ବର୍ଷା ଉଭାନ, ବଢ଼ିଲାଣି ତାତି

ଭୁବନେଶ୍ବର : ମୌସୁମି ପ୍ରଭାବରେ ଜୁନ ଦ୍ବିତୀୟ ଓ ତୃତୀୟ ସପ୍ତାହରେ ରାଜ୍ୟରେ ଭଲ ବର୍ଷା ହୋଇଥିଲା। ଏବେ ଚାଷ କାର୍ଯ୍ୟ ଆଗେଇବା ବେଳକୁ ବର୍ଷା ଅଭାବେ ଦେଖାଦେଲାଣି। ଜୁନ ତୃତୀୟ ସପ୍ତାହରେ ବର୍ଷା କମିଯିବା କାରଣରୁ ଅଧିକାଂଶ ସ୍ଥାନରେ ଚାଷ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ​ଏବେ ରାଜ୍ୟର ଅଧିକାଂଶ ଜିଲାରେ ପାଣି ଅଭାବରୁ ତଳି ନଷ୍ଟ ହେବା ଭଳି ଖବର ମିଳିଲାଣି। ପ୍ରଚଣ୍ଡ ଖରା ଏବଂ ଅସହ୍ୟ ଗୁଳୁଗୁଳି ଲାଗିରହିଥିବାବେଳେ ବର୍ଷା ପ୍ରାୟ ଉଭାନ ହୋଇଗଲାଣି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ଷା ଆଉ ଦିନେ ଦୁଇଦିନ ଅଳ୍ପ କିଛି ଅଞ୍ଚଳରେ ହେବାର ସମ୍ଭାବନା ରହିଛି। ମାତ୍ର ୩୦ ପରଠୁ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ଘୂର୍ଣ୍ଣିବଳୟ କିମ୍ବା ଟ୍ରଫ ଲାଇନ ସକ୍ରିୟ ନଥିବାରୁ ବି​‌ଶେଷ ବର୍ଷାର ସମ୍ଭାବନା ନାହିଁ। ଫଳରେ ଚାଷ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ରହିଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁସାରେ ଆସନ୍ତାକାଲି ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଉପକୂଳର କିଛି ସ୍ଥାନରେ ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଢ଼େଙ୍କାନାଳର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ। ପରବର୍ତ୍ତୀ ୨୪ଘଣ୍ଟାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଅନ୍ୟ କିିଛି ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବ।

Comments are closed.