧କିମି ବେଗରେ ଅାଗକୁ ବଢ଼ୁଛି। ଅବପାତ ଏବେ ପାରାଦ୍ବୀପଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୧୫୦କିମି ଦୂରରେ ଥିବାବେଳେ ପଶ୍ଚିମବଙ୍ଗର ସାଗର ଦ୍ବୀପଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବରେ ୩୨୦କିମି ଏବଂ ବାଂଲାଦେଶର ଖେପୁପୁରାଠାରୁ ୪୭୦କିମି ଦୂରରେ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ତୀବ୍ର ଅବପାତରେ ପରିଣତ ହେବ। ଆସନ୍ତାକାଲି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ତୀବ୍ର ଅବପାତ ରୂପରେ ଏହା ପଶ୍ଚିମବଙ୍ଗର ସାଗର ଦ୍ବୀପ ଏବଂ ବାଂଲାଦେଶର ଖେପୁପୁରା ଦେଇ ସୁନ୍ଦରବନ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ୪ଟି ଜିଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। ଉପରୋକ୍ତ ଜିଲାଗୁଡ଼ିକରେ ବର୍ଷା ସହିତ ସମୁଦ୍ର ଉପକୂଳରେ ଘଣ୍ଟା ପ୍ରତି ୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏପରିକି ପବନର ବେଗ ସ୍ଥଳ ବି​‌ଶେଷରେ ୫୫ରୁ ୬୫କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ସତର୍କ କରିଦିଆଯାଇଛି। ରାଜ୍ୟର ସବୁ ବନ୍ଦରରେ ତିନି ନମ୍ବର ବିପଦସଙ୍କେତ ଜାରି କରାଯାଇଛି।

ଅବପାତ ପ୍ରଭାବରେ ପୁରୀ ଜିଲାରେ ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାଛଡ଼ା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସ୍ବତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଅବପାତରେ ପରିଣତ ହୋଇଥିବା ଲଘୁଚାପ ଆସନ୍ତାକାଲି ଆହୁରି ଘନୀଭୂତ ହୋଇ ଉତ୍ତର ପୂର୍ବ ଦିଗରେ ଗତି କରି ୨୩ ଅପରାହ୍ନରେ ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶର ଖେପୁପରା ମଧ୍ୟ​‌େଦଇ​‌ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଆସନ୍ତାକାଲି ଉପକୂଳର ୪ଟି ଜିଲା ଜଗତସିଂହପୁର କେନ୍ଦ୍ରାପଡ଼ା, ଭଦ୍ରକ ବାଲେଶ୍ବର ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଉପକୂଳବର୍ତ୍ତୀ ଅନ୍ୟ ଜିଲାଗୁଡ଼ିକରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ତେବେ ଏହାଦ୍ବାରା ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ଭଳି ଲାଗୁନାହିଁ। ଏହାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗର ପ୍ରମୁଖ ଶାସନ ସଚିବ ତାଙ୍କର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଏବଂ ଜିଲାସ୍ତରର ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏସଆରସିଙ୍କ ଅଫିସ ପକ୍ଷରୁ ଆମେ ଜିଲାପାଳଙ୍କ ସହିତ ଆଲୋଚନା କରିଛୁ। ସମସ୍ତେ ସତର୍କ ଅଛନ୍ତି। ନଦୀବନ୍ଧଗୁଡ଼ିକୁ ମଧ୍ୟ ତଦାରଖ କରୁଛନ୍ତି ଏବଂ ଯଦି କେଉଁ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଦେଖାଦିଏ ସେହିସ୍ଥାନରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Comments are closed.