ଭୋଟ ଗଣତିରେ ବିଳମ୍ବ କାହିଁକି

ବିହାରରେ ଭୋଟ ଗଣତିରେ ବିଳମ୍ବ ଘଟିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତି ଜାରି ରହିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି; ତେ​‌​‌ବେ ଏଭଳି ଅହେତୁକ ବିଳମ୍ବ ପଛରେ କୌଣସି ଅଭିସନ୍ଧି ରହିଥିବା ଆରଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଦିନ ପ୍ରାୟ ୧ଟା ସୁଦ୍ଧା ବିହାରରେ ମାତ୍ର ତିନି ପର୍ଯ୍ୟାୟ ଗଣତି ଶେଷ ହୋଇଥିବା ଏବଂ ଏଥିରେ ପ୍ରାୟ ୨୦-୨୫ ପ୍ରତିଶତ ଭୋଟ୍ ଗଣନା ହୋଇଥିବା ନେଇ ପ୍ରଶ୍ନ ଉଠିଛି। କରୋନା ମାର୍ଗଦର୍ଶିକା ଯୋଗୁଁ ଏଭଳି ବିଳମ୍ବ ହୋଇଥିବା କୁହାଯାଉଛି। ମହାମାରୀ ଯୋଗୁଁ ନିର୍ବାଚନ ଆୟୋଗ ସର୍ବାଧିକ ଭୋଟରଙ୍କ ସଂଖ୍ୟାକୁ ୧,୫୦୦ରୁ ୧,୦୦୦ କୁ ହ୍ରାସ କରିଥିଲେ। ଭୋଟର ସଂଖ୍ୟା କମ ହେବା ସହ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବୁଥ୍ ସଂଖ୍ୟା ବଢ଼ାଇ ଦିଆଯାଇଥିଲା। ୨୦୧୫ବିହାର ବିଧାନସଭା ନିର୍ବାଚନରେ ମତଦାନ ବୁଥ ସଂଖ୍ୟା ୭୩,୦୦୦ଥିବାବେଳେ ଏହି ନିର୍ବାଚନରେ ଏହା ୧.୦୬କୁ ବୃଦ୍ଧି କରାଯାଇଥିଲା। ଅଧିକ ମତଦାନ କେନ୍ଦ୍ର ହେବାରୁ ଗଣନା କେନ୍ଦ୍ରରେ ଭୋଟ୍ ଗଣନା କରୁଥିବା ଅଧିକାରୀଙ୍କ ପାଇଁ ଅଧିକ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ମଧ୍ୟ ରଖାଯାଇଥିଲା। ଗଣନା କେନ୍ଦ୍ରରେ ସାମାଜିକ ଦୂରତା ପାଳନ ଉପରେ ଗୁରୁତ୍ବାରୋପ କରାଯାଇଥିଲା; ଯେଉଁଥିପାଇଁ ଏଭଳି ବିଳମ୍ବ ହୋଇଥିବା କୁହାଯାଉଛି; କିନ୍ତୁ ଆରଜେଡି ପକ୍ଷରୁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ପ୍ରତି ଅଙ୍ଗୁଳି ନିର୍ଦେଶ କରାଯାଇଛି। ସେ କାରୋନା ଆଳରେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଚାପ ପକାଇ ଏଥିପାଇଁ ଷଡ଼ଯନ୍ତ୍ର ରଚନା କରିଥିବା କୁହାଯାଇଛି।

Comments are closed.