ବର୍ଜ୍ୟ ଦେଇଛି ନୂଆ ରାହା : ୫ ମହାନଗର ନିଗମରେ ସାମିଲ ହେଲେଣି ୬୧୮ ମହିଳା ସ୍ବଚ୍ଛ ସାଥୀ

-ରାଜ୍ୟରେ ୨୧୧୮ ନିୟୋଜିତ,-ଏଣିକି ବିଭାଗ ଆଣିବ ପୁରସ୍କାର ଯୋଜନା,-ଚଳିତବର୍ଷ ଜାଗା ମିଶନରେ ୨୦ହଜାରଙ୍କୁ ମିଳିବ ପଟ୍ଟା

ଭୁବନେଶ୍ୱର  : ବର୍ଜ୍ୟ ନାଁ ଶୁଣିଲେ ସମ‌େ‌ସ୍ତ ନାକ ଟେକନ୍ତି। ହେଲେ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସହରାଞ୍ଚଳ ସ୍ବଚ୍ଛ ଯୋଜନା ଏବେ ବର୍ଜ୍ୟକୁ ନେଇ ଲୋକଙ୍କୁ ଜୀଇଁବାର ରାହା ଦେଇଛି। ଯେଉଁମାନେ ଦିନେ ଜରି ଗୋଟାଉଥିଲେ ସେମାନଙ୍କୁ ସ୍ବାବଲମ୍ବୀ କରିପାରୁଛି। ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳାମାନେ ଏବେ ସହରାଞ୍ଚଳ ପ୍ରଶାସନ ସହିତ ଯୋଡିହୋଇ ଆତ୍ମନିର୍ଭରଶୀଳ ହେବା ସହିତ ଓଡିଶାକୁ ପୁରସ୍କୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଭୁବନେଶ୍ୱରର ୩୫ବର୍ଷ ବୟସ୍କା ଶୁଭଲକ୍ଷ୍ମୀ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।
ଦିନେ ଜରି ଗୋଟାଉଥିବା ଶୁଭଲକ୍ଷ୍ମୀ ଏବେ ବ୍ୟାଟେରୀଚାଳିତ ଗାଡିରେ ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସହିତ ମିଳୁଥିବା ପାଉଣାରେ ତାଙ୍କ ପରିବାର ଚଳାଇଛନ୍ତି। ଦିନକୁ ମାତ୍ର ୪ଘଣ୍ଟା କାମ କରି ଶୁଭଲକ୍ଷ୍ମୀ ଏବେ ମାସକୁ ୭୦୦୦ ଟଙ୍କା ବେତନ ପାଉଛନ୍ତି। ତାଙ୍କ ସହିତ ଅଛନ୍ତି ୩୨ ବର୍ଷିଆ ଲିଲା ରାଓ ଏବଂ ୨୯ବର୍ଷିୟା ଝିଲି ମୁଲି। କେବଳ ଶୁଭଲକ୍ଷ୍ମୀ ନୁହନ୍ତି ତାଙ୍କ ଭଳି ୨୧୧୮ ଜଣଙ୍କୁ ଚିହ୍ନଟ କରାଯାଇ ବର୍ଜ୍ୟ ସଂଗ୍ରହ, ଏହାର ପୃଥକୀକରଣ, ଖତ ପ୍ରସ୍ତୁତି ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଛି। ରାଜ୍ୟର ୫୫ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାର୍ୟ୍ୟରେ ଯୋଡିହୋଇ ଯାଇଥିବାବେଳେ ୬୧୮ଜଣ ସଦସ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁର ମହାନଗର ନିଗମରେ କାର୍ଯ୍ୟ କରୁଛନ୍ତି। ରାଜଧାନୀରେ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତି କାର୍ଯ୍ୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ମୁତୟନ କରାଯାଇଛି। ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଖତ ପ୍ରସ୍ତୁତ ସମୟରେ ସମସ୍ତ ସର୍ତକତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି।
ରାଜ୍ୟର ଛୋଟ ଛୋଟ ସହରାଞ୍ଚଳରେ ଅନୁରୂପ ଭାବେ ଗୋଷ୍ଠୀ ଗଠନ କରାଯାଇ ପୌର ପ୍ରଶାସନ ସହିତ ଯୋଡାଯାଉଛି। ଜରି ଗୋଟାଳିଙ୍କ ବ୍ୟତୀତ କିନ୍ନର ଓ ବସ୍ତିବାସିନ୍ଦାମାନେ ଏବେ ପୌର ପ୍ରଶାସନ ସହିତ ଯୋଡି ହୋଇଛନ୍ତି। ଜାଗା ମିଶନ ପାଇଁ ଓଡିଶା ବିଶ୍ୱ ବାସସ୍ଥାନ ପୁରସ୍କାର – ୨୦୧୯ରେ ବ୍ରୋଞ୍ଚ ପଦକ ପାଇପାରିଥିଲା। ଏହି ସଫଳତାକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଏବେ ସମସ୍ତ ପୌରାଞ୍ଚଳ ପାଇଁ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଚିହ୍ନଟ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଛନ୍ତି। ଏମାନଙ୍କୁ ଚିହ୍ନଟ ସହିତ ସହରରେ ବର୍ଜ୍ୟବସ୍ତୁ ସଂଗ୍ରହ ଓ ଏହାର ବିଘଟନରେ ବିନିଯୋଗ ଲାଗି ନିର୍ଦେଶ ଦେଇଛନ୍ତି। ବର୍ଜ୍ୟବସ୍ତୁ ସଂଗ୍ରହକାରୀମାନଙ୍କୁ ଚିହ୍ନଟ ସହିତ ସହରର ପରିଚ୍ଛନ୍ନତାରେ ସେମାନଙ୍କୁ ସାମିଲ କରିବା ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ସହର ପୁରସ୍କାର ଯୋଜନାର ଏକ ମାନଦଣ୍ଡ ଯାହାକି ଗତ ଡିସେମ୍ବରରେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ଅନୁରୂପ ଏହି ପୁରସ୍କାର ବୋଲି ପ୍ରମୁଖ ସଚିବ କହିଛନ୍ତି। ଉତ୍ତମ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ପୁରସ୍କାର ରାଶି ଘୋଷଣା କରିବେ। ତେବେ ଆଗାମୀ ୩ମାସ ଲାଗି ଏ ସଂକ୍ରାନ୍ତରେ ଟେଲିଫୋନ ମାଧ୍ୟମରେ ମତାମତ ସଂଗ୍ରହ ଓ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।
ଜାଗା ମିଶନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୦ହଜାର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟା ବଣ୍ଟନ ହୋଇଥିବାବେଳେ ଖୁବଶୀଘ୍ର ଆଉ ୨୦ ହଜାରଙ୍କୁ ପଟ୍ଟା ମିଳିବ। ବର୍ଷକ ମଧ୍ୟରେ ଅତି କମରେ ହଜାରେ ଆଦର୍ଶ କଲୋନି ପ୍ରସ୍ତୁତ ହେବ ବୋଲି ପ୍ରମୁଖ ସଚିବ ଶ୍ରୀ ମାଥିଭାଥନନ କହିଛନ୍ତି।

Comments are closed.