୩ ଦିନ ଶୀତ ଓ ଘନ କୁହୁଡ଼ି

ଭୁବନେଶ୍ବର: ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତ ଲହରୀ ଜାରି ରହିଛି। ଆସନ୍ତା ୩ ଦିନ ଧରି ରାତ୍ରିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ଫଳରେ ସାରା ରାଜ୍ୟରେ ଶୀତ ଏବଂ କୁହୁଡି ଅନୁଭୂତ ହେବ। ପରବର୍ତ୍ତୀ ସମୟରେ ସର୍ବନିମ ତାପମାତ୍ରାରେ ପ୍ରାୟ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ସବୁଠୁ କମ ୭.୮ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନରେ ପାରଦ ୧୦ ଡିଗ୍ରୀ ଉପରେ ରହିଛି। ଫୁଲବାଣୀରେ ହାଡଭଙ୍ଗା ଜାଡ ଲାଗି ରହିବା ଯୋଗୁଁ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଆଗକୁ ଆହୁରି ତିନିଦିନ ଯାଏଁ ଫୁଲବାଣୀରେ ଶୀତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆସନ୍ତା ତିନିଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା ଏବଂ କୋରାପୁଟରେ କୁହୁଡି ଆଚ୍ଛାଦିତ କରିବାର ସମ୍ଭାବନା ରହିଛି। ୩ ତାରିଖ ସକାଳେ ଝାରସୁଗୁଡା, ସୁନ୍ଦରଗଡ, ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଅନୁଭୂତ ହେବ। ସୋମବାର ସକାଳେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଜଗତସିଂହପୁର, କଟକ, ଖୋର୍ଦ୍ଧା, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ଅଞ୍ଚଳରେ ଘନ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌.ଆର ବିଶ୍ବାସ କହିଛନ୍ତି, ଆସନ୍ତା ୩ଦିନ ପର୍ୟ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ସାରା ଓଡ଼ିଶାରେ ଶୀତ ଅନୁଭୂତ ହେଲେ ମଧ୍ୟ ପ୍ରକୋପ ଅଧିକ ରହିବ ନାହିଁ। ଫୁଲବାଣୀରେ ଆସନ୍ତା ତିନିଦିନ ପର୍ୟ୍ୟନ୍ତ ୭ରୁ ୮ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବ ବୋଲି ସେ ଆକଳନ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୧୪.୮ ଏବଂ କଟକରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତାକାଲି ସକାଳେ ଉଭୟ ସହରରେ କୁହୁଡି ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.