ରାଜ୍ୟର ବିକାଶ ଏକମାତ୍ର ଲକ୍ଷ୍ୟ ; ରାଜ୍ୟପାଳଙ୍କୁ ଧନ୍ୟବାଦ ପରେ ନବୀନଙ୍କ ଉତ୍ତର

-କେନ୍ଦ୍ରକୁ ଗଠନମୂଳକ ସହଯୋଗ ଆମର ନୀତି, -ଦୁର୍ବଳ ବର୍ଗର ବିକାଶ ପାଇଁ ଅମେ ପ୍ରତିଶ୍ରୁତିବଦ୍ଧ
-ଗଠନ ହେବ ସ୍କଲାରସିପ କାଉନସିଲ, -ମହିଳା ସଶକ୍ତୀକରଣ, ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ
-୬ଟି କ୍ଷେତ୍ରରେ ସୃଷ୍ଟି ହେବ ୩୦ଲକ୍ଷ ନିଯୁକ୍ତି ସୁବିଧା,-ସୃଷ୍ଟି ହେବ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି

ଭୁବନେଶ୍ବର : ରାଜ୍ୟର ନୀତି ହେଉଛି କେନ୍ଦ୍ରକୁ ଗଠନମୂଳକ ସହଯୋଗ ଯୋଗାଇଦେବା। ଏଥିରେ ରାଜ୍ୟର ବିକାଶ ଓ ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ କଲ୍ୟାଣ ହେବ ଏକମାତ୍ର ଏଜେଣ୍ଡା। ଏକଥା ଆମେ ଆମର ଇସ୍ତାହାରରେ କହିଥିଲୁ। ସାମଗ୍ରିକ ବିକାଶ ସହିତ ଏକ ସଶକ୍ତ ଓଡ଼ିଶା ନିର୍ମାଣ ହେଉଛି ଆମର ଲକ୍ଷ୍ୟ। ଓଡ଼ିଶାର ଜନସାଧାରଣ ଏ ଲକ୍ଷ୍ୟ ପୂରଣ ପାଇଁ ଆମକୁ ଅାଶୀର୍ବାଦ ଦେଇଛନ୍ତି। ଏ ଲକ୍ଷ୍ୟ ପୂରଣ ନିମନ୍ତେ ମୋ ସରକାର ଆଦୌ ଅବହେଳା କରିବ ନାହିଁ। ତେଣୁ ଲକ୍ଷ୍ୟ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସବୁ ସଦସ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥି​​‌ଲେ ‌ଯେ ଗଣତନ୍ତ୍ରରେ ଲୋକମତ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ରାଜ୍ୟକୁ ସେବା ଯୋଗାଇଦେବାରେ ଆଉ ଏକ ସୁଯୋଗ ଦେଇଥିବା ଜନତାଙ୍କ ରାୟକୁ ମୁଁ ବିନମ୍ରତାର ସହ ଗ୍ରହଣ କରିଛି। ଆମ ଉପରେ ରାଜ୍ୟବାସୀ ରଖିଥିବା ବିଶ୍ବାସ ଭୋଟରେ ପ୍ରତିଫଳିତ ହୋଇଛି। ଲୋକଙ୍କ ଆଶୀର୍ବାଦ ସହ ଆମେ ସ୍ବଚ୍ଛ ଓ ନାଗରିକ କୈନ୍ଦ୍ରିକ ପ୍ରଶାସନ ଯୋଗାଇବାକୁ ଆମର ଯାତ୍ରା ଅବ୍ୟାହତ ରଖିବୁ। ଗତ ୧୯ ବର୍ଷ ଭିତରେ ଆମେ ଆମର ପ୍ରତିଶ୍ରୁତି ରଖିଛୁ। ଆମେ ଆମ ସଫଳତା ପାଇଁ ଗର୍ବିତ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିକଟରେ ରାଜ୍ୟରେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟା ଫଣି ପ୍ରଭାବରେ ପୁରୀ, ଖୋର୍ଦ୍ଧା ଓ ଅନ୍ୟାନ୍ୟ ଜିଲାରେ ଲୋକଙ୍କ ଧନଜୀବନ ବ୍ୟପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଣି ପରିଚାଳନା ଓ ପୁନରୁଦ୍ଧାର ଦିଗରେ ଆମର ଉଦ୍ୟମ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହୋଇଛି। ଏଭଳି ବିପଦ ସମୟରେ ଓଡ଼ିଶାର ଲୋକମାନେ ଦୁଃସାହସର ସହିତ ମୁକାବିଲା କରିଥିବାରୁ ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆମ ସରକାର ରାଜ୍ୟର ଲୋକଙ୍କ ବିକାଶ ବି​‌େ​‌ଶଷ କରି ଦୁର୍ବଳ ବର୍ଗଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବା ନିମନ୍ତେ ଲୋକଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେବା ପାଇଁ ଶପଥଗ୍ରହଣ ଉତ୍ସବ ପରେ ତୁରନ୍ତ ମନ୍ତ୍ରୀ ପରିଷଦ ବୈଠକ ଡ଼କାଯାଇଥିଲା । ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ସରକାର ପ୍ରାଥମିକତା ଦେବା ଏବଂ ଧାର୍ଯ୍ୟ ସମୟ ଭିତରେ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସଂକଳ୍ପ ନିଆଯାଇଥିଲା।
କୃଷି ହେଉଛି ଆମ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପ୍ରଗତିର ମେରୁଦଣ୍ଡ। ପ୍ରତିଶ୍ରୁତି ଅନୁସାରେ କାଳିଆ ଯୋଜନା ଜାରି ରହିବ। ଜଳସେଚନର ବିକାଶ ପାଇଁ ଆମ ସରକାର ଉଦ୍ୟମ ଜାରି ରଖିବେ।
ଉତ୍ତମ ପ୍ରଶାସନ ପାଇଁ ମହିଳା ବିକାଶ ହେଉଛି ଖୁବ୍ ଗୁରୁତ୍ବପୂର୍ଣ୍ଣ। ମହିଳା ସଶକ୍ତୀକରଣକୁ ଆମେ ଆହୁରି ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରତି ଫୋରମରେ ମହିଳା ସଂରକ୍ଷଣ ପାଇଁ ମୋ ସରକାର ଏହାର ତତ୍ପରତା ଜାରି ରଖିବ।
ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ଆମ ସରକାରର ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଭିତରୁ ଅନ୍ୟତମ। ରାଜ୍ୟର ସମସ୍ତ ବ୍ଳକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲିବ। ଉଭୟ ମେଧା ଓ ସାମାଜିକ ଅର୍ଥନୈତିକ ବର୍ଗଙ୍କ ପାଇଁ ବୃତ୍ତି ବ୍ୟବସ୍ଥାକୁ ସହଜ କରିବା ପାଇଁ ଆମ ସରକାର ସ୍କଲାରସିପ କାଉନସିଲ ଗଠନ କରିବେ।
ବାକି ରହିଯାଇଥିବା ସମସ୍ତ କଚା ଘରକୁ ପକ୍କା କରିବା ପାଇଁ ତ୍ବରିତ ପଦକ୍ଷେପ ନିଆଯିବ। ଯୁବକଙ୍କ ପାଇଁ ନିଯୁକ୍ତି ହେଉଛି ଆମ ସରକାରଙ୍କ ଏଜେଣ୍ଡାର ପ୍ରମୁଖ ଭାଗରେ ରହିଛି। ରାଜ୍ୟର ୬ଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ୩୦ଲକ୍ଷ ନିଯୁକ୍ତି ସୁବିଧା ସୃଷ୍ଟି କରାଯିବ। ବିଶ୍ବ ଦକ୍ଷତା କେନ୍ଦ୍ର ଜରିଆରେ ଦେଢ଼ ଲକ୍ଷ ଉଚ୍ଚ ଦକ୍ଷତାସମ୍ପନ୍ନ ବୃତ୍ତିଧାରୀ ସୃଷ୍ଟି କରାଯିବ।
ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ସବୁଠୁ ଆକର୍ଷଣର କେନ୍ଦ୍ର କରିବା ନିମନ୍ତେ ଆମ ସରକାର ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ନିମନ୍ତେ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା।

Comments are closed.