ଦ୍ରାବିଡ଼ ଦଳ ପାଇଁ ଶ୍ରେଷ୍ଠ ଖେଳାଳି; କ୍ରିକେଟ୍‌ର ଶୃଙ୍ଖଳିତ ଛାତ୍ର : ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳରେ ତାଙ୍କର ପୁରୁଣା ସାଥୀ ଖେଳାଳି ରାହୁଲ ଦ୍ରାବିଡ଼ଙ୍କୁ ବେଶ୍‍ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍‍ ଭିଭିଏସ୍‍ ଲକ୍ଷ୍ମଣ। ଦଳ ପାଇଁ ଭଲ ପ୍ରଦର୍ଶନ କରିବାକୁ ଦ୍ରାବିଡ଼ ସର୍ବଦା ପ୍ରୟାସ କରିଥାଆନ୍ତି। ବ୍ୟକ୍ତିଗତ ପ୍ରଦର୍ଶନ ଅପେକ୍ଷା ଦଳର ବିଜୟକୁ ଦ୍ରାବିଡ଼ ସର୍ବଦା ଅଧିକ ଗୁରୁତ୍ୱ ଦେଇଥାଆନ୍ତି। ଭାରତୀୟ ଦଳ ପାଇଁ ରାହୁଲ ଦ୍ରାବିଡ଼ଙ୍କ ନିଷ୍ଠା ଓ ତ୍ୟାଗ ବେଶ୍‍ ଅତୁଳନୀୟ ବୋଲି ଲକ୍ଷ୍ମଣ କହିଛନ୍ତି। ଦଳର ବିଜୟ ପଥରେ ଯାହାସବୁ ଆହ୍ୱାନ ଆସିଲେ ବି ସମ୍ମୁଖରେ ରହି ଲଢ଼ିବାକୁ ଦ୍ରାବିଡ଼ ପସନ୍ଦ କରିଥାଆନ୍ତି ବୋଲି ହାଇଦରାବାଦର ଷ୍ଟାଇଲିସ୍‍ ବ୍ୟାଟସମ୍ୟାନ୍‍ ଭିଭିଏସ୍‍ ଲକ୍ଷ୍ମଣ କହିଛନ୍ତି। ତାଙ୍କ ଟ୍ୱିଟର ପୃଷ୍ଠାରେ ଦ୍ରାବିଡ଼ଙ୍କୁ ପ୍ରଶଂସାକରି ତାଙ୍କୁ ସର୍ବଶ୍ରେଷ୍ଠ ଦଳୀୟ ଖେଳାଳି ଏବଂ କ୍ରିକେଟର ସବୁଠାରୁ ଶୃଙ୍ଖଳିତ ଛାତ୍ର ବୋଲି ବର୍ଣ୍ଣନା କରିଛନ୍ତି। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ମିଶି ରାହୁଲ ଦ୍ରାବିଡ଼ ଓ ଭିଭିଏସ୍‍ ଲକ୍ଷ୍ମଣ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ୍‍ ଗଠନ କରିଥିଲେ। ଦ୍ରାବିଡ଼ ଓ ଲକ୍ଷ୍ମଣ ଭାରତୀୟ କ୍ରିକେଟ୍‌ ଦଳର ବହୁ ଗୌରବମୟ ବିଜୟର ବିନ୍ଧାଣୀ। ଦ୍ରାବିଡ଼ଙ୍କୁ ପ୍ରଶଂସାକରି ଲକ୍ଷ୍ମଣ ଆହୁରି କହିଛନ୍ତି, ରାହୁଲ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଭିନ୍ନ ଅଙ୍ଗ ଓ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‍ ଥିଲେ। ତାଙ୍କ ସମୟରେ ଦ୍ରାବିଡ଼ଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‍ ଭାବେ ଗଣନା କରା ଯାଉଥିଲା। ଦଳ ଭିତରେ ଓ ବାହାରେ ଦ୍ରାବିଡ଼ଙ୍କୁ ବହୁତ ସମ୍ମାନ ମିଳିଥିଲା। ତେଣୁ ଯେତେବେଳେ ଦିନିକିଆ କ୍ରିକେଟ୍‌ରେ ଦ୍ରାବିଡ଼ଙ୍କୁ ୱିକେଟ ରକ୍ଷଣ କରିବାକୁ କୁହାଗଲା; ସେ ମନା କରି ଦେଇଥାଆନ୍ତେ। ତେବେ ଦଳର ସ୍ୱାର୍ଥକୁ ଦେଖି ୱିକେଟ ରକ୍ଷଣ କରିବାକୁ ଦ୍ରାବିଡ଼ ରାଜି ହୋଇଥିଲେ। ୫୦ ଓଭର ୱିକେଟ ରକ୍ଷଣ କରିବା ପରେ ୩ନଂ ସ୍ଥାନରେ ବ୍ୟାଟିଂକରିବା ନିଶ୍ଚୟ କଷ୍ଟକର। ଏହା ଜାଣିବା ସତ୍ତ୍ବେ ଦ୍ରାବିଡ଼ ସାଦରେ ୱିକେଟ ରକ୍ଷଣ ଦାୟିତ୍ୱକୁ ଗ୍ରହଣ କରିଥିଲେ। ତାଙ୍କର ବ୍ୟାଟିଂ ଟେକ୍‍ନିକ୍‍ ଓ ମଜ୍‍ଭୁତ ଡିଫେନ୍‍ସ ଯୋଗୁଁ ଦ୍ରାବିଡ଼ଙ୍କୁ କ୍ରିକେଟ୍‌ ଦୁନିଆ ‘ଦି ୱାଲ’ ନାମ ଦେଇଥିଲା। ଭାରତ ପାଇଁ ଦ୍ରାବିଡ଼ ୧୬୪ଟି ଟେଷ୍ଟମ୍ୟାଚ୍‍, ୩୪୪ଟି ଦିନିକିଆ ମ୍ୟାଚ୍‍ ଓ ଗୋଟିଏ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଛନ୍ତି। ଏଥିରୁ ସେ ଯଥାକ୍ରମେ ୧୩୨୮୮, ୧୦୮୯୯ ଓ ୩୧ ରନ୍‍ ସ୍କୋର୍‍ କରିଛନ୍ତି। ୧୯୯୯ରୁ ୨୦୦୪ ମଧ୍ୟରେ ରାହୁଲ ଦ୍ରାବିଡ଼ ୭୩ଟି ଦିନିକିଆ ମ୍ୟାଚ୍‍ରେ ୱିକେଟ ରକ୍ଷଣ କରିଛନ୍ତି। ଏଥରୁ ସେ ୭୧ଟି କ୍ୟାଚ୍‍ ଓ ୧୩ଟି ଷ୍ଟମ୍ପିଂ ହାସଲ କରିଛନ୍ତି। ୨୦୦୧ରେ ଇଡେନ୍‍ ଗାର୍ଡେନ୍‍ସରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫଲୋଅନ୍‍ ହେବା ପରେ ରାହୁଲ ଦ୍ରାବିଡ଼ ଓ ଭିଭିଏସ୍‍ ଲକ୍ଷ୍ମଣ ମାରାଥନ୍‍ ୩୭୬ ରନ୍‍ର ଭାଗିଦାରୀ କରି ଭାରତକୁ ସ୍ମରଣୀୟ ବିଜୟ ଦେଇଥିଲେ। ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମ ଦଳ ଭାବେ ଫଲୋଅନ୍‍ ହେବା ପରେ ଭାରତ ଏକ ଟେଷ୍ଟମ୍ୟାଚ୍‍ ଜିତିଥିଲା। ଏହାସହ ଅଷ୍ଟ୍ରେଲିଆର ୧୬ ଟେଷ୍ଟମ୍ୟାଚ୍‍ର ବିଜୟଧାରା ଭଙ୍ଗ ହୋଇଥିଲା। ୨୦୧୨ରେ ଦ୍ରାବିଡ଼ କ୍ରିକେଟ୍‌ରୁ ଅବସର ନେଇଥିଲେ।

Comments are closed.