ଭିଏସଏସ ନଗର ଠାରେ ଲୋକାର୍ପିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

୯ଟି ପ୍ରମୁଖ ସ୍ୱାସ୍ଥ୍ୟ ସେବା ସହ ଉପକୃତ ହେବେ ସ୍ଥାନୀୟ ୨୦ ହଜାର ଜନସାଧାରଣ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଭିଏସଏସ ନଗର ୱାର୍ଡ଼ ନଂ ୧୧ ଠାରେ ଭୁବନେଶ୍ୱରର ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଉତ୍ତର ଭୁବନେଶ୍ୱର ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ୱାର୍ଡ଼ ନଂ ୧୧ର କର୍ପୋରେଟର୍ ପ୍ରଭାସିନୀ ମହାନ୍ତିଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ଆଡ଼ିସନାଲ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଉତ୍ତର ଜୋନର ଜୋନାଲ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ, ସିଡିଏମଓ ଖୋର୍ଦ୍ଧା, ଭୁବନେଶ୍ୱର ମହାନଗର ନିଗମ ଓ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହିତ ୱାର୍ଡ଼ ନଂ ୧୧ର ବହୁ ସଦସ୍ୟ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ ଏହି ଆରୋଗ୍ୟ କେନ୍ଦ୍ର ଦ୍ୱାରା ସ୍ଥାନୀୟ ୧୫ ହଜାରରୁ ୨୦ ହଜାର ଜନସାଧାରଣ ଉପକୃତ ହେବେ। ଅଭିଜ୍ଞ ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ ସାଙ୍ଗକୁ ନିଶୁଳ୍କ ଔଷଧ ଓ ଉତ୍ତମ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇ ପାରିବେ ସ୍ଥାନୀୟ ଜନସାଧାରଣ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାରମ୍ଭିକ ଭାବେ ୯ଟି କ୍ଷେତ୍ରରେ ସେବା ଯୋଗାଇ ଦିଆଯିବ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି। ତେବେ ଭୁବନେଶ୍ୱରର ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭିଏସଏସ ନଗରଠାରେ ଖୋଲା ଯାଇଥିବାରୁ ଭୁବନେଶ୍ୱର ମହାନଗର ନିଗମକୁ ସ୍ଥାନୀୟ ଜନସାଧାରଣ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.