ଉପର ମୁଣ୍ଡରେ ଅସମ୍ଭାଳ ସ୍ଥିତି; ମହାନଦୀରେ ବଡ଼ ବଢ଼ି ଆଶଙ୍କା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଅବାପାତ ରୂପ ନେବ। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ଲାଗି ରହିଛି । ତେବେ ଆଜି ଠାରୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ଛନକା ବଢାଇଛି ମହାନଦୀ । ମହାନଦୀରେ ଏକ ଛୋଟ ବନ୍ୟା ଆସୁଛି ବୋଲି ଖୋଦ୍‌ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଶନିବାର ସୂଚନା ଦେଇଛନ୍ତି । ଛତିଶଗଡ଼ରେ ସପ୍ତାହେ ଧରି ଲଗାଣ ବର୍ଷା ଯୋଗୁଁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି । ମହାନଦୀ ସମେତ ଶିବନାଥ, ସୁରହୀ ଓ ସକରୀ ଆଦି ନଦୀ ଫୁଲିବାରେ ଲାଗିଛି । ଉପରମୁଣ୍ଡରେ ମହାନଦୀ ଫୁଲୁ ଥିବାରୁ ହୀରାକୁଦରେ ଜଳପତ୍ତନ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟା ସୁଦ୍ଧା ହୀରାକୁଦର ୩୪ଟି ଫାଟକ ଖୋଲାଯାଇଛି । ଅଧିକରୁ ଅଧିକ ଜଳ ନିଷ୍କାସନ ଲାଗି ହୀରାକୁଦ ଉପରେ ମଧ୍ୟ ଚାପ ବଢୁଛି।

ଶ୍ରୀ ମିଶ୍ର କହିଛନ୍ତି, ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ ଉପରେ ଚାପ ପଡ଼ୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ପାଇଁ ଛତିଶଗଡ଼ର ଜଳସମ୍ପଦ ବିଭାଗ ଅଧିକାରୀମାନେ ଚାପ ପକାଉଛନ୍ତି । ୧୫ ତାରିଖ ସକାଳ ୮ଟା ସୁଦ୍ଧା ହୀରାକୁଦ ଛାଡିଥିବା ପାଣି କଟକର ମୁଣ୍ଡଳି ଅତିକ୍ରମ କରିବ । ଏହି ସମୟରେ ଏଠାରେ ୭ଲକ୍ଷରୁ ୮ଲକ୍ଷ କ୍ୟୁସେକ୍ ବନ୍ୟାପାଣି ଅତିକ୍ରମ କରିପାରେ । ୨୮ଟିରୁ ଅଧିକ ଗେଟ୍ ଖୋଲା ହେଲେ ସାଧାରଣତଃ ବନ୍ୟା ଆଶଙ୍କା କରାଯାଇଥାଏ। ଏବେ ୩୪ଟି ଫାଟକ ଖୋଲାଯାଇଛି। ତେଣୁ ତଳମୁଣ୍ଡରେ ଥିବା ଗ୍ରାମ ଗୁଡ଼ିକୁ ସତର୍କ କରାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନମାନଙ୍କୁ ନିର୍ଦେଶ ଦିଆଯାଇଛି । ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ପ୍ରଭାବିତ ହେବାକୁ ଥିବା ଜିଲାକୁ ପଠାଯାଉଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲକରି ଦିଆଯାଇଛି । ସତର୍କ ରହି ନିର୍ଦ୍ଦେଶ ମୁତାବକ କାମ କରିବାକୁ ସମସ୍ତଙ୍କୁ କୁହାଯାଇଛି । ଦୁର୍ବଳ ନଦୀବନ୍ଧ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗରେ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ବ୍ରାହ୍ମଣୀ ଓ ଜଳକା ଦୁଇଟି ସ୍ଥାନରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକର ଆଖୁଆପଦାରେ ବୈତରଣୀ ଓ ମଥାନୀ ଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିଭଳି ସୁବର୍ଣ୍ଣରେଖା, ଇବ୍‌, ଦେବୀ ଆଦି ନଦୀର ଜଳସ୍ତର ବଢୁଥିବାବେଳେ ଋଷିକୁଲ୍ୟା ଓ ବଂଶଧାରା ନଦୀଜଳ ଖସୁଛି।ହୀରାକୁଦ ବନ୍ୟାଜଳ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ପ୍ରବେଶ କରି ବନ୍ୟା ଆଶଙ୍କା ବଢାଇଥିବାରୁ ନଦୀ କୂଳିଆ ଲୋକଙ୍କ ଚିନ୍ତା ବଢିଯାଇଛି। ମହାନଦୀରେ ଅଧିକରୁ ଅଧିକ ପାଣି ଆସିବା ଫଳରେ ସମ୍ବଲପୁର-ସୋନପୁର ରାସ୍ତାର ଗୁଣ୍ଡେରପୁରର ମାଳତୀ ଯୋର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶହ ଶହ ବସ୍ ଓ ଭାରୀଯାନ ଚଳାଚଳ ଉଭୟ ପଟେ ଅଟକି ରହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ରାଜ୍ୟର ୭ଟି ଜିଲାରେ ଅତିପ୍ରବଳ ଓ ୧୫ଟି ଜିଲାରେ ପ୍ରବଳବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲାକୁ ଲାଲ ସତର୍କ ସୂଚନା (ରେଡ୍‌ ୱାର୍ଣ୍ଣିଂ) ଏବଂ ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ସମ୍ୱଲପୁର, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲା ପାଇଁ କମଳା ରଙ୍ଗର ସତର୍କ ସୂଚନା ଜାରି କରାଯାଇଛି। ବିଭାଗରେ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିସ୍ଥିତି ଉପରେ ନଜର ରଖାଯାଇଛି। ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ଜିଲାପାଳଙ୍କୁ ସଜାଗ କରାଯାଇ ଥିବାବେଳେ ପ୍ରବଳ ବର୍ଷା ହେବାକୁ ଥିବା ଉପରୋକ୍ତ ୭ ଜିଲାର ଜିଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପରୋକ୍ତ ୭ ଜିଲାରେ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୨୦ସେମିରୁ ଅଧିକ ବର୍ଷା ହୋଇପାରେ। ଏହାବ୍ୟତୀତ ଅନ୍ୟ ୧୫ ଜିଲାର କେତେକ ସ୍ଥାନରେ ୧୨ରୁ ୨୦ ସେ.ମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, ବଲାଙ୍ଗିର, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲାରେ ମଧ୍ୟ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏସବୁ ଜିଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିଭଳି ୧୪ତାରିଖ ସକାଳ ସାଢ଼େ ୮ଟାରୁ ୧୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ବରଗଡ଼, ଅନୁଗୋଳ, ସମ୍ୱଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲାରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ଲାଲ୍‌ ସତର୍କ ସୂଚନା ଜାରି କରାଯାଇଛି। ଏହାଛଡ଼ା ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୫ ଘଣ୍ଟାର ମୂଷଳଧାର ବର୍ଷା ସହ ସମ୍ବଲପୁର ସହରର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇ ପଡିଛି। ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ସହରତଳି ଅଞ୍ଚଳ ପାଣିରେ ବୁଡି ରହିଛି। ସହରର କେନ୍ଦ୍ରସ୍ଥଳୀରେ ଥିବା ହୀରାକୁଦ କଲୋନୀ, ବିନାଖଣ୍ଡି, ଗୋପାଳମାଳ, ମୁଦିପଡା ଲେବର କଲୋନୀ, ଚାରଭାଟି, ସାରସ୍ବତ କଲୋନୀ, ପୁଟିବନ୍ଧ, ଦୁର୍ଗାପାଲି, ମୋତିଝରନ, ଦଶମତି କଲୋନୀ, ବରେଇପାଲି ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାପୀଡିତ ଅଞ୍ଚଳର ପରିବାରକୁ ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ୧୧୮୩ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜିଲା ପ୍ରଶାସନ ସୂତ୍ରରୁ ପ୍ରକାଶ।

Comments are closed.