ହୀରାକୁଦ ଡ୍ୟାମରେ ପୁଣି ଖୋଲିଲା ଆଉ ୫ଟି ଗେଟ, ମୋଟ ୪୦ଟି ଗେଟରେ ହେବ ଜଳ ନିଷ୍କାସନ

୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ସହିତ ଛତିଶଗଡ଼ର କୌଣସି ସଂପର୍କ ନାହିଁ: ବିଜୟ ମିଶ୍ର

ହୀରାକୁଦ:ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦରେ ଆଉ ୫ଟି ଗେଟ୍ ଖୋଲାଯାଇଛି । ଆଜି ରାତି ୮ରୁ ୯ ସୁଦ୍ଧା ଆଉ ୯ଟି ଗେଟ୍ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି । ଉପରମୁଣ୍ଡରେ ବର୍ଷାକୁ ଗୁରୁତ୍ବ ଦେଇ ଏଭଳି ମୋଟ ୪୦ଟି ଗେଟ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଆଜି ହୀରାକୁଦ ଡ୍ୟାମର ୫ଟି ଗେଟ ଖୋଲାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ଆହୁରି ୯ଟି ଗେଟ୍‌ ଖୋଲାଯିବ। ଯଦି ଆଜି ୯ଟି ଗେଟ୍‌ ଖୋଲେ, ତାହାହେଲେ ମୋଟ୍‌ ୪୦ ଗେଟ୍‌ ଦେଇ ହୀରାକୁଦ ଡ୍ୟାମର ପାଣି ନିଷ୍କାସିତ ହେବ।
ହୀରାକୁଦ ଡ୍ୟାମର ୪୦ଟି ଗେଟ ଖୋଲିବା ନିଷ୍ପତ୍ତି ପ୍ରସଙ୍ଗରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ ସ୍ଥିତି ଦେଖି ବୈଷୟିକ କମିଟି ସହ କଥାବାର୍ତ୍ତା ହୋଇ ନିଷ୍ପତ୍ତି ନେଇଛୁ। ବନ୍ୟା ନିୟନ୍ତ୍ରଣ କରିବାକୁ ଜଳଭଣ୍ଡାର ନିର୍ମାଣ କରାଯାଇଥାଏ। ନିୟନ୍ତ୍ରଣ ପାଇଁ ବୈଷୟିକ କମିଟିର ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ହେଉଛି। ହୀରାକୁଦ ଡ୍ୟାମର ୪୦ଟି ଗେଟ ଖୋଲିବାରେ ଛତିଶଗଡ଼ର କିଛି ଭୂମିକା ନାହିଁ। ଗେଟ ଖୋଲିବାରେ ଛତିଶଗଡ଼ ସହ କିଛି ସମ୍ପର୍କ ନାହିଁ। ନିଷ୍ପତ୍ତି ନିଆଯିବା ପୂର୍ବରୁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଏଦିଗରେ ମଧ୍ୟ ବୈଷୟିକ କମିଟି ସହିତ ମଧ୍ୟ ଯୋଗାଯୋଗ ରଖାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଆଜି ରାତି ସୁଦ୍ଧା ମୋଟ ୪୦ ଗେଟ୍ ଖୋଲାଯିବା ପରେ ୩୬ ଘଣ୍ଟାରେ ମୁଣ୍ଡୁଳି ଦେଇ ବନ୍ୟା ଜଳ ପ୍ରବାହିତ ହେବ। ତେବେ ଏହାର ପ୍ରଭାବ ସେତେ ଅଧିକ ହେବନାହିଁ। ଏବେ ସୁଦ୍ଧା ମୁଣ୍ଡୁଳି ଦେଇ ପ୍ରାୟ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଛି । ଆଜି ଖୋଲା ହେବାକୁ ଥିବା ଗେଟଗୁଡ଼ିକ ମଧ୍ୟରୁ ବନ୍ୟାଜଳ ମୁଣ୍ଡୁଳି ଦେଇ ଗତି କରିବାକୁ ଥିବା ବେଳେ ଏହା ବଡ଼ ଧରଣର ସ୍ଥିତି ଉପୁଜିବ ନାହିଁ। ତେବେ ଅଜି ହୀରକୁଦରୁ ୪୦ଟି ଗେଟ୍‌ରେ ପାଣି ପିଷ୍କାସିତ ହେଲେ, ସେହି ପାଣି ଶୁକ୍ରବାର ମୁଣ୍ଡଳିରେ ପହଞ୍ଚିବ ବୋଲି ସେ ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା କହିଥିଲେ, ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସାଢ଼େ ୧୧ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେବ।

Comments are closed.