ରାଜ୍ୟରେ ଗ୍ରାମାଞ୍ଚଳର ମୋଟ ଭୋଟର ସଂଖ୍ୟା ୨,୭୮,୩୯,୪୫୧

ତ୍ସ୍ତରିରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ଚୂଡ଼ାନ୍ତ

ଭୁବନେଶ୍ୱର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ନିମନ୍ତେ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ବାଲେଶ୍ୱର ଜିଲା ବ୍ୟତୀତ ସମସ୍ତ ଜିଲାର ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ।
ଘୋଷଣା ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ୨୦୨୧ ମସିହା ନଭେମ୍ବର ୧୬ ତାରିଖରେ ପ୍ରାଥମିକ ଭୋଟର ତାଲିକା ଗ୍ରାମପଞ୍ଚାୟତ ସଦର ମହକୁମାରେ ପ୍ରକାଶ ପାଇବ । ଏହି ତାରିଖଠାରୁ ୨୦୨୧ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ ଭୋଟର ତାଲିକା ସଂପର୍କିତ ସମସ୍ତ ଦାବି ଓ ଆପତ୍ତି ଇଲେକେଫାରାଲ୍‌ ରେଜିଷ୍ଟ୍ରେସନ୍‌ ଅଧିକାରୀଙ୍କ ପାଖରେ ଦାଖଲ କରିପାରିବେ ।
ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ଯେଉଁ ଭୋଟର ତାଲିକା ଜାନୁଆରୀ ୨୦୨୧ରେ ପ୍ରକାଶିତ ହୋଇଛି ତାହାକୁ ଅଧାର କରି ପଞ୍ଚାୟତ ନିର୍ବାଚନ ଲାଗି ଭୋଟର ତାଲିକା ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ନୂଆକରି ଭୋଟର ତାଲିକାରେ ନିଜର ନାମ ପଞ୍ଜୀକରଣ କିମ୍ବା ସଂଶୋଧନ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଏହି ଧାର୍ଯ୍ୟ ତାରିଖ ମଧ୍ୟରେ ଫର୍ମ ୧୬ ଯୋଗେ ଆବେଦନ କରିପାରିବେ ।

ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ତା. ୦୧/୧୧/୨୦୨୧ରିଖକୁ ଯୋଗ୍ୟ ତାରିଖ ରୂପେ ନିର୍ଦ୍ଧାରଣ କରିଛନ୍ତି । ଏହି ତାରିଖ ସୁଦ୍ଧା ୧୮ ବର୍ଷ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଏବଂ ଭୋଟର ତାଲିକାରେ ପଞ୍ଜୀକରଣ ନିମନ୍ତେ ଯୋଗ୍ୟ ସମସ୍ତ ବ୍ୟକ୍ତିବିଶେଷ ସାଧାରଣ ଭାବେ ପଞ୍ଚାୟତର ଯେଉଁ ୱାର୍ଡରେ ବାସ କରୁଛନ୍ତି ଉକ୍ତ ୱାର୍ଡର ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଦରଖାସ୍ତ କରିପାରିବେ । ସେହିପରି ଭୋଟର ତାଲିକାଭୁକ୍ତ ନାମ ସମ୍ବନ୍ଧରେ ଆପତ୍ତି ପାଇଁ ଫର୍ମ ନମ୍ବର ୧୭ ଜରିଆରେ ଆବେଦନ କରିପାରିବେ । ଏହି ସମସ୍ତ ୧୬ ଏବଂ ୧୭ ଫର୍ମ ଗ୍ରାମପଞ୍ଚାୟତର ସଦର ମହକୁମାରେ ଇଲେକ୍‌ଟୋରାଲ ରେଜିଷ୍ଟ୍ରେସନ୍‌ ଅଫିସରଙ୍କଠାରୁ ବିନାମୂଲ୍ୟରେ ମିଳିପାରିବ । ଏଣୁ ଭୋଟର ତାଲିକାଭୁକ୍ତ ହେବା ପାଇଁ ସମସ୍ତ ଯୋଗ୍ୟ ବ୍ୟକ୍ତି ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଏହାର ସୁଯୋଗ ନେବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆଜିର ବୈଠକରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏହାପରେ ୨୪ ନଭେମ୍ବର ୨୦୨୧ଠାରୁ ୨୬ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଇଲେକ୍‌ଟୋରାଲ ରେଜିଷ୍ଟ୍ରେସନ୍‌ ଅଧିକାରୀଙ୍କ ଦ୍ୱାରା ଆସିଥିବା ଦାବି ଓ ଆପତ୍ତିଗୁଡ଼ିକର ତଦନ୍ତ ଓ ଫଇସଲା କରାଯିବ ।
୨୯ ନଭେମ୍ବର ୨୦୨୧ଠାରୁ ୩୦ ନଭେମ୍ବର ୨୦୨୧ ମଧ୍ୟରେ ଚିଠା ଭୋଟର ତାଲିକା ନିରୀକ୍ଷଣ ଏବଂ ଇଲେକ୍‌ଟୋରାଲ୍‌ ରେଜିଷ୍ଟ୍ରେସନ୍‌ ଅଧିକାରୀଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ବ୍ୟକ୍ତି ବିଡ଼ିଓଙ୍କୁ ଦରଖାସ୍ତ ପ୍ରଦାନ କରିପାରିବେ । ୧ ଡିସେମ୍ବର ୨୦୨୧ଠାରୁ ୨ ଡିସେମ୍ବର ୨୦୨୧ ମଧ୍ୟରେ ବିଡ଼ିଓ ତଥା ଇଲେକ୍‌ଟୋରାଲ୍‌ ରେଜିଷ୍ଟ୍ରେସନ୍‌ ଅଧିକାରୀଙ୍କ ଦ୍ୱାରା ଦରଖାସ୍ତଗୁଡ଼ିକର ଫଇସଲା କରାଯିବ । ୪ ଡିସେମ୍ବର ୨୦୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ୬ ଡିସେମ୍ବର ୨୦୨୧ରେ ଚୂଡ଼ାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ଏବଂ ୧୪ ଡିସେମ୍ବର ୨୦୨୧ରେ ମୁଦ୍ରିତ ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟକୁ ପ୍ରେରଣ କରାଯିବ ।
ବିଧାନସଭା ଭୋଟର ତାଲିକା-୨୦୨୧ ଅନୁସାରେ ଗ୍ରାମାଞ୍ଚଳର ମୋଟ ଭୋଟର ସଂଖ୍ୟା ୨,୭୮,୩୯,୪୫୧ ରହିଛି । ଏଥିରେ ପୁରୁଷ ଭୋଟର ସଂଖ୍ୟା ୧,୪୨,୦୦,୫୮୯ ଏବଂ ମହିଳା ଭୋଟର ସଂଖ୍ୟା ୧,୩୬,୩୬,୮୭୯ ଏବଂ ତୃତୀୟଲିଙ୍ଗ ଭୋଟର ସଂଖ୍ୟା ୧୯୪୭ ରହିଛି ।
ସୂଚନାଯୋଗ୍ୟ ଯେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲାପାଳ ଇଲେକ୍‌ଟୋରାଲ୍‌ ରେଜିଷ୍ଟ୍ରେସନ୍‌ ଅଧିକାରୀ ଭୋଟର ତାଲିକା ପ୍ରସ୍ତୁତି ଓ ଚୂଡ଼ାନ୍ତ କାର୍ଯ୍ୟର ସାମୂହିକ ଭାବେ ଦାୟିତ୍ୱ ତୁଲାଇବେ । କୌଣସି ବ୍ୟକ୍ତି ଯେ କି ଲୋକପ୍ରତିନିଧି ଅଧିନିୟମ ୧୯୫୦ ଓ ଓଡ଼ିଶା ଗ୍ରାମପଞ୍ଚାୟତ ଅଧିନିୟମ ୧୯୬୪ ଅନୁସାରେ କୌଣସି ଗ୍ରାମପଞ୍ଚାୟତର ଭୋଟର ହିସାବରେ ତାଲିକାଭୁକ୍ତ ହେବା ପାଇଁ ଯୋଗ୍ୟଥିବେ, ସଂପୃକ୍ତ ୱାର୍ଡର ଭୋଟର ତାଲିକାରେ ତାଙ୍କର ନାମ ଦରଜ ହେବ ଓ ଯେଉଁ ବ୍ୟକ୍ତି ଉକ୍ତ ଅଧିନିୟମ ଅନୁସାରେ ଅଯୋଗ୍ୟ ଥିଲେ ତାଙ୍କର ନାମ ସଂପୃକ୍ତ ଭୋଟର ତାଲିକାରୁ ବାଦ ଦିଆଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ  ରଘୁରାମ ଆର୍‌. ଆୟାର, ଉପ ସଚିବ  ଆଜାଦ ହିନ୍ଦ୍‌ ପାଣିଗ୍ରାହୀ ଏବଂ ଆଇନ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.