ୱାସିମ୍‌ ଜାଫର୍‌ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳର ବ୍ୟାଟିଂ ପ୍ରଶିକ୍ଷକ

ମୋହାଲି  : ବରିଷ୍ଠ ଓପନର୍‌ ୱାସିମ୍‌ ଜାଫର୍‌ଙ୍କୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବର ବ୍ୟାଟିଂ ପ୍ରଶିକ୍ଷକ ଭା​ବେ ନିଯୁକ୍ତି ମିଳିଛି। ଯଦିଓ ଏ ସଂପର୍କରେ ଦଳ ତରଫରୁ ବିଧିବଦ୍ଧ ଭାବେ ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ତଥାପି କିଙ୍ଗ୍‌ସ ଏକାଦଶର ୱେବସାଇଟ୍‌ରେ ଜାଫରଙ୍କୁ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଉଲ୍ଲେଖ କରାଯାଇଛି।
ଘରୋଇ କ୍ରିକେଟ୍‌ରେ ଜାଫର ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଟସମ୍ୟାନ୍‌ ଭାବେ ବେଶ୍‌ ସକ୍ରିୟ। ସେ ଚଳିତ ରଣଜୀ ସିଜିନ୍‌ରେ ବିଦର୍ଭ ଦଳକୁ ପ୍ରତିନିଧିତ୍ବ କରୁଛନ୍ତି। ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ କିଛିଦିନ ତଳେ ନିଜ ରଣଜୀ କ୍ୟାରିୟର ୧୫୦ତମ ମ୍ୟାଚ୍ ଖେଳିଛନ୍ତି। ରଣଜୀରେ ସେ ୨୦ ହଜାର ରନ୍ ସଂଗ୍ରହ କରିବାର ନିକଟବର୍ତ୍ତୀ ହୋଇପାରିଛନ୍ତି।

୪୧ ବର୍ଷୀୟ ଜାଫର୍‌ ଭାରତ ତରଫରୁ ୩୧ଟି ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ଆଇପିଏଲ୍‌ରେ ସେ ୨୦୦୮ରେ ରୟାଲ ଚ୍ୟାଲେଞ୍ଜର୍ସ ତରଫରୁ ୮ଟି ମ୍ୟାଚ୍ ଖେଳି ୧୩୦ ରନ୍‌ ସଂଗ୍ରହ କରିଥିଲେ। ସୂଚନାଥାଉକି କିଙ୍ଗ୍‌ସ ଏକାଦଶ ପଞ୍ଜାବର ମୁଖ୍ୟ ପ୍ରଶିକ୍ଷକ ଭାବେ ଅନୀଲ କୁମ୍ବଲେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ପ୍ରରୋଚନାରେ ଜାଫର ଏହି ଦଳର ବ୍ୟାଟିଂ ପ୍ରଶିକ୍ଷକ ହେବାକୁ ରାଜି ହୋଇଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜାଫର୍‌ କହିଥିଲେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବେ ସେ ନିଯୁକ୍ତ ହେବା ପଛରେ କୁମ୍ବଲେଙ୍କ ବହୁତ ଅବଦାନ ରହିଛି। ଜଣେ କ୍ରିକେଟର୍‌ ଭାବେ ସେ କୁମ୍ବଲେଙ୍କ ଅଧୀନରେ ମ୍ୟାଚ୍‌ ଖେଳିବା ସହ ତାଙ୍କ ଠାରୁ ବହୁତ କିଛି ଶିଖିଥିଲେ। କିଙ୍ଗ୍‌ସ ଏକାଦଶର ବ୍ୟାଟିଂ ପ୍ରଶିକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିବା ତାଙ୍କ ପାଇଁ ନୂଆ ଅଭିଜ୍ଞତା ହେବାକୁ ଯାଉଛି।

Comments are closed.