ଆଖିଦେଇ ପ୍ରବେଶ କରୁଛି ଭୂତାଣୁ

ରକ୍ତହୀନତା ବଢାଉଛି ମୃତ୍ୟୁହାର, -ତୁଣ୍ଡି ସହ ଚଷମା ପିନ୍ଧିବା ବାଧ୍ୟତାମୂଳକ ହେଉ

ଭୁବନେଶ୍ବର : କରୋନା ଭୂତାଣୁ ଦ୍ବିତୀୟ ଲହରରେ ଦେଶରେ ଦୈନିକ ନୂଆ ମାମଲା ୩ ଲକ୍ଷ ୪୦ ହଜାର ଉପରେ ଚିହ୍ନଟ କରାଯାଉଛି। ଅନୁରୂପ ଭାବେ ରାଜ୍ୟରେ ଦୈନିକ ୬ ହଜାରରୁ ଉଠି ଏବେ ୮ ହଜାର ଡେଇଁଲାଣି। ଆକ୍ରାନ୍ତ ଏକାଧିକ ରୋଗରେ ପୀଡିତ କିମ୍ବା ଅମ୍ଳଜାନ ମାତ୍ରା ହ୍ରାସ ପାଇବା ଦ୍ବାରା ଗୁରୁତର ହୋଇ ମୃତ୍ୟୁବରଣ କରୁଥିବା କୁହାଯାଉଛି; କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ.ସରୋଜିନୀ ସାବତଙ୍କ ମତ କରୋନାରେ ଯେତିକି ରୋଗୀ ମୃତ୍ୟୁବରଣ କରୁଛନ୍ତି ଖାଲି ବହୁରୋଗ ପୀଡିତ ଏବଂ ଅମ୍ଳଜାନ ହ୍ରାସ କାରଣ ଯୋଗୁଁ ନୁହେଁ; ତା’ର ଆଉ ଏକ କାରଣ ହେଉଛି ‘ରକ୍ତହୀନତା’। ଆକ୍ରାନ୍ତ ଶରୀରରେ ରକ୍ତ ପରିମାଣ କମ ଥିଲେ ରକ୍ତ ଠିକ୍‌ ଭାବେ ସଞ୍ଚାଳନ ହୋଇପାରେ ନାହିଁ। ଅମ୍ଳଜାନ ତନ୍ତୁ (ଟିସ୍ୟୁ) ପାଖରେ ପହଞ୍ଚି ପାରେନାହିଁ। ଟିସୁ ଅମ୍ଳଜାନ ନ ପାଇବା ହେତୁ ମରିଯାଆନ୍ତି। ରୋଗୀ ମୃତ୍ୟୁବରଣ କରିଥାଏ। କରୋନା ଭୂତାଣୁ ମଣିଷ ଶରୀରକୁ ମୁହଁ ବାଟରେ ପ୍ରବେଶ କରିଥାଏ। ପାଟି, ନାକ ଏବଂ ଆଖି ହେଉଛି ପ୍ରବେଶ ପଥ। ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଲୋକଙ୍କୁ ଖାଲି ତୁଣ୍ଡି (ମାସ୍କ ପିନ୍ଧିବାକୁ ସଚେତନ କରୁଛନ୍ତି। ହେଲେ ଆଖିକୁ ଆବରଣ କରିବା ପାଇଁ ଚଷମା ଏବଂ ଆଖି ଆବରଣ ଯନ୍ତ୍ର (ଗୋଗଲ) ପିନ୍ଧିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉନାହିଁ। ତୁଣ୍ଡି ପିନ୍ଧିବା ଦ୍ବାରା ପାଟି ଏବଂ ନାକ ଆବଦ୍ଧ ହେଉଛି। ଭୂତାଣୁ ପାଟି ଏବଂ ନାକ ଦ୍ବାରା ଶରୀର ଭିତରକୁ ପ୍ରବେଶ କରିପାରୁ ନାହିଁ। ଜଣେ ସଂକ୍ରମିତ ଝିଙ୍କିବା ଏବଂ କାଶିବା ଦ୍ବାରା ଭୂତାଣୁ ବାୟୁମଣ୍ଡଳକୁ ଆସି ଆଖି ବାଟେ ଶରୀର ଭିତରକୁ ପ୍ରବେଶ କରୁଛି। ଯାହାଦ୍ବାରା ଦେଶ ତଥା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି। ଭୂତାଣୁ ତୁରନ୍ତ ଫୁସ୍‌ଫୁସ୍‌କୁ ଚାଲିଯାଏ ନାହିଁ। ଗଳାରେ ୪ରୁ ୫ଦିନ ରହି ବଂଶ ବିସ୍ତାର କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ ଗଳାରେ ଭୂତାଣୁ ମରିଯାଏ। ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ଆକ୍ରାନ୍ତ ଗଳା ଦରଜ ହେବା ଲକ୍ଷଣ ପ୍ରକାଶ ପାଏ। ସନ୍ଦିଗ୍ଧ ତୁରନ୍ତ ଆରଟି-ପିସିଆର ପରୀକ୍ଷା କରି ଚିକିିତ୍ସା ଆରମ୍ଭ କରିବା ଦରକାର। ଚିକିତ୍ସାରେ ବିଳମ୍ବ ହେଲେ ୬ଦିନ ବେଳକୁ ଭୂତାଣୁ ଶ୍ବାସନଳୀ ବାଟ ଦେଇ ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌କୁ ଚାଲିଯାଏ। ଭୂତାଣୁ ଫୁସ୍‌ଫୁସ୍‌କୁ ସମ୍ପୂର୍ଣ୍ଣ ଭାବେ ଆବରଣ କରିବା ଦ୍ବାରା ଆକ୍ରାନ୍ତ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭବ କରିଥାଏ। ଶରୀରରେ ଅମ୍ଳଜାନ ଅଭାବ ଦେଖାଯାଏ। ରୋଗୀଙ୍କୁ ଡାକ୍ତରଖାନାରେ ଅମ୍ଳଜାନ ଦିଆଯିବା ସତ୍ତ୍ବେ ରକ୍ତହୀନତା ଯୋଗୁଁ ରୋଗୀ ମୃତ୍ୟୁବରଣ କରୁଛି। ସଂକ୍ରମିତ ଗୁରୁତର କିମ୍ବା ସାଧାରଣ ଅବସ୍ଥାରେ ଶରୀରରେ ରକ୍ତ ପରିମାଣ ବୃଦ୍ଧି କରିବା ପାଇଁ ଲୌହ ବଟିକା ଖାଇବା ସହ ପୁ‌ଷ୍ଟିକର ଖାଦ୍ୟ ଖାଇବା ଦରକାର। ଚିକିତ୍ସା ବେଳେ ଅମ୍ଳଜାନ ଦିଆଯିବା ଏବଂ ରକ୍ତ ପରିମାଣ ଦେଖି ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯିବା ଦରକାର ବୋଲି ଡ. ସାବତ୍‌ କହିଛନ୍ତି।

Comments are closed.