ସଲମାନଙ୍କ ଫିଲ୍ମରୁ କ୍ୟାରିଅର ଆରମ୍ଭ କରି ବଲିଉଡରେ ରାଜ୍ କରିଥିଲା ସାଜିଦ-ୱାଜିଦଙ୍କ ଯୋଡି

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନଙ୍କ ୪୨ ବର୍ଷ ବୟସରେ ରବିବାର ରାତିରେ ମୁମ୍ବଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ବଲିଉଡକୁ ଏକ ଶକ୍ତ ଧକ୍କା ଲାଗିଛି। ଓ୍ୱାଜିଦଙ୍କ ବିୟୋଗରେ ବଲିଉଡରରେ ଶୋକର ଛାୟା ଖେଳିଯାଇଛି। ସେ ହୃଦରୋଗ ଓ କିଡନୀ ଜନିତ ସମସ୍ୟାରେପୀଡିତ ଥିଲେ । ସେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା କୁହାଯାଉଛି ।
ସଙ୍ଗୀତ ନିର୍ଦେଶନାରେ ୱାଜିଦ୍ ଖାନ୍ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି। ୧୯୯୮ରେ ରିଲିଜ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର୍‌ କିଆ ତୋ ଡରନା କ୍ୟା’ ଜରିଆରେ ଓ୍ୱାଜିଦ ବଲିଉଡରେ ପ୍ରବେଶ କରିଥିଲେ। ଦୁଇ ଭାଇ ସାଜିଦ-ଓ୍ୱାଜିଦ୍‌ ମିଶି ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲା। ବଲିଉଡରେ ସାଜିଦ-ଓ୍ୱାଜିଦ ଯୋଡ଼ି ଭାବେ ସେ ପ୍ରସିଦ୍ଧ ଥିଲେ।
ଦୁଇ ଭାଇ ସାଜିଦ୍- ୱାଜିଦ୍ ଖାନ୍ ଉତ୍ତରପ୍ରଦେଶର ସାହାରନପୁରର ବାସିନ୍ଦା। ସଙ୍ଗୀତ ନିର୍ଦ୍ଦେଶନା ବ୍ୟତୀତ ୱାଜିଦ୍ ଖାନ୍ ଅନେକ ବଲିଉଡ ଫିଲ୍ମର ଗୀତରେ କଣ୍ଠଦାନ ମଧ୍ୟ କରିଥିଲେ। ଏହି ଦୁଇ ଭାଇଙ୍କ ଯୋଡି ଅଧିକାଂଶ ସଲମାନଙ୍କ ଚଳଚ୍ଚିତ୍ରର ଗୀତରେ ସଙ୍ଗୀତ ଦେଇଛନ୍ତି ଏବଂ ଗୀତ ଗାଇଛନ୍ତି।
୧୯୯୮ ମସିହାରେ ଫିଲ୍ମ ’ପ୍ୟାର୍ କିୟା ତୋ ଡ଼ରନା କ୍ୟା’ ରିଲିଜ ହୋଇଥିଲା। ସାଜିଦ- ୱାଜିଦ୍ ଖାନ୍ ଏହି ଚଳଚ୍ଚିତ୍ରର ’ତେରୀ ଜବାନୀ’ ଗୀତରେ ତାଙ୍କର ସଙ୍ଗୀତ ଦେଇଥିଲେ, ଯାହା ଦର୍ଶକଙ୍କ ଦୃଦୟରେ ଘର କରିପାରିଥିଲା। ଏହା ପରେ, ଏହି ଦୁଇ ଭାଇଙ୍କ ଯୋଡି ୧୯୯୯ରେ ସୋନୁ ନିଗମଙ୍କ ଆଲବମ୍ ’ଦିୱାନା’ ଏବଂ ସଲମାନ ଖାନଙ୍କ ଫିଲ୍ମ ’ହେଲୋ ଭାଇ’ ର ଚାରୋଟି ଗୀତରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ସେବେଠାରୁ ସାଜିଦ-ୱାଜିଦ ଖାନ ଅନେକ ସଲମାନ ଖାନଙ୍କ ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି।

ୱାଜିଦ୍ ଖାନ୍ ଅନେକ ଗୀତରେ ସଙ୍ଗୀତ ନିର୍ଦେଶନାର ଗୁରୁଦାୟିତ୍ଵ ବହନ କରିଥିବାବେଳେ ଅନେକ ଚଳଚ୍ଚିତ୍ରର ଗୀତରେ ମଧ୍ୟ ସ୍ୱର ଦେଇଥିଲେ। ଏଥିରେ ’ୱାଣ୍ଟେଡ’ର’ ଲଭ୍ ମି ଲଭ୍ ମି ’ଗୀତ,’ ଦବଙ୍ଗ’ରୁ ’ହମ୍କୋ ପିନି ହେ ପିନି ହେ ’, ’ଏକ ଥା ଟାଇଗର’ ଚଳଚ୍ଚିତ୍ରର ’ମାଶାୱାଲା’ ଗୀତରେ କଣ୍ଠଦାନ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ। ସାଜିଦ-ୱାଜିଦ ଖାନଙ୍କୁ ମଧ୍ୟ ତାଙ୍କର ମହାନ ସଂଗୀତ ପାଇଁ ଅନେକ ପୁରସ୍କାର ପ୍ରଦାନ କରାଯାଇଛି।

ସାଜିଦ୍- ୱାଜିଦ୍ ଖାନ୍ ୨୦୧୧ ମସିହାରେ ଫିଲ୍ମ ଦବଙ୍ଗର ସଂଗୀତ ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ରଚନା ପୁରସ୍କାର ଗ୍ରହଣ କରିଥିଲେ। ଏହି ଦୁଇ ଭାଇଙ୍କ ଯୋଡି ଦବଙ୍ଗ ଫିଲ୍ମର ସଙ୍ଗୀତ ପାଇଁ ଆହୁରି ଅନେକ ପୁରସ୍କାର ଜିତିଥିଲେ। ଏହା ବ୍ୟତୀତ ’ଦବଙ୍ଗ ୨’ର’ ଫେଭିକୋଲ ସେ ’ଗୀତଗୁଡ଼ିକୁ ଗିଲ୍ଡ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୩ ରେ ରେଡିଓରେ ଏହା ସବୁଠାରୁ ଅଧିକ ଶୁଣାଯାଇଥିବା ଗୀତ ମଧ୍ୟରୁ ଗୋଟିଏ ଥିଲା।

Comments are closed.