ବ୍ୟାଙ୍କ ଜାତୀୟକରଣର ବିପରୀତ ଗତି?

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଆଭ୍ୟନ୍ତରୀଣ କାର୍ଯ୍ୟକାରୀ ଗୋଷ୍ଠୀ ନିକଟରେ ବ୍ୟାଙ୍କ ବ୍ୟବସ୍ଥା​ରେ ବିଭିନ୍ନ ସଂସ୍କାର ଆଣିବାପାଇଁ ଅନେକ ସୁପାରିସ କରିଛନ୍ତି। ସେହି ସଂସ୍କାର ସୁପାରିସ ମଧ୍ୟରୁ ଏକ ଗୁରୁତ୍ବପୂର୍ଣ୍ଣ ସୁପାରିସ ହେଲା ବଡ଼ବଡ଼ କର୍ପୋରେଟ ହାଉସ ଓ ବଡ଼ବଡ଼ ଶିଳ୍ପପତିମାନଙ୍କୁ ଏବେ ନୂତନ ବ୍ୟାଙ୍କ ସ୍ଥାପନ ପାଇଁ ଲାଇସେନ୍ସ ଦିଆଯିବ। ଯଦି ଏହି ସୁପାରିସକୁ ରିଜର୍ଭବ୍ୟାଙ୍କ ଓ ଭାରତ ସରକାର ଗ୍ରହଣ କରି କାର୍ଯ୍ୟକାରୀ କରନ୍ତି ତେବେ ବ୍ୟାଙ୍କ ଜାତୀୟକରଣର ସ୍ବର୍ଣ୍ଣ ଜୟନ୍ତୀ ପରେ ପୁନଶ୍ଚ ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟାଙ୍କ ବ୍ୟବସାୟରେ ପ୍ରବେଶ କରିବେ। ଏହା ଯଦି ହୁଏ ତେବେ ବ୍ୟାଙ୍କ ଜାତୀୟକରଣର ବିପରୀତ ଗତି ହେବ।

ବ୍ୟାଙ୍କ ଜାତୀୟକରଣ ହୋଇଥିଲା ୧୯୬୯ ମସିହା ଜୁଲାଇ ମାସ ୧୯ ତାରିଖ ଦିନ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବ୍ୟାଙ୍କ ଜାତୀୟକରଣ କରିବା ଅବସରରେ ବେତାର ଭାଷଣରେ କହିଥିଲେ ଯେ, ବ୍ୟାଙ୍କ ଏକ ସାର୍ବଜନୀନ ଅନୁଷ୍ଠାନ ଯାହାକି ନିୟୁତନିୟୁତ ଲୋକଙ୍କ ଜୀବନଧାରା ସହ ସଂଶ୍ଳିଷ୍ଟ। ବ୍ୟାଙ୍କଗୁଡ଼ିକ ସମାଜର ବୃହତ୍ତର ସାମାଜିକ ଲକ୍ଷ୍ୟ ହାସଲ କରିବାକୁ ଆଗଭର ହୋଇ ଆସିବା ସଙ୍ଗେସଙ୍ଗେ ଅବହେଳିତ ବର୍ଗକୁ ଋଣ ଦେବାପାଇଁ  ଦାବି ହୋଇ ଆସୁଥିଲା। ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା କରିବାକୁ ଦେଶର ୧୪ଗୋଟି ବଡ଼ବଡ଼ ବାଣିଜ୍ୟିକ ବ୍ୟାଙ୍କକୁ ଜାତୀୟକରଣ କରାଗଲା।

ବ୍ୟାଙ୍କ ଜାତୀୟକରଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୂର୍ବରୁ ଅବହେଳିତ ହୋଇ ରହିଥିବା ଗ୍ରାମାଞ୍ଚଳରେ ଅଧିକ ଶାଖା ଖୋଲି କୃଷକ, ଗ୍ରାମ୍ୟ କାରିଗର, କ୍ଷୁଦ୍ର ବ୍ୟବସାୟୀ, ଆତ୍ମନିଯୁକ୍ତିକାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କ ଆୟବୃଦ୍ଧି ପାଇଁ ସହଜ ସର୍ତ୍ତରେ ଋଣ ଯୋଗାଇଦେବା।

ବ୍ୟାଙ୍କ ଜାତୀୟକରଣ ପୂର୍ବରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ କେବଳ ବଡ଼ବଡ଼ ସହର ଓ ବନ୍ଦର ଥିବା ସହରଗୁଡ଼ିକରେ ଶାଖା ଖୋଲି ପାଇକାରୀ ବ୍ୟାଙ୍କିଙ୍ଗ୍‌ କରୁଥିଲେ। ସେତେବେଳେ ଅନେକ ବ୍ୟାଙ୍କ ମୁଷ୍ଟିମେୟ ଶିଳ୍ପପତି ଓ ବଡ଼ବଡ଼ ବ୍ୟବସାୟୀଙ୍କ ମାଲିକାନାରେ ଥିଲା। ବ୍ୟାଙ୍କଗୁଡ଼ିକ ସାଧାରଣ ଜନତାଙ୍କଠାରୁ ଯେଉଁ ଜମା ସଂଗ୍ରହ କରୁଥିଲେ ସେଥିରୁ ଅଧିକାଂଶ ଭାଗ ସେହିମାନେ ହିଁ ନିଜନିଜ ବ୍ୟବସାୟରେ ବିନିଯୋଗ କରୁଥିଲେ। ଅନେକ ସମୟରେ ବ୍ୟାଙ୍କ ଋଣ ଉତ୍ପାଦନମୂଳକ କାମରେ ନଲଗାଇ ଅଧିକ ଲାଭ ଆଶାରେ ବିଭିନ୍ନ ପ୍ରକାର ସାମଗ୍ରୀକୁ ମହଜୁଦ୍‌ କରି ରଖିବାରେ ବିନିଯୋଗ କରୁଥିଲେ।

ବ୍ୟାଙ୍କ ଜାତୀୟକରଣ ପରେ ଧାରା ବଦଳିଗଲା। ଗାଁରେ ଶାଖା ଖୋଲିଲା ଓ କୃଷକ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ପରିବହନକାରୀ, ଆତ୍ମ ନିଯୁକ୍ତିକାରୀ, କ୍ଷୁଦ୍ର ଓ କୁଟୀରଶିଳ୍ପ ଆଦିକୁ ଋଣ ସହଜରେ ମିିଳିଲା। ବ୍ୟାଙ୍କ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଲା। ଯେହେତୁ ଗ୍ରାମାଞ୍ଚଳରେ ଶାଖା ଖୋଲିଲା ଏବଂ ଛୋଟଛୋଟ ଋଣ ଦିଆଗଲା ଲାଭ କମ୍‌ ହେବା ସ୍ବାଭାବିକ, କିନ୍ତୁ ସାଧାରଣ ଲୋକ ଉପକୃତ ହେବାରୁ  ଦେଶର ସାମଗ୍ରିକ ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହେଲା। ୧୯୯୧ ମସିହାରେ ଯେତେବେଳେ ଭାରତ ଅର୍ଥନୈତିକ ଉଦାରୀକରଣ ନୀତି ଗ୍ରହଣ କଲା, ସେତେବେଳେ ଅନୁଭବ କରାଗଲା ଯେ ଜଗତୀକରଣ ଯୁଗରେ ବ୍ୟାଙ୍କ ବ୍ୟବସ୍ଥା ପ୍ରତିଯୋଗିତାମୂଳକ ନହେଲେ ବିକାଶ ତ୍ବରାନ୍ବିତ ହେବନାହିଁ। ରିଜର୍ଭବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏମ.ନରସିଂହମ୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା। ଏହାକୁ ନରସିଂହମ୍‌ କମିଟି କୁହାଗଲା। ନରସିଂହମ୍‌ କମିଟି ସୁପାରିସ ଅନୁସାରେ ଜାତୀୟକରଣ ବ୍ୟାଙ୍କ ସାଙ୍ଗକୁ ନୂଆପିଢ଼ିର ବ୍ୟାଙ୍କ ଖୋଲିବାପାଇଁ ଲାଇସେନ୍ସ ଦେବାକୁ ଠିକ୍‌ ହେଲା। ଏହି ବ୍ୟାଙ୍କସବୁ ଘରୋଇ ବ୍ୟାଙ୍କ ହେବେ; କିନ୍ତୁ କୌଣସି ଶିକ୍ଷାସଂସ୍ଥା, ଅବା ବଡ଼ ବ୍ୟବସାୟୀ ସଂସ୍ଥା ଏହାର ମାଲିକ ହେବେ ନାହିଁ। ଯେଉଁମାନେ ନୂଆପିଢ଼ି ବ୍ୟାଙ୍କର ଉଦ୍ୟୋକ୍ତା ହେବେ ସେମାନେ ମୂଳଧନ ୧୫ ପ୍ରତିଶତରୁ ଅଧିକ ବିନିଯୋଗ କରିପାରିବେ ନାହିଁ। ଅର୍ଥାତ୍‌ ଅଧିକ ମୂଳଧନ ବିନିଯୋଗ କରି କେହି ବ୍ୟାଙ୍କର ପରିଚାଳନାରେ ଏକଚାଟିଆ ମତକୁ କାର୍ଯ୍ୟକାରୀ କରିବେ ନାହିଁ। ଏହା ପରେ ନୂଆ ପିଢ଼ିର ଘରୋଇ ବ୍ୟାଙ୍କ ସବୁ ଖୋଲିଲା।

ଏବେ ରିଜର୍ଭବ୍ୟାଙ୍କର କମିଟି ଯେଉଁ ସୁପାରିସ କରିଛନ୍ତି ତାହା ଫଳରେ ବଡ଼ବଡ଼ ବ୍ୟବସାୟୀମାନେ ଓ ଶିଳ୍ପପତିମାନେ ବ୍ୟାଙ୍କ ଖୋଲି ପାରିବେ। ଏବେ ଆଶଙ୍କା ପ୍ରକାଶ ପାଇଲାଣି ଯେ, ଭାରତୀୟ ବ୍ୟବସ୍ଥା ପୁନଶ୍ଚ ବ୍ୟାଙ୍କ ଜାତୀୟକରଣର ପୂର୍ବବର୍ତ୍ତୀ ସ୍ଥିତିକୁ ଫେରିଯିବ। ଜାତୀୟକରଣ ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇ ପଡ଼ିବେ। ଅନୁଭୂତିରୁ ଜଣାଯାଏ ଯେଉଁସବୁ ନୂତନ ପିଢ଼ିର ଘରୋଇ ବ୍ୟାଙ୍କ ୧୯୯୩ଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନେ ଜାତୀୟକରଣ ବ୍ୟାଙ୍କ ପରି ଗ୍ରାମାଞ୍ଚଳରେ ଶାଖା ଖୋଲୁ ନାହାନ୍ତି। ବଡ଼ବଡ଼ ଓ ଅଣଉତ୍ପାଦକମୂଳକ ଋଣ ଦେଉଛନ୍ତି ଅଧିକ ଲାଭ ଆଶାରେ। ଅଗ୍ରାଧିକାର ଋଣ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ଏବଂ ବିଭିନ୍ନ କାଇଦା କଟକଣା କରି ସିଧାସଳଖ ଅଗ୍ରାଧିକାର ଋଣ ଦେବାରୁ ବିରତ ରହୁଛନ୍ତି। ଯଦି ଘରୋଇ ବ୍ୟାଙ୍କସବୁ ଠିକ୍ ଭାବରେ ଚାଲୁଥାନ୍ତା, ତେବେ ​‌େ​‌ୟସ ବ୍ୟାଙ୍କ ଓ ଲକ୍ଷ୍ମୀବିଳାସ ବ୍ୟାଙ୍କର ସ୍ଥିତି ଆଜି ଏପରି ହୋଇନଥାନ୍ତା। ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷା ବ୍ୟାଙ୍କର ଜମାକୁ ଅପବ୍ୟବହାର କରି ନିଜ ଲୋକଙ୍କୁ ଋଣ ଦେଇ ନଥାନ୍ତେ। ରିଜର୍ଭ ବ୍ୟାଙ୍କର ତଦାରଖ କରିବାର ଦକ୍ଷତା ଥିଲେ ଏପରି ସ୍ଥିତି ଘରୋଇ ବ୍ୟାଙ୍କ କ୍ଷେତ୍ରରେ ହୋଇ ନଥାଆନ୍ତା ନା ଚିଟ୍‌ଫଣ୍ଡ୍‌ମାନେ ସାଧାରଣ ଲୋକଙ୍କ କଷ୍ଟାର୍ଜିତ ସଞ୍ଚୟକୁ ଏପରି ଭାବରେ ଲୁଟ୍‌ କରିନଥାନ୍ତେ।

ଉପରୋକ୍ତ ସ୍ଥିତିରେ ଯଦି ବଡ଼ବଡ଼ ବ୍ୟବସାୟୀ ଓ ଶିଳ୍ପପତିମାନଙ୍କୁ ବ୍ୟାଙ୍କ ଖୋଲିବାକୁ ଅନୁମତି ଦିଆଯିବ ତେବେ ସେମାନେ ସାଧାରଣ ଲୋକଙ୍କଠାରୁ ଯେଉଁ ଜମା ସଂଗ୍ରହ କରିବେ ତାକୁ ନିଜନିଜ ଶିଳ୍ପ, ବାଣିଜ୍ୟରେ ବିନିଯୋଗ କରିବାକୁ ଉଦ୍ୟମ କରିବେ; ଅଗ୍ରାଧିକାର କ୍ଷେତ୍ର ପ୍ରତି ଆବଶ୍ୟକ ଦୃଷ୍ଟି ଦେବେ ନାହିଁ। ସେହିସବୁ ଶିଳ୍ପପତି ଓ ବ୍ୟବସାୟୀଙ୍କର ଯଦି କିଛି କାରଣରୁ କ୍ଷତି ହୋଇଗଲା, ବ୍ୟାଙ୍କଋଣ ପରିଶୋଧ କରିବା କଷ୍ଟକର ହେବ ଆଉ ଜମାକାରୀଙ୍କ ଅର୍ଥ ଫେରାଇବା କଷ୍ଟହେବ। ଯଦି ସରକାର ସେମାନଙ୍କୁ ସାହାଯ୍ୟ କରିବାକୁ ଆସିବେ ତେବେ ସାଧାରଣ ଜନତାଙ୍କଠାରୁ ଆଦାୟ ହୋଇଥିବା ଟିକସ ଅର୍ଥ ଅକାରଣରେ ବ୍ୟୟ ହେବ। ପ୍ରକୃତ ବିକାଶ ଯୋଜନା କାର୍ଯ୍ୟକାରୀ ହେବାପାଇଁ ଅର୍ଥ ମିଳିବ ନାହିଁ। ଏହି ସୁପାରିସକୁ ବିରୋଧ କରି ରିଜର୍ଭବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଯେ କି ଜଣେ ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞ ଓ ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ମିଳିତ ଭାବରେ ମତ ରଖି କହିଛନ୍ତି ଯେ, ବ୍ୟାଙ୍କର ମାଲିକ ନିଜେ ଯେତେବେଳେ ଋଣଗ୍ରହୀତା ହେବେ ସେତେବେଳେ କିପରି ଗୁଣାତ୍ମକ ଋଣ ଦିଅାଯିବ? ବ୍ୟାଙ୍କର ପରିଚାଳନା ବୋର୍ଡ କ’ଣ ବ୍ୟାଙ୍କର ମାଲିକଙ୍କୁ ପ୍ରଶ୍ନ କରି ପାରିବ? ତେଣୁ ସେ ଦୁଇଜଣ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି।

ଉପରୋକ୍ତ ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର କର୍ପୋରେଟ ହାଉସ୍‌ ଓ ଶିଳ୍ପପତିମାନଙ୍କୁ ନୂତନ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଅନୁମତି ଦେଲେ ଭାରତୀୟ ଅର୍ଥନୀତିର ବିକାଶର ପରିପନ୍ଥୀ ହେବ ଏବଂ ଆମ ଅର୍ଥନୀତି ଓ ବ୍ୟାଙ୍କ ବ୍ୟବସ୍ଥା ଜାତୀୟକରଣର ପୂର୍ବବର୍ତ୍ତୀ ସ୍ଥିତିକୁ ଫେରିଯିବ। ଏବେ ତ ସରକାରୀ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଆରମ୍ଭ ହୋଇଛି। ଉଭୟ ରିଜର୍ଭବ୍ୟାଙ୍କ ଓ କେନ୍ଦ୍ର ସରକାର ମିଳିତ ଉଦ୍ୟମ କରନ୍ତୁ ପୁନର୍ଗଠିତ ଜାତୀୟକରଣ ବ୍ୟାଙ୍କଗୁଡ଼ିକ କିପରି ସୁପରିଚାଳିତ ହୋଇ ଅନ୍ତର୍ଜାତୀୟ ସ୍ତରର ବ୍ୟାଙ୍କ ହେବେ ଏବଂ ଭାରତୀୟ ଅର୍ଥନୀତିର ସମତୁଲ ବିକାଶ ପାଇଁ ଋଣ ଦେବେ। ବ୍ୟାଙ୍କ ପରିଚାଳନା ଓ ଋଣ ଦେବା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ଯେପରି ନହୁଏ ସେଥିପ୍ରତି ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ତୀକ୍ଷ୍ଣ ଦୃଷ୍ଟି ଦେବା ଆବଶ୍ୟକ। ବ୍ୟାଙ୍କ ଜାତୀୟକରଣର ପୂର୍ବବର୍ତ୍ତୀ ସ୍ଥିତିକୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଏବେ ନେଇଗଲେ ଭାରତୀୟ ଅର୍ଥନୀତି କ୍ଷେତ୍ର ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ।

ନଟବର ଖୁଣ୍ଟିଆ

ଏ୫୦୨,ମୋତିବ୍ଲକ, ତୋଷାଳି ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ବର-୭, ଫୋ:୯୯୩୭୯୫୧୨୬୨,natabarkhuntia@gmail.com

Comments are closed.