୧୯ରେ ଲଘୁଚାପ, ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ବର: ପୂର୍ବ ଲଘୁଚାପ ଜନିତ ବର୍ଷାରେ ରାଜ୍ୟରେ ବନ୍ୟା ବିତ୍ପାତ ଦେଖାଦେଇଥିବା ବେଳେ ଆସନ୍ତା ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ରୁ ବର୍ଷା ଆରମ୍ଭ ହୋଇ କ୍ରମଶଃ ବର୍ଷା ପରିମାଣ ବୃଦ୍ଧି ପାଇବ। ୧୯ରେ ଉପକୂଳ ଓ ୨୦ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, କଳାହାଣ୍ଡି, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଏବଂ ଢେଙ୍କାନାଳ ଜିଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ୧୯ରେ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବରଗଡ, ଦେବଗଡ, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ଅତି ପ୍ରବଳ ବର୍ଷା ହୋଇପାରେ। ଉକ୍ତ ଜିଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା,ବଲାଙ୍ଗୀର, କଳାହାଣ୍ଡି, ଏବଂ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷାର ଆକଳନ କରାଯାଇଛି। ସେହିପରି ୨୦ରେ ବରଗଡ଼, ଝାରସୁଗୁଡ଼ା,

ସମ୍ୱଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡା ଏବଂ କଳାହାଣ୍ଡିରେ ଅତି ପ୍ରବଳ ବର୍ଷା ହେବାକୁ ଥିବା‌େ‌ବଳେ କିଛି ଅଞ୍ଚଳରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼ ଓ କେନ୍ଦୁଝର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଉପରୋକ୍ତ ଜିଲା ଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସମ୍ଭାବ୍ୟ ଲଘୁଚାପ ଦ୍ବାରା ୧୮ତାରିଖ ସନ୍ଧ୍ୟାରୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ। ୧୯ରେ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସୁଦୃଶ୍ୟ ଲଘୁଚାପ ସୃଷ୍ଟି ହୋଇ ୨୦ରେ ସେହି ସ୍ଥାନରେ ଲଘୁଚାପ ରହି ୨୧ରେ ଛତିଶଗଡରେ ପହଞ୍ଚିବ। ତେବେ ୨୦ରେ ଲଘୁଚାପ ଓଡ଼ିଶାର ସ୍ଥଳଭାଗରେ ଥିବାବେଳେ ଅବପାତରେ ପରିଣତ ହୋଇ ଛତିଶଗଡ ମୁହଁାଇବ। ଫଳରେ ଛତିଶଗଡ ଏବଂ ସଂଲଗ୍ନ ଓଡ଼ିଶା ସୀମାନ୍ତରେ ପ୍ରବଳ ବର୍ଷିବ। ଫଳରେ ମହାନଦୀ ଆହୁରି ଫୁଲିବାର ସମ୍ଭାବନା ରହିଛି।

Comments are closed.