ଘଡି ଟାୱାର ଉଦଘାଟିତ : ପାଟନା ହୋଟେଲ ଛକକୁ ମିଳିଲା ଘଡ଼ି ଛକର ପରିଚୟ

ବଲାଙ୍ଗିର :  ସହରର ହୃଦୟ ପାଟନା ଛକ । ଏହି ଛକକୁ ୫ଟି ରାସ୍ତା ସଂଯୋଗ କରୁଥିଲା । ତେବେ ପୌର ପରିଷଦ ଆଡୁ ଆସିଲେ ପାଟନା ଛକ କଡ଼ରେ ବହୁ ବର୍ଷ ଧରି ଅଳିଆ ଆବର୍ଜନା ଓ ଡ୍ରେନ୍ ପାଣି ଜମି ରହୁଥିଲା । ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା । ଲୋକେ ନାକ ଟେକୁଥିଲେ । ତେବେ ପୂର୍ବତନ ସାଂସଦ ତାଙ୍କ ସାଂସଦ ପାଣ୍ଠିରୁ ପାଟଣା ଛକର ଏହି ପୁତିଗନ୍ଧମୟ ସ୍ଥାନକୁ ସୁନ୍ଦର କରି ଘଡି ଟାୱାର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେଇଥିଲେ । କରୋନା କଟକଣା ଯୋଗୁଁ କାମ ଧିମେଇ ଯାଇଥିବା ବେଳେ ଏହା ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ନିକଟରେ ଘଡି ଟାୱାରର କାମ ଶେଷ ହୋଇଥିବା ବେଳେ କେବେ ଏହାର ଉଦଘାଟନ କରାଯିବ ତାକୁ ନେଇ ଅନେକଙ୍କ ଅପେକ୍ଷା ଥିଲା। କେବଳ ସହରବାସୀ ନୁହେଁ, ଜିଲାବାହାରୁ ଆସୁଥିବା ଲୋକେ ମଧ୍ୟ ଏହି ଛକ ଦେଇ ଯାଉଥିବାରୁ ସମୟ ଜାଣିପାରିବା ସହ ସହରକୁ ସୁନ୍ଦର କରିବ ବୋଲି ଅନେକଙ୍କ ଆଶା ଥିଲା। ହେଲେ ଜିଲା ପ୍ରଶାସନ ଏହାକୁ ନିଆରା ଢଙ୍ଗରେ ଉଦଘାଟନ କରିଛି।

ଶୁକ୍ରବାର ରାତି ୧୨ଟା (ଜିରୋ ନାଇଟ୍) ନୂଆ ବର୍ଷର ଆଗମନରେ ବଲାଙ୍ଗିର ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଉପ ଜିଲାପାଳ ଲମ୍ବୋଦର ଧରୁଆ, ପୌର ପରିଷଦର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଉପସ୍ଥିତ ରହି ଉଦଘାଟନ କରିଥିଲେ । କରୋନା କଟକଣା ଥିବାରୁ ବେଶ ଭିଡଭାଡ ନଥିଲେ ମଧ୍ୟ ବିଜେଡି କର୍ମୀମାନେ ଉଦଘାଟନୀ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିଲେ । ଜିଲାବାସୀଙ୍କୁ ବାର୍ତ୍ତା ଦେଇ ଅତିରିକ୍ତ ଜିଲାପାଳ, ଉପ ଜିଲାପାଳ ଓ ପୌର ନିର୍ବାହୀ ଅଧିକାରୀ କହିଥିଲେ ନିଆରା ଉଦ୍ୟମଟିଏ ହୋଇଛି । ଏହାଦ୍ୱାରା ସହରର କଳେବର ବୃଦ୍ଧି ପାଉଛି। କେବଳ ସହରାଞ୍ଚଳ ବିକାଶ ନୁହେଁ, ଗ୍ରାମାଞ୍ଚଳର ବିକାଶକୁ ବି ଗୁରୁତ୍ୱ ଦିଆଯାଉଛି। ନବ ବର୍ଷ ଜିଲା ପାଇଁ ଶୁଭଙ୍କର ହେଉ।
ସୂଚନାଯୋଗ୍ୟ ଯେ, କାହିଁ କେତେ ବର୍ଷ ତଳୁ ବରଗଡ, ସୋନପୁର, କଳାହାଣ୍ଡି, ନୂଆପଡ଼ା ରାସ୍ତାରେ ଆସି ବଲାଙ୍ଗିର ଅତିକ୍ରମ କରି ଅନ୍ୟାନ୍ୟ ଅଞ୍ଚଳକୁ ଯାଉଥିବା ଲୋକେ ଏହି ଛକକୁ ପାଟନା ହୋଟେଲ ଛକ ବୋଲି ଜାଣିଥିଲେ। ତେବେ ଘଡି ଟାୱାର ଉଦଘାଟିତ ହେବା ପରେ ପାଟନା ହୋଟେଲ ଛକ ନାଁ ବଦଳି ଯାଇଛି । ଏହି ସ୍ଥାନ ଏବେ ଘଡି ଛକ ବୋଲି ଅନେକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।

Comments are closed.