୨୪ଘଣ୍ଟାରେ ଅବପାତ, ୬ଜିଲାକୁ ସତର୍କତା ଜାରି

ଭୁବନେଶ୍ବର,: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମରେ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ମୁହାଁଉଛି। ତେବେ ଏଠାରେ ସ୍ଥଳଭାଗ ନ ଛୁଇଁ ଆସନ୍ତାକାଲି ଏହା ଦିଗ ବଦଳାଇ ଉତ୍ତର ଉତ୍ତର ପୂର୍ବରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳକୁ ଗତି କରିବ। ଆସନ୍ତାକାଲି ଏହା ଅବପାତରେ ପରିଣତ ହେବ ଏବଂ ଆସନ୍ତା ୨୪ ତାରିଖ ସକାଳେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଉପକୂଳ ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବର୍ଷା ହେବ। ଅବପାତ ସକ୍ରିୟ ରହିବା କାଳରେ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨୨ରେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ। ୨୨ ଓ ୨୩ରେ ପଶ୍ଚିମବଙ୍ଗ, ୨୩ ଓ ୨୪ରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବ।

ଲଘୁଚାପ ପ୍ରଭାବରେ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ଆସନ୍ତାକାଲି ୪୫ରୁ ୫୫କିମି ବେଗର ପବନ ବହିବା ସହିତ କିଛି ସ୍ଥାନରେ ପବନର ବେଗ ୬୫କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ୨୨ ଓ ୨୩ ଦୁଇ ଦିନ ଧରି ପବନର ବେଗ ଅଧିକ ରହିବ। ଫଳରେ ସମୁଦ୍ର ଖୁବ୍ ଅଶାନ୍ତ ରହିବ। ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ସହିତ ଉପକୂଳର ଆଭ୍ୟନ୍ତରୀଣ ଅଞ୍ଚଳରେ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଫସଲ କ୍ଷୟକ୍ଷତିର ସମ୍ଭାବନା ରହିଛି। ତଳିଆ ଅଞ୍ଚଳ ଜଳମଗ୍ନ ହେବା, ଛୋଟ ଗଛ ଆଦି ଉପୁଡ଼ିବା କିମ୍ବା ଉଦ୍ୟାନକୃଷି ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଲଘୁଚାପ ଅବପାତରେ ପରିଣତ ହେବା ପରେ ଆସନ୍ତାକାଲି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଆଦି ୬ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ଢ଼େଙ୍କାନାଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ୬ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨୩ରେ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପକ୍ଷରେ ପାଣିପାଗ ବି​‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଅବପାତରେ ପରିଣତ ହୋଇ ପଲାସା ଓ ଗୋପାଳପୁରଠାରୁ ଦୂରରେ ରହିବ। ୨୪ଘଣ୍ଟାରେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରି ୨୩ତାରିଖ ମଧ୍ୟାହ୍ନ ବେଳକୁ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲିଠାରୁ ଦୂରରେ ରହିବ। ୨୩ ମଧ୍ୟରାତ୍ର ବେଳକୁ ପଶ୍ଚିମବଙ୍ଗ-ବାଂଲାଦେଶର ସାଗର ଦ୍ବୀପ ଅତିକ୍ରମ କରି ଦୁର୍ବଳ ହେବା ସହିତ ବାଂଲାଦେଶରେ ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖ ମଧ୍ୟରେ ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲା ସହିତ ଗଜପତି, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ବର୍ଷା ହୋଇପାରେ। ୨୩ରେ ଅଧିକ ବର୍ଷା ହେବ। ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ସମୁଦ୍ର ସଂଲଗ୍ନ ଅଞ୍ଚଳରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଆସନ୍ତା ୨୪ ଓ ୨୫​‌​‌ରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ କିମ୍ବା ଆଂଶିକ ମେଘୁଆ ରହିବା ରହିବା ସହିତ ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବଳ୍ପ ଏବଂ ବାଲେଶ୍ବର ଓ ମୟୂରଭଞ୍ଜରେ ମଧ୍ୟମ ଧରଣର ବର୍ଷା ହେବ। ୨୩ ତାରିଖ ପରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ଓ ୨୫ ପରେ ସାରା ରାଜ୍ୟରେ ଉତ୍ତର ଭାରତରୁ ଶୁଷ୍ମ ପବନ ବହିବ। ୨୭ତାରିଖରେ ବଲାଙ୍ଗୀରଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା କମିବା ସହିତ ଭୁବନେଶ୍ବରରେ ୨୯ରୁ ତାପମାତ୍ରା କମିବ। ୨୭ରୁ ୨୯ ଭିତରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ଡ଼ିଗ୍ରୀ କମିବା ସହିତ ଥଣ୍ଡା ଅନୁଭୂତ ହୋଇପାରେ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ମୌସୁମି ସକ୍ରିୟ ରହି ବର୍ଷା ଲାଗିରହିଛି। ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ଓଡ଼ିଶାରେ କିଛି ଅଞ୍ଚଳରୁ ମୌସୁମି ଫେରିଯିବାର ସମ୍ଭାବନା ରହିଛି।

Comments are closed.