କମିବ ବର୍ଷାର ପରିମାଣ, ୨ ଦିନ ମେଘୁଆ ରହିବ ପାଗ

ଭୁବନେଶ୍ୱର: ସୋମବାରଠାରୁ  ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ବଙ୍ଗୋପସାଗରରେ ସକ୍ରିୟ ହେଉଥିବା ଲଘୁଚାପ ଦୁର୍ବଳ ହେବା କାରଣରୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବର୍ଷା କମିବ ଏବଂ ଆକାଶ ମେଘୁଆ ରହିବ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨ ତାରିଖରୁ ବର୍ଷା ବଢ଼ିବ। ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ଢ଼େଙ୍କାନାଳ, ଅନୁଗୋଳ ଓ କେନ୍ଦୁଝରରେ ବର୍ଷାର ସମ୍ଭାବନା ଅଛି। ଗୁରୁବାର ପର୍ଯ୍ୟନ୍ତ ବର୍ଷା ରହିବ। ଏହା ପରେ ପାଗରେ ପରିବର୍ତ୍ତନ ଆସିବ। ଅକ୍ଟୋବର ପ୍ରଥମ ସପ୍ତାହ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସାଧାରଣତଃ ସେପ୍ଟେମ୍ବର ୧ ତାରିଖରୁ ମୌସୁମି ବାୟୁ ରାଜସ୍ଥାନରୁ ଫେରିବା ଆରମ୍ଭ କରିଥାଏ । ଏପର୍ଯ୍ୟନ୍ତ ମୌସୁମି ବାୟୁ ସକ୍ରିୟ ରହିଛି। ଦଶହରା ବେଳକୁ ରାଜ୍ୟରେ ଅଳ୍ପ ବର୍ଷା ହୋଇପାରେ। ଓଡ଼ିଶା ଉପରେ ମୌସୁମି ଥିବାରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଦଶହରାର ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀ ପୂଜା ସମୟରେ ଅପରାହ୍ଣରେ ସ୍ବଳ୍ପ ବୃଷ୍ଟିପାତ ହୋଇପାରେ। ଆଜି ସକାଳୁ ସଂଧ୍ୟା ୫.୩୦ ସୁଦ୍ଧା ବଲାଙ୍ଗିରରେ ସର୍ବାଧିକ ୫୬.୪ ମିମି ବର୍ଷା ହୋଇଥିବାବେଳେ ଝାରସୁଗୁଡ଼ାରେ ୩୦.୨ ମିମି, ଭବାନୀପାଟଣାରେ ୧୫ ମିମି, ସୁନ୍ଦରଗଡ଼ରେ ୧୦.୪ ମିମି ବର୍ଷା ହୋଇଛି।

Comments are closed.