୧୨ ଜଣ ଛାତ୍ରଙ୍କୁ ଛାତ୍ରାବାସ ଛାଡ଼ିବା ଏବଂ କ୍ୟାମ୍ପସ ପ୍ରବେଶ ମନା

ବୁର୍ଲା ଭିସୁଟରେ ତୃତୀୟ ବର୍ଷ ଛାତ୍ରଙ୍କୁ ରାଗିଙ୍ଗ ପ୍ରସଙ୍ଗରେ ଶୃଙ୍ଖଳା କମିଟି ବୈଠକର ନିଷ୍ପତ୍ତି

ବୁର୍ଲା : ବୁର୍ଲା ଭିସୁଟରେ ଜଣେ ତୃତୀୟ ବର୍ଷର ପ୍ରଡ଼କ୍ସନ ଇଞ୍ଜିନିୟରିଙ୍ଗ ଛାତ୍ରଙ୍କୁ ରାଗିଙ୍ଗ କରାଯିବା ପରି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଥିଲା। ଖବର ପାଇବା ମାତ୍ରେ ପୀଡ଼ିତ ଛାତ୍ରଙ୍କ ପିତାମାତା ବୁର୍ଲା ଭିସୁଟରେ ପହଞ୍ଚି  ଛାତ୍ରକଲ୍ୟାଣ ଡ଼ିନଙ୍କୁ ଭେଟି ଆଲୋଚନା ତଥା କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ପୁଲହ ଛାତ୍ରାବାସରେ ଗତ ୨୨ ତାରିଖ ବିଳମ୍ବିତ ରାତି ୧୧ଟା ୩୦ ମିନିଟ ସମୟରେ ଉକ୍ତ ପୀଡ଼ିତ ତୃତୀୟ ବର୍ଷ ଛାତ୍ର ମୋବାଇଲ ନ ଦେବାରୁ ୧୮ ଜଣ ଚତୁର୍ଥ ବର୍ଷର ବରିଷ୍ଠ ଛାତ୍ର ଉକ୍ତ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ଉକ୍ତ ଛାତ୍ରଙ୍କ ମୁହଁ, ଆଖିତଳ, କାନମୁଣ୍ଡା, ବେକ, ହାତ, ମୁଣ୍ଡପଛ ପାଖ, ପିଠି ପଛ, ଛାତି ତଥା ଶରୀରର ଅନ୍ୟାନ୍ୟ ସ୍ତାନରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା।

ଏହାପରେ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇ ଏହି ଘଟଣା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହିତ ପଦକ୍ଷେପ ଗ୍ରହଣ କରାଯାଇଛି । ୧୨ ଜଣ ବରିଷ୍ଠ ଛାତ୍ରଙ୍କୁ  ଶୁକ୍ରବାର ସଂନ୍ଧ୍ୟା ୬ଟା୩୦ ସୁଦ୍ଧା ଛାତ୍ରାବାସ ଛାଠିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏପରିକି ଭିସୁଟ କ୍ୟାମ୍ପସ ମଧ୍ୟକୁ ତାଙ୍କର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବିନା ଅନୁମତିରେ ପ୍ରବେଶ ଉପରେ ମଧ୍ୟ ବାରଣ କରାଯାଇଛି । କ୍ୟାମ୍ପସ ମଧ୍ୟରେ ବିନା ଅନୁମତିରେ ସେମାନେ ବୁଲୁଥିବା ଦେଖାଗଲେ ତାଙ୍କ ଉପରେ ପଦକ୍ଷେପ ନିଆଯିବ ବୋଲି ଛାତ୍ରକଲ୍ୟାଣ ଡ଼ିନ ପ୍ରଫେସର ଶୁଭ୍ରାଂଶୁ ଶେଖର ଦାସଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Comments are closed.