ପୃଥ୍ବୀଙ୍କୁ ସେହ୍ବାଗଙ୍କ ସହ ତୁଳନା କଲେ ଜାଫର

ମୁମ୍ବାଇ : ପୂର୍ବତନ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ସ୍ଥାନ ପୂରଣ କରିବା ନେଇ ଯୁବ କ୍ରିକେଟର ପୃଥ୍ବୀ ସ ଙ୍କ ନିକଟରେ ଦକ୍ଷତା ରହିଛି। ସେ କେବଳ ନିଜ ଖେଳ ଉପରେ ନିୟନ୍ତ୍ରଣ ରଖିପାରିଲେ ଭାରତୀୟ ଦଳର ଦ୍ବିତୀୟ ସେହ୍ବାଗ ହୋଇପାରିବେ ବୋଲି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଉତ୍ତରାଖଣ୍ଡ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ୱାସିମ ଜାଫର କହିଛନ୍ତି। ଆକାଶ ଚୋପ୍ରାଙ୍କ ୟୁ ଟ୍ୟୁବ୍ ଚାନେଲରେ ଆଲୋଚନା ସମୟରେ ଜାଫର କହିଛନ୍ତି ଯେ, ପୃଥ୍ବୀ ସ ଜଣେ ସ୍ବତନ୍ତ୍ର ଖେଳାଳି। ଏଥିରେ କୌଣସି ସନ୍ଦେହ ନାହିଁ। ତାଙ୍କ ନିକଟରେ ଜଣେ ଭଲ ଖେଳାଳି ହେବା ନେଇ ସବୁ ପ୍ରକାର ଦକ୍ଷତା ରହିଛି। ନ୍ୟୁଜିଲାଣ୍ଡ ଗସ୍ତରେ ପୃଥ୍ବୀ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲେ। ସଟ୍ ବଲରେ ଦୁର୍ବଳତା ଦେଖିବାକୁ ମିଳିଥିଲା। ତ୍ରୁଟିକୁ ସୁଧାରିବା ସହିତ ନିଜ ଉପରେ ନିୟନ୍ତ୍ରଣ କରିବା ଶିଖିଲେ ଭବିଷ୍ୟତରେ ସେହ୍ବାଗଙ୍କ ସ୍ଥାନ ପୂରଣ କରିପାରିବେ ବୋଲି ଜାଫର କହିଛନ୍ତି।