୯ ସ୍ଥାନରେ ପାରଦ ୩୮ ଡିଗ୍ରୀ ଉପରେ

ଭୁବନେଶ୍ବର: ରାଜ୍ୟର ସର୍ବାଧିକ ତାପମାତ୍ରା ପ୍ରାୟ ସ୍ଥାନରେ ବୃଦ୍ଧି ପାଇଛି। ଗତକାଲି ଦିନ ତାପମାତ୍ରା ସବୁଠୁ ଅଧିକ ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ମାଲକାନଗିରି ପୁଣି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ତାପମାତ୍ରା ବଢ଼ିବା ଯୋଗୁଁ ୯ଟି ସ୍ଥାନରେ ଦିନର ପାରଦ ୩୮ରୁ ୪୦ ଡିଗ୍ରୀ ମଧ୍ୟରେ ରହିଛି। ବଲାଙ୍ଗୀରରେ ୩୯.୨, ତାଳଚେରରେ ୩୯.୧, ନୟାଗଡ ଏବଂ ଭୁବନେଶ୍ବରରେ ୩୯, ବୌଦ୍ଧ, ବାଲେଶ୍ବରରେ ୩୮, ଟିଟିଲାଗଡରେ ୩୮.୨ ଏବଂ ବାରିପଦାରେ ୩୮.୬ ଡିଗ୍ରୀ ରେକର୍ଡ ହୋଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଆଜି କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ବର, ଗଜପତି, ରାୟଗଡା ଏବଂ କନ୍ଧମାଳର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ ଏହି ସମୟରେ ଭୁବନେଶ୍ବର ସମେତ ପ୍ରାୟ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୮.୬ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୨୦ରୁ ୨୭ ଡିଗ୍ରୀ ମଧ୍ୟରେ ରହିଛି। ସମସ୍ତ ସ୍ଥାନରେ ରାତି ତାପମାତ୍ରା ବୃଦ୍ଧି ପାଇବା ହେତୁ ଗରମ ଅନୁଭୂତ ହେଉଥିବା ଜଣାପଡିଛି।

Comments are closed.